ଦିଦି ବନ୍ଦ କଲେ ଆଳୁ: ଗୋଟିଏ ଦିନରେ ବଢ଼ିଲା ୧୦ ଟଙ୍କା, ଆଗକୁ ସ୍ଥିତି ହେବ ଅସମ୍ଭାଳ

ଭୁବନେଶ୍ବର: ପୁଣି ଟେନସନ୍ ଦେଲା ଆଳୁ । ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ରପ୍ତାନୀ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦେବା ପରେ ଏବେ ରାଜ୍ୟରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ଗତକାଲି ଆଳୁ କିଲୋପ୍ରତି ଖୁଚୁରା ଦର ୩୦ ଟଙ୍କା ଥିବା ବେଳେ ଆଜି ୪୦ ଟଙ୍କାରେ ପହଞ୍ଚିଛି । ହୁଏତ କାଲିକୁ ୫୦ ଛୁଇଁପାରେ ବୋଲି କହିଛନ୍ତି ବ୍ୟବସାୟୀ । ଆଜି ଉତ୍ତର ପ୍ରଦେଶରୁ କିଛି ଆଳୁ ଆସିଛି । ହେଲେ ପଶ୍ଚିମବଙ୍ଗରୁ ଆଳୁ ନଆସିଲେ ଦୋକାନ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି ବ୍ୟବସାୟୀ । ସେପଟେ ଏନେଇ ସରକାରଙ୍କ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ବେଳେ ମନ୍ତ୍ରୀ କହୁଛନ୍ତି ସରକାର ବ୍ୟବସ୍ଥା କରୁଛନ୍ତି ।

ପଶ୍ଚିମବଙ୍ଗ ଆଳୁ ନ ଦେଲେ ଅଣାୟତ ହୋଇଯିବ ସ୍ଥିତି । ହାତ ଟେକି ଦେଲା ବ୍ୟବସାୟୀ ମହାସଂଘ । ଗତ ସରକାରରେ ଭରସା ଥିଲା, ଏ ସରକାରରେ ଭରସା ପାଉନି । ପଶ୍ଚିମବଙ୍ଗ ସରକାର ଆଳୁ ରପ୍ତାନୀ ବନ୍ଦ କରି ଦେବା ପରେ ଏବେ ରାଜ୍ୟରେ ହୁ ହୁ ହୋଇ ବଢୁଛି ଆଳୁ ଦର । ଗତକାଲି କିଲୋ ପ୍ରତି ୩୦ ଟଙ୍କା ଥିବା ବେଳେ ଆଜି ୪୦ରେ ପହଞ୍ଚିଛି । ରାଜଧାନୀ ଭୁବନେଶ୍ବର ସମେତ କଟକ ଓ ବାଲେଶ୍ବରରେ ସ୍ଥିତି ଗମ୍ଭୀର ହେଲାଣି । ଖଟିଖିଆଠାରୁ ଆରମ୍ଭ କରି ମଧ୍ୟବିତ୍ତ ସମସ୍ତଙ୍କ ପାଇଁ ଦରକାରୀ ପରିବା ଆଳୁର ଯୋଗାଣ ଓ ମୂଲ୍ୟକୁ ନିୟନ୍ତ୍ରଣ କରିପାରୁନାହାନ୍ତି ସରକାର । ଯାହା ୨୪ ବର୍ଷରେ ହୋଇ ନଥିଲା ତାହା ଏବେ ହେଉଛି । ଯେଉଁ ଆଶା ସରକାର ଉପରେ ଥିଲା ତାହା ମଉଳୁଛି ବୋଲି କହିଛନ୍ତି ଗ୍ରାହକ ।

ସେପଟେ ଆଳୁ ସଂକଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛି ବ୍ୟବସାୟୀ ମହାସଂଘ । ଆଳୁକୁ ନେଇ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ପୂର୍ବରୁ ଅନେକ ଥର ଏମିତି ଅସୁବିଧା ହୋଇଛି । ସେତେବେଳେ ସରକାରଙ୍କ ଉପରେ ବିଶ୍ଵାସ ଥିଲା । କିନ୍ତୁ ଏବେକାର ସରକାର ଉପରେ ଭରସା ନାହିଁ । ସରକାର ବିବାଦ ସମାଧାନ ନକରି କେବଳ କଥାରେ କହୁଛନ୍ତି । ୟୁପିରୁ ଏବେ ଆଳୁ ଆସୁଛି । କିନ୍ତୁ ଆବଶ୍ୟକତାକୁ ପୂରଣ କରିବା ଅସମ୍ଭବ । ସେପଟେ ଦୈନିକ ୫ରୁ ୬ ଗାଡ଼ି ଆଳୁ ଆବଶ୍ୟକ । ଗତକାଲି ୩ ଗାଡ଼ି ଆଉ ଆଜି ପଶ୍ଚିମବଙ୍ଗରୁ ଲୁଚିଛପି ୩ ଗାଡ଼ି ଆଳୁ ଆସିଛି । ଯାହା ସମୁଦ୍ରକୁ ଶଙ୍ଖେ । ସରକାର ତୁରନ୍ତ ନିଷ୍ପତ୍ତି ନିୟନ୍ତୁ । ୟୁପିରୁ ଆଳୁ ଆଣି ବଜାରରେ ଉପଲବ୍ଧ କରାନ୍ତୁ । ନଚେତ ପରିସ୍ଥିତି ଅସମ୍ଭାଳ ହେବ । ସେହିପରି ବାଲେଶ୍ଵରରେ ବି ସମାନ ପରିସ୍ଥିତି ଦେଖିବାକୁ ମିଳିଛି ।

ପୂର୍ବରୁ ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ଗାଡ଼ି ଉପରେ କଟକଣା ଲାଗୁ ସମୟରେ ୟୁପିରୁ ଟ୍ରେନରେ ଆଳୁ ଆସୁଛି ବୋଲି କହିଥିଲେ ଯୋଗାଣ ମନ୍ତ୍ରୀ । ପୁଣି ଥରେ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ଠପ୍ ହେବା ପରେ ଚିନ୍ତା ବଢ଼ିଛି ।