ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଜବ ନୀତି

1 min read

ନନ୍ଦିଘୋଷ ବ୍ୟୁରୋ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଜବ ନୀତି । ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ରହୁନି କି ସମନ୍ବୟ ? ଏଣିକି ଯୁକ୍ତ ଦୁଇ ପରୀକ୍ଷା ନିୟନ୍ତ୍ରକ ଓ ପରୀକ୍ଷା ଉପ-ନିୟନ୍ତ୍ରକ ପଦବିରେ ନିଯୁକ୍ତି ପାଇଛନ୍ତି ବିଇଓ ଓ ଡିଇଓରୁ ପଦୋନ୍ନତି ପାଇଥିବା ଅଧିକାରୀ । ଏ ନେଇ ଗତ ୨ ତାରିଖରେ ବିଭାଗ ପକ୍ଷରୁ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛି ସରକାରୀ କଲେଜ୍ ଶିକ୍ଷକ ସଂଘ । ସଂଘ ଅଭିଯୋଗ କରିଛି, ଏ ପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ଅଲଗା ହୋଇନି । ପରୀକ୍ଷା ନିୟନ୍ତ୍ରକ ଭାବେ ଏ ପର୍ଯ୍ୟନ୍ତ କଲେଜ୍ ଶାଖାର ଅଧିକାରୀ ନିଯୁକ୍ତି ପାଇ ଆସୁଥିଲେ । କିନ୍ତୁ ଏବେ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ଅସଙ୍ଗତି ରହିଛି । ବିଦ୍ୟାଳୟ ସ୍ତରୀୟ ଅଧିକାରୀଙ୍କ ଅଧୀନରେ କଲେଜ୍ ରିଡର, ପ୍ରାଧ୍ୟାପକ କିପରି କାମ କରିବେ ବୋଲି ପ୍ରଶ୍ନ ଉଠାଇଛି  । ଯୁକ୍ତ ଦୁଇ ପରୀକ୍ଷା ନିୟନ୍ତ୍ରକ ଦାୟିତ୍ବରେ ଥିବା ଅଧିକାରୀଙ୍କ କହିବା କଥା, ଏ ନିଷ୍ପତ୍ତି ସରକାରଙ୍କର । ଏଥିରେ କାହାର କିଛି କହିବାର ନାହିଁ । ଆଗକୁ ଯୁକ୍ତ ଦୁଇ ପରୀକ୍ଷା । ଏବେଠୁ ପ୍ରଶ୍ନପତ୍ର ପ୍ରସ୍ତୁତି ପକ୍ରିୟା ଆରମ୍ଭ ହେଲାଣି । କଲେଜ୍ ଶିକ୍ଷକ ସଂଘର ଦାବି ଅନୁଯାୟୀ ଯଦି ସରକାର ନିଷ୍ପତ୍ତିରେ ପରିବର୍ତ୍ତନ ନ କରନ୍ତି, ତାହେଲେ ସରକାରୀ କଲେଜ୍ ସମେତ ଘରୋଇ କଲେଜ୍ ଶିକ୍ଷକମାନେ ପରୀକ୍ଷା ପରିଚାଳନାଠୁ ଆରମ୍ଭ କରି ଖାତା ଦେଖା ପର୍ଯ୍ୟନ୍ତ ସହଯୋଗ କରିବେ କି ନାହିଁ ସେ ନେଇ ଆଶଙ୍କା ପ୍ରକାଶ ପାଇଛି ।