ଆହୁରି ୨ ରୁ ୩ ଡିଗ୍ରୀ ଖସିବ ପାରଦ, ଆଜିଠୁ ଥରିବ ଦକ୍ଷିଣ ଓଡିଶା

1 min read

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ଫରିଲା ଶୀତ । ଥଣ୍ଡାରେ ଥରିଲା ଓଡ଼ିଶା । ଆସନ୍ତା ୨ ଦିନରେ ଓଡ଼ିଶାର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ଖସିବା ନେଇ ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ହ୍ରାସ ପାଇବ । ଫଳରେ ଦକ୍ଷିଣ ଓଡ଼ିଶା ଆଜି ଠାରୁ ଥରିବ।

ରାଜ୍ୟରେ ସକାଳୁ ସକାଳୁ କୁହୁଡ଼ିଆ ପାଗ ଦେଖିବାକୁ ମିଳିବ । ଗତକାଲି କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ କୋରାପୁଟ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଛି ।

କନ୍ଧମାଳ ଜିଲ୍ଲାରେ ତାପମାତ୍ରା କମିବା ସଙ୍ଗେ ସଙ୍ଗେ ଶୀତ ବଢ଼ିବାରେ ଲାଗିଛି । ସନ୍ଧ୍ୟା 7 ପରେ ଧିରେଧିରେ ଶୀତର ପରିମାଣ ବଢ଼ିବା ସହ ରାତିର ତାପମାତ୍ରା ହ୍ରାସ ପାଉଛି l କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଶୀତ ଅନୁଭୂତ ହେଉଛି  । ଫୁଲବାଣୀରେ ଗତକାଲି 10.05 ଡିଗ୍ରୀ ତାପମାତ୍ରା ରହିଥିବା ବେଳେ, ଦାରିଙ୍ଗବାଡ଼ିରେ 13ଡିଗ୍ରୀ ଥିଲା ତାପମାତ୍ରା ।

ସ୍ଥାନେ ସ୍ଥାନେ ଲୋକେ ନିଆଁର ସାହାରା ନେବାର ଦେଖିବାକୁ ମିଳିଛି  । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ରାଇକିଆ ଦାରିଙ୍ଗବାଡ଼ି ଜି. ଉଦୟଗିରିରେ ଶୀତ ଅନୁଭୂତ ହେଉଛି  । ଶୀତର ମଜା ନେବାକୁ ପର୍ଯ୍ୟଟକଙ୍କ ଭିଡ଼ ବି ପରିଲକ୍ଷିତ ହେଲାଣି ।