spot_img

Latest Posts

ଦ୍ବିତୀୟ ଦିନରେ ଷ୍ଟିୟରିଂ ଛାଡ ଆନ୍ଦୋଳନ: ଜିଦରେ ଅଟଳ ଡ୍ରାଇଭର, ଯାତ୍ରୀ ହନ୍ତସନ୍ତ

ନନ୍ଦିଘୋଷ ବ୍ୟୁରୋ: ଦ୍ବିତୀୟ ଦିନରେ ପହଞ୍ଚିଛି ଡ୍ରାଇଭର ଆନ୍ଦୋଳନ । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ବି ଆନ୍ଦୋଳନ ପ୍ରତ୍ୟାହାର କରିନାହାଁନ୍ତି ଡ୍ରାଇଭର ମହାସଂଘ । ଆଜି ବି ରାଜ୍ୟବ୍ୟାପୀ ଚକଅଖ ବନ୍ଦ ହୋଇଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ସେପଟେ ତେଲ ଗାଡି ଆସିପାରୁ ନଥିବାରୁ କାଲିଠୁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଦେଖା ଦେବାକୁ ଯାଉଛି । ଡିପୋରେ ଯେତିକି ତେଲ ଅଛି ତାହା ଗୋଟିଏ ଦିନ ପାଇଁ ରାଜ୍ୟର ଆବଶ୍ୟକତାକୁ ମେଣ୍ଟାଇପାରିବ ।

ସାତ ଦଫା ଦାବିରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆରମ୍ଭ ହୋଇଥିବା ଷ୍ଟିୟରିଂ ଛାଡ ଆନ୍ଦୋଳନ ଦ୍ଵିତୀୟ ଦିନରେ । ଆନ୍ଦୋଳନର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି । କୋରାପୁଟରୁ କଟକ, ମୟୂରଭଞ୍ଜରୁ ମହାକାଳପଡା, ସବୁଠି ଷ୍ଟିୟରିଂ ଛାଡି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଡ୍ରାଇଭର । ଜରୁରୀ ସେବାରେ ନିୟୋଜିତ ଗାଡିକୁ ଛାଡି ଦେଲେ ଅନ୍ୟ ସବୁ ଗାଡି ରାସ୍ତାରୁ ହଟିଯାଇଛି । କେଉଁଠି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଲିଛି ପିକେଟିଂ ତ କେଉଁଠି ଜାତୀୟ ରାଜପଥ ଅବରୋଧ କରାଯାଇଛି । ବାହାର ରାଜ୍ୟରୁ ଆସିଥିବା ଗାଡିଗୁଡିକୁ ଗତରାତିରେ ସୀମା ପାର ହେବାକୁ ସୁଯୋଗ ଦେବାକୁ ମହସଂଘର ସଭାପତି ଅପିଲ କରିଥିଲେ । ଏଥିସହିତ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି ।

ଗତକାଲି ସନ୍ଧ୍ୟାରେ ଡ୍ରାଇଭର ମହାସଂଘ ସହ ରାଜ୍ୟ ସରକାର ପ୍ରାୟ ୫ ଘଣ୍ଟା ଧରି ଆଲୋଚନା କରିଥିଲେ । ଆଲୋଚନା ପରେ ପରିବହନ ମନ୍ତ୍ରୀ ମହାସଂଘର ଅଧିକାଂଶ ଦାବି ଯୁକ୍ତିଯୁକ୍ତ ବୋଲି କହିଥିଲେ । ହେଲେ ଡ୍ରାଇଭର ସଂଘ ସେମାନଙ୍କ ଜିଦରେ ଅଟଳ । ସରକାର ଏହି ବିବାଦର ସମାଧାନ କରିପାରୁ ନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୂରଦୂରାନ୍ତର ଯାତ୍ରୀମାନେ ବସ ନପାଇ ବସଷ୍ଟାଣ୍ଡରେ ଅପେକ୍ଷା କରିଛନ୍ତି ।

ସେପଟେ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟକୁ ଆସିପାରୁନି ତେଲ ଗାଡି । ଯେତିକି ତେଲ ଗଚ୍ଛିତ ଅଛି ତାହା ରାଜ୍ୟର ଗୋଟିଏ ଦିନର ରାଜ୍ୟର ଆବଶ୍ୟକତାକୁ ମେଣ୍ଟାଇ ପାରିବ । ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଲେ କାଲିକୁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ସଙ୍କଟ ଦେଖା ଦେବ ବୋଲି କହିଛନ୍ତି ରାଜ୍ୟ ପେଟ୍ରୋଲ ଡିଜେଲ ଡିଲର ମହାସଂଘର ସଭାପତି ।

ରାସ୍ତାରେ ସୁରକ୍ଷା, ଅଟୋ ଡ୍ରାଇଭରଙ୍କୁ ଓ୍ବେଲଫେୟାର ବୋର୍ଡରେ ସାମିଲ, ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ, ୬୦ ବର୍ଷ ପରେ ଭତ୍ତା, ରାଜ୍ୟର ଖଣି ଖାଦାନରେ ୭୦ ପ୍ରତିଶତ ସ୍ଥାନୀୟ ଡ୍ରାଇଭରଙ୍କୁ ସାମିଲ ଦାବି କରି ଏହି ଷ୍ଟିୟରିଂ ଛାଡ ଆନ୍ଦୋଳନ ଡାକରା ଦିଆଯାଇଛି ।

Latest Posts

Don't Miss