ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ

ଭୁବନେଶ୍ବର: ରାଜ୍ଯ ନିର୍ବାଚନ ନେଇ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ଓଡ଼ିଶାର ମୋଟ ଲୋକସଭା ଆସନ ସଂଖ୍ଯା ୨୧ ରହିଥିବାବେଳେ ଅନୁସୂଚିତ ଜାତି ପାଇଁ ୩ ଓ ଜନଜାତିଙ୍କ ପାଇଁ ୫ ଆସନ ସଂରକ୍ଷିତ ରହିଛି । ସେହିପରି ୧୪୭ ବିଧାନସଭା ଆସନରୁ ଅନୁସୂଚିତ ଜାତିଙ୍କ ପାଇଁ ୨୪ ଓ ଜନଜାତିଙ୍କ ପାଇଁ ୩୩ ଆସନ ସଂରକ୍ଷିତ ରହିଛି । ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା ପାଇଁ ୩୦ ଜିଲ୍ଲା ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ପ୍ରାୟ ୨ ଦଶମିକ ୭୦ ଲକ୍ଷ ମତଦାନ କର୍ମଚାରୀ ନିଯୁକ୍ତ ହୋଇଛି । ପ୍ରତି ମତଦାନ କେନ୍ଦ୍ରରେ ଜଣେ ପ୍ରିଜାଇଡିଂ ଅଫିସର ଓ ୫ଜଣ ଲେଖାଏଁ ପୋଲିଂ ଅଫିସର ରହିବେ । ମତଦାନ କେନ୍ଦ୍ରରେ ଭୋଟର ପରିଚୟ ପତ୍ର ସହ ଆଧାରକାର୍ଡ, ପାନକାର୍ଡ, ସ୍ବତନ୍ତ୍ର ଭିନ୍ନକ୍ଷମ ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ମନରେଗା କାର୍ଡ ଦେଖାଇପାରିବେ । ଓଡ଼ିଶାରେ ଭୋଟରଙ୍କ ସଂଖ୍ଯା ୩ କୋଟି ୩୪ ଲକ୍ଷ ୭୩ ହଜାର ୫୬୧ । ସେମାନଙ୍କ ମଧ୍ଯରେ ପୁରୁଷ ଭୋଟରଙ୍କ ସଂଖ୍ଯା ୧ କୋଟି ୬୯ ଲକ୍ଷ ୫୫ ହଜାର ୩୬୯, ମହିଳା ଭୋଟରଙ୍କ ସଂଖ୍ଯା ୧ କୋଟି ୬୫ ଲକ୍ଷ ୧୪ ହଜାର ୭୫୪, ତୃତୀୟଲିଙ୍ଗୀ ଭୋଟରଙ୍କ ସଂଖ୍ଯା ୩ ହଜାର ୪୩୮, ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ଯା ୫ ଲକ୍ଷ ୧୯ ହଜାର ୮୬୧, ବରିଷ୍ଠ ନାଗରିକ ଭୋଟରଙ୍କ ସଂଖ୍ଯା ୩ ଲକ୍ଷ ୨ ହଜାର ୨୭୩, ୧୮ରୁ ୧୯ ବର୍ଷ ବୟସ୍କ ଭୋଟରଙ୍କ ସଂଖ୍ଯା ୭ ଲକ୍ଷ ୯୯ ହଜାର ୩୩୪, ସର୍ଭିସ ମତଦାତାଙ୍କ ସଂଖ୍ଯା ୪୯ ହଜାର ୫୯୯ ଓ ପ୍ରବାସୀ ଭୋଟରଙ୍କ ସଂଖ୍ଯା ୧୮୪ । ୬୦ ପ୍ରତିଶତ ମତଦାନ କେନ୍ଦ୍ରରେ ୱେବକାଷ୍ଟିଂ ହେବ । ୨୦ ପ୍ରତିଶତ ମଡେଲ ପୋଲିଂ ଷ୍ଟେସନ ଯୁବ ପରିଚାଳିତ ମତଦାନ କେନ୍ଦ୍ର ହେବ । ଭିନ୍ନକ୍ଷମ ଓ ୮୫ ବର୍ଷ ବୟସରୁ ଅଧିକ ବୟସର ନାଗରିକ ନାଗରିକଙ୍କୁ ମତଦାନ ବୁଥରେ ପ୍ରବେଶ ପାଇଁ ଅଗ୍ରାଧିକାର ଦିଆଯିବ । ପ୍ରାର୍ଥୀମାନେ ନିର୍ଦ୍ଦିଷ୍ଟ ଫର୍ମାଟରେ ତାଙ୍କ ବିରୋଧରେ ରହିଥିବା ମାମଲାର ବିବରଣୀ ପ୍ରଦାନ କରିବେ । ପ୍ରଚାର ସମୟରେ ଖବରକାଗଜ, ଟେଲିଭିଜନ ଚ୍ଯାନେଲରେ ତିନିଥର ଅପରାଧିକ ମାମଲାର ତଥ୍ଯ ପ୍ରକାଶ କରିବାକୁ ହେବ । ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନେ ସର୍ବାଧିକ ୯୫ ଲକ୍ଷ ଓ ବିଧାନସଭା ନିର୍ବାଚନ ପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ପ୍ରାର୍ଥୀ ଓ ରାଜନୈତିକ ଦଳ ନାମାଙ୍କନ ଦାଖଲ, ରାଲି, ବୈଠକ, ଲାଉଡ ସ୍ପିକର ବ୍ଯବହାର ଆଦି ପାଇଁ ସୁବିଧା ପୋର୍ଟାଲ ରେ ଆବେଦନ କରିପାରିବେ ।