ବିପର୍ଯ୍ୟୟ ମୁକାବିଲାର ବିନ୍ଧାଣୀ ଓଡିଶା, ଆଶ୍ଚର୍ଯ୍ୟ ବିଶ୍ୱବାସୀ

1 min read

ରୋମ୍: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ନେଇ ବିଶ୍ବବ୍ୟାପୀ ଚର୍ଚ୍ଚା । ୨୦ବର୍ଷ ମଧ୍ୟରେ ଓଡ଼ିଶା ବିପର୍ଯ୍ୟୟ ମୁକାବିଲା କରିବା ଶିଖିବା ସହ ଅନ୍ୟକୁ ଶିଖାଇପାରୁଛି ଏବଂ ବିପଦ ବେଳେ ସାହାଯ୍ୟ କରିପାରୁଛି, ତାହା ବିଶ୍ବବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ୧୯୯୯ ମହାବାତ୍ୟାର ମହାତାଣ୍ଡବ ପରେ ବିପର୍ଯ୍ୟୟ ମୁକାବିଲା ପାଇଁ ସୁଦୃଢ଼ ଭିତ୍ତିଭୂମି, ଉପଯୁକ୍ତ ପ୍ରଶିକ୍ଷଣ, ସ୍ଥାନୀୟ ଲୋକଙ୍କ ସହାଭାଗିତା, ବୈଷୟିକ ଜ୍ଞାନ କୌଶଳର ସଠିକ୍ ଉପଯୋଗ ଫଳରେ ଓଡ଼ିଶା ଆଜି ନମ୍ବର ଓ୍ବାନ । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ, ଦୂରଦୃଷ୍ଟି ସହ ମିଶନ ଜିରୋ କାଜୁଆଲଟି ବିଶ୍ବ ଦରବାରରେ ଓଡ଼ିଶାକୁ ଦେଇଛି ସ୍ବତନ୍ତ୍ର ପରିଚୟ ।୧୯୯୯ ଅକ୍ଟୋବର ମହାବାତ୍ୟା ବେଳେ ନା ଥିଲା ଆଗୁଆ ସୂଚନା, ନା ବିପଦପୂର୍ଣ୍ଣ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା ।

ନା ଥିଲା ଆଶ୍ରୟ କେନ୍ଦ୍ର ନା ଥିଲା ରିଲିଫ୍ । ୧୦ହଜାର ଲୋକଙ୍କ ଜୀବନ ଯାଇଥିଲା ୩୦୦ କିଲୋମିଟର ବେଗରେ ଆସିଥିବା ମହାବାତ୍ୟାରେ । ଏହା ପରେ ନିଜେ ନିଜେ ଶିଖିବାକୁ ଆରମ୍ଭ କଲା ଓଡ଼ିଶା । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲାର ଯୋଜନା ପ୍ରସ୍ତୁତ କଲେ । ୨୦୦୧ରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିପର୍ଯ୍ୟୟ ମୁକାବିଲା ପାଇଁ ନିଜର ଟିମ୍ ଗଢ଼ିଲା । ଆରମ୍ଭ ହେଲା ODRAF- ୨୦୦୧ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ OSDMA ଗଢିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେଲା । ଓଡ଼ିଶା ଢାଞ୍ଚାରେ ଜାତୀୟ ସ୍ତରରେ ୨୦୦୬ରେ ଗଢ଼ାହେଲା NDMA ଏବଂ NDRF । ରାଜ୍ୟରେ ଥିବା ସରକାରୀ ପ୍ରତିଷ୍ଠାନର ଭିତ୍ତିଭୂମି ସୁଦୃଢ଼ କରିବା ସାଙ୍ଗକୁ ବିପର୍ଯ୍ୟୟ ବେଳେ ସ୍ଥାନୀୟ ଲୋକଙ୍କ ସହଭାଗିତାକୁ ଗୁରୁତ୍ବ ଦିଆଗଲା ।

ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ମିଶନ ଜିରୋ କାଜୁଆଲଟି ମନ୍ତ୍ରରେ କାମ କଲେ ସରକାର । ୧୮ଟି ସମୁଦ୍ର କୂଳିଆ ରାଜ୍ୟଙ୍କ ମଧ୍ୟରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ସୁନାମି ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ୟୁନେସ୍କୋରୁ ସ୍ବୀକୃତି ପାଇଛି । ଏବେ ପ୍ରତ୍ୟେକ ପଞ୍ଚାୟତ ସହ ୨୩ ହଜାର ଗାଁ ବିପର୍ଯ୍ୟୟ ମୁକାବିଲା ପାଇଁ ତାଲିମପ୍ରାପ୍ତ । ୩୨ଟି ଆବଶ୍ୟକ ଉପକରଣ ସହ ୧ ହଜାର ଥଇଥାନ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ କର୍ମଚାରୀ, ନିର୍ବାଚିତ ପ୍ରତିନିଧି ସମସ୍ତେ ଏବେ ତାଲିମପ୍ରାପ୍ତ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହ ସ୍ଥାନୀୟ ଲୋକଙ୍କ ଭାଗିଦାରୀରେ ପ୍ରସ୍ତୁତ ହୋଇଛି ବିପର୍ଯ୍ୟୟ ମୁକାବିଲାର ବ୍ଲୁ ପ୍ରିଣ୍ଟ । ୨୦୧୯ରେ ଆସିଥିବା ଫନି ବାତ୍ୟାରେ ୨୪ ଘଣ୍ଟା ମଧ୍ୟରେ ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର କରି ରେକର୍ଡ କରିଛି ଓଡ଼ିଶା ।