ପୋଲିସ ଚାକିରୀ ଦେବା ନାଁରେ ଲୁଟିନେଇଥିଲେ ଦେଢକୋଟି, ୨ ଦିନିଆ ରିମାଣ୍ଡରେ ବୈକୁଣ୍ଠନାଥ
ଭୁବନେଶ୍ୱର: ପୋଲିସ ଚାକିରୀ ଦେବା ନାଁରେ ୩୮ ଜଣଙ୍କ ଠାରୁ ଦେଢ କୋଟି ଟଙ୍କା ଠକେଇ ମାମଲା । ଗୃହ ବିଭାଗର ନକଲି ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବୈକୁଣ୍ଠନାଥ ନାୟକଙ୍କୁ ୨ ଦିନିଆ ରିମାଣ୍ଡ ନେଇଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଭୁବନେଶ୍ବର ଏସଡିଜେଏମ କୋର୍ଟଙ୍କ ଅନୁମତି ମିଳିବା ପରେ ବୈକୁଣ୍ଠଙ୍କୁ ଝାରପଡା ଜେଲରୁ ନେଇ ମାରାଥନ ଜେରା କରୁଛି ଇଓଡବ୍ଳୁ । ରାକେଟ ମୁଖ୍ୟ ବୈକୁଣ୍ଠ ଗୃହ ବିଭାଗରେ କାମ କରୁଥିବା ଅସଲି ବୈକୁଣ୍ଠନାଥ ନାୟକଙ୍କ ପରିଚୟ ପତ୍ର କେମିତି ହାତେଇଲେ ?
ପରିଚୟ ପତ୍ର ଦ୍ବାରା କେବଳ ଆଶୀୟୀଙ୍କ ମନରେ ବିଶ୍ବାସ ଜନ୍ମେଇଛନ୍ତି ନା ଆଉ କିଛି ଅସାଧୁ କାମ କରିଛନ୍ତି ? କେବଳ ଏସଆଇ, ସର୍ଜେଣ୍ଟ ଓ ସୁବେଦାର ବାଦ ଅନ୍ୟ କେଉଁ ଚାକିରୀ କରେଇବାକୁ କହି ଟଙ୍କା ନେଇଛନ୍ତି କି ? ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତ କୂଆଡେ ଗଲେ ? ଏ ରାକେଟରେ ଆଉ କେତେ ଜଣ ଅଛନ୍ତି ? ଠକେଇ ପଛରେ ପୋଲିସ ବିଭାଗର କୌଣସି କର୍ମଚାରୀଙ୍କ ହାତ ରହିଛି କି ? ଏ ସବୁ ଦିଗରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଇଓଡବ୍ଳୁ ।
ଗତକାଲି ଭୀମସେନ ମହାରଣା ଓ ବୈକୁଣ୍ଠନାଥ ନାୟକକଙ୍କୁ ଗିରଫ କରିଥିଲା ଇଓଡବ୍ଲୁ । ପୋଲିସ ବିଭାଗର ମିଳିତ ପୋଲିସସେବା ବା ସିପିଏସିଇ ପରୀକ୍ଷାରେ ଚାକିରୀ କରେଇ ଦେବା ନାଁରେ ପକାଇଥିଲେ ଜାଲ । ଦୁଇଜଣ ନିଜକୁ ଗୃହ ବିଭାଗର ସେକ୍ସନ ଅଫିସର କହି ୩୮ ଜଣ ଚାକିରୀ ଆଶୟୀଙ୍କ ଠାରୁ ପାଖାପାଖି ଦେଢ କୋଟି ଟଙ୍କା ଠକିଥିଲେ । ୨ ଜଣ ନିକଟରୁ ୧୨ଟି ଏଟିଏମ କାର୍ଡ଼ ଓ ଜାଲ ପରିଚୟ ପତ୍ର ଜବତ କରିଛି ଇଓଡବ୍ଳୁ ।