spot_img

Latest Posts

ସାକାର ହୋଇଛି ଆଧୁନିକ ଓଡ଼ିଶାର ବିନ୍ଧାଣିଙ୍କ ସ୍ବପ୍ନ

ନନ୍ଦିଘୋଷ ବ୍ୟୁରୋ: ବିକାଶର ନୂଆ ଶିଖରରେ ଓଡ଼ିଶା । ଆଧୁନିକ ଓଡ଼ିଶା ବିନ୍ଧାଣି ଯେଉଁମାନେ ଏଇ ରାଜ୍ୟକୁ ବିକଶିତ କରିବା ନେଇ ସ୍ବପ୍ନ ଦେଖିଥିଲେ ତାହା ଆଜି ପୂରଣ ହୋଇଛି । ଆଗାମୀ ୧୦ ବର୍ଷ ଯୁବକଙ୍କ ଲାଗି ନୂଆ ସମ୍ଭାବନାର ବର୍ଷ ହେବାକୁ ଯାଉଛି। ଭାଷାକୁ ନେଇ ପ୍ରଥମ ରାଜ୍ୟର ପରିଚୟ ପାଇଥିବା ଓଡ଼ିଶାରେ ଏବେ କିଛିଟା ପ୍ରଚଣ୍ଡ ଜାତୀୟବୋଧର ଅଭାବ ପରିଲକ୍ଷିତ ହେଉଛି ବୋଲି ଅଭିଯୋଗ ହେଉଛି।

୮୮ ବର୍ଷର ଯାତ୍ରା। ସାକାର ହୋଇଛି ଆଧୁନିକ ଓଡ଼ିଶାର ବିନ୍ଧାଣିଙ୍କ ସ୍ବପ୍ନ। ସବୁଠି ଆଜି ପ୍ରାଚୁର୍ଯ୍ୟର ସମ୍ଭାର। ଅନୁନ୍ନତରୁ ଉନ୍ନତ। ବିକାଶଶୀଳରୁ ବିକଶିତ। ଏ ହେଉଛି ମୋ’ ଓଡ଼ିଶା। ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଭାବେ ଜନ୍ମ ନେଇଥିବା ଓଡ଼ିଶା ଆଜି ବିକାଶର ନୂଆ ଦିଗନ୍ତ ଛୁଇଁଛି।ଏବେ ଲକ୍ଷ୍ୟ ୨୦୩୬। ଆଗାମୀ ୧୦ ବର୍ଷ ହେବ ଯୁବ ବର୍ଗର।  ସଂକଳ୍ପ ନେଇଛି ଏ ଜାତି। ଆଧୁନିକ, ସଶକ୍ତ ଓଡ଼ିଶାର ବିନ୍ଧାଣୀ ହେବେ ଯୁବବର୍ଗ। ରାଜ୍ୟର ସମସ୍ତ ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ବିକଶିତ ହୋଇଛି ବଳିଷ୍ଠ ଭିତ୍ତିଭୂମି। ଦିନେ ଏଇ ମାଟିର ସନ୍ତାନ କୁଳବୃଦ୍ଧ ମଧୁବାବୁଙ୍କ ଆହ୍ବାନ ଥିଲା.. ଜାତି ପ୍ରେମ ବହ୍ନି, ପ୍ରଜ୍ବଳିତ କର, ସ୍ବାର୍ଥକୁ ଦିଅ ଆହୁତି, ସ୍ବାର୍ଥ ମେଧ ଯଜ୍ଞ, ଚାରିଆଡ଼େ ନାଚ, ଛାତିକି ମିଶାଇ ଛାତି । ସେ ଆହ୍ବାନ ଆଜି ସଫଳତାର ରୂପ ନେଇଛି। କୋରାପୁଟରୁ କେନ୍ଦ୍ରାପଡ଼ା, ମୟୂରଭଞ୍ଜରୁ ମାଲକାନଗିରି ସବୁଠି ପ୍ରଗତିର ପଦଚିହ୍ନ । ପଲ୍କୀରେ ଥିବା ଗାଁ ଲୋକଟିଏ ବି ଓଡ଼ିଶାକୁ ନେଇ ଗର୍ବ ଅନୁଭବ କରୁଛି । ଭାଷା ଯାହାର ପରିଚୟ । ସେଠି ଆଜି ଗଢିଉଠିଛି ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟ। ଓଡ଼ିଆ ଭାଷାକୁ ମିଳିଛି ଶାସ୍ତ୍ରୀୟ ମାନ୍ୟତା। ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଓଡ଼ିଆ ଭାଷାକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଦେଇଛି ପରିଚୟ। ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର କରିବାକୁ ରାଜ୍ୟ ସରକାର ନେଇଛନ୍ତି ଅନେକ ପଦକ୍ଷେପ । ଓଡ଼ିଆରେ ନାମଫଳକ ନ ଲଗାଇଲେ ୨୫ ହଜାର ଟଙ୍କା ଜରିମାନା ବ୍ୟବସ୍ଥା ହୋଇଛି। ବିଗତ ବର୍ଷରେ ସରକାରୀ ସ୍ତରରେ ଏସବୁ ପଦକ୍ଷେପ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ପ୍ରଚାର ପ୍ରସାର କରିବାରେ ସହାୟକ ହୋଇଛି।

ଦୁର୍ବିପାକକୁ ସୁଯୋଗରେ ପରିଣତ କରିପାରିଛି ଓଡ଼ିଶା। ଖଣିଜ ସମ୍ପଦର ସୁବିନିଯୋଗ ଯୋଗୁ ରାଜ୍ୟରେ ଶିଳ୍ପାୟନ ପାଇଁ ଛୁଟିଛି ପୁଞ୍ଜିର ସୁଅ। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ପାଇଛି ସଫଳତାର ଶୀର୍ଷ। ଗାଁରେ ପହଞ୍ଚିଛି ସହରୀ ସୁବିଧା । ନାରୀ ସଶକ୍ତିକରଣରେ ଓଡ଼ିଶା ଦେଶରେ ଅଗ୍ରଣୀ । ଓଡ଼ିଶାର ନାରୀ ଆଜି ଦେଶର ସର୍ବୋଚ୍ଚ ଆସନରେ। ଆରବିଆଇର ଗଭର୍ଣ୍ଣରଙ୍କଠୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଓଡ଼ିଆ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିପାରିଛନ୍ତି। ଭାଇଚାରା, ସାମ୍ପ୍ରଦାୟିକ ସଦଭାବନାର ପ୍ରୟୋଗଶାଳା ପାଲଟିଛି ଓଡ଼ିଶା। ବିଗତ ଦଶନ୍ଧିରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତି ଅନ୍ୟ ରାଜ୍ୟ ପାଲଟିଛି ଉଦାହରଣ। ସରକାରୀ ଚାକିରି ପଛରେ ନ ଗୋଡ଼ାଇ କିପରି ନିଜେ ଉଦ୍ୟୋଗୀ ହେବେ ସେ ନେଇ ସ୍ବପ୍ନ ଦେଖୁଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ।

 

Latest Posts

Don't Miss