ମାଓବାଦୀଙ୍କୁ ଚରମ ଚେତାବନୀ: ସୁଧୁରି ଯାଅ ନହେଲେ ପୋଲିସ ଦେଖାଇବ ଅସଲ ରୂପ
1 min readଭୁବନେଶ୍ବର: ମାଓବାଦୀଙ୍କ ଚଳିବନି ଜଙ୍ଗଲରାଜ । କଡା ଜବାବ ପାଇବେ ମାଓବାଦୀ । ହାର୍ଡକୋର ମାଓବାଦୀଙ୍କୁ ଏମିତି କିଛି ଚେତାବନୀ ଦେଇଛନ୍ତି ଡିଜିପି । କହିଛନ୍ତି, ସୁଧୁରି ଯାଅ ନହେଲେ ପୋଲିସ ଦେଖାଇବ ଅସଲ ରୂପ । ମାଓବାଦୀରୁ ମିଲିସିଆ ସମସ୍ତଙ୍କ ପାଇଁ ଜାରି ହୋଇଛି ସତର୍କ ଘଣ୍ଟି । ମାଲକାନଗିରି ଜଙ୍ଗଲରେ ଗୁଳି ବିନିମୟରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ୨ ଜଣ ଖସି ପଳାଇଛନ୍ତି । ଫେରାର ମାଓବାଦୀଙ୍କୁ ଠାବ କରିବାକୁ ଜଙ୍ଗଲରେ ଆରମ୍ଭ ହୋଇଛି UAV ଅପରେସନ ।
ଗୁରୁବାର ଭୋର ପ୍ରାୟ ୪ଟା । ମାଲକାନଗିରି ଏମଭି ୭୯ ଥାନା ଅଞ୍ଚଳରେ ମାଓବାଦୀ ଥିବା ନେଇ ଓଡ଼ିଶା ପୋଲିସ ନିକଟରେ ପହଞ୍ଚିଲା ଖବର । ତା’ପରେ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ । ଏସଓଜି ଓ ଡିଭିଏଫ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ହଠାତ ପୋଲିସ ଟିମ ଉପରେ ମାଓବାଦୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଅତର୍କିତ ଗୁଳିମାଡ଼ । ଆଉ ଗୁଳିର ଜବା ଗୁଳିରେ ଦେଇଥିଲେ ଯବାନ । ପାଲଟା ଗୁଳିମାଡରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଖସି ପଳାଇବାକୁ ସକ୍ଷମ ହୋଇଥିଲେ । ଫେରାର ମାଓବାଦୀଙ୍କୁ ଧରିବା ପାଇଁ ମେଟାଗୁଡ଼ା ଓ କାଟାନପାଲି ଜଙ୍ଗଲରେ ଆରମ୍ଭ ହୋଇଛି UAV ଅପରେସନ । ସେପଟେ ଦୁର୍ଭାଗ୍ୟବଶତଃ ଗୁଳିମାଡରେ ଗୁରୁତର ଆହତ ହୋଇଥିଲେ ଯବାନ ଡମ୍ବରୁ ବଡ଼ନାୟକ । ତାଙ୍କୁ ଚିକିତ୍ସା ପାଇଁ ମାଲକାନଗିରି ଜିଲ୍ଲା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୩ଟି ସ୍ଥାନରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ରାଜ୍ୟରେ ହିଂସାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଡିଜିପି ଓ୍ବାଇ.ବି. ଖୁରାନିଆ ।
ସରକାରଙ୍କ ଆତ୍ମସମର୍ପଣ ଓ ପୁର୍ନବାସ ଯୋଜନା ମୁତାବକ ମୁଖ୍ୟସ୍ରୋତକୁ ଫେରିଥିବା ସମସ୍ତ ମାଓବାଦୀଙ୍କୁ ସହାୟତା ପ୍ରଦାନ କରାଯାଉଛି । ଯୋଜନା ଅନୁସାରେ, ୩୫ ହଜାର ଟଙ୍କା, ୪ ଡିସିମିଲ୍ ଜାଗା କିଣିବାକୁ ୨୫ ହଜାର, ଘର ତିଆରି କରିବାକୁ ୪୫ ହଜାର ଟଙ୍କା, ପାଠପଢ଼ା ବାବଦକୁ ୩ ହଜାର ଟଙ୍କା ପ୍ରଦାନ କରାଯାଉଛି । ଗିଗତ ବର୍ଷରେ ୨୨୪ ମାଓବାଦୀଙ୍କୁ ଥଇଥାନ କରିବାରେ ରାଜ୍ୟ ସରକାର ୬ କୋଟି ୭୩ ଲକ୍ଷ ୬ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ଏଣୁ ନିଜର ଦାବି ପୂରଣ ପାଇଁ ଅନ୍ୟାୟ ବାଟରେ ନିରୀହଙ୍କ ଜୀବନ ନେବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଡିଜିପି । ଗୁରୁପ୍ରିୟା ସେତୁ ହେବା ପରେ ବିଚ୍ଛିନ୍ନାଞ୍ଚଳରେ ନିଷ୍ପେସିତ ଭାବେ ବଞ୍ଚୁଥିବା ଲୋକଙ୍କ ସ୍ୱାଭିମାନ ଫେରିଛି । ତେଣୁ ଅସ୍ତ୍ରଶସ୍ତ୍ର ଛାଡି ଶାନ୍ତିରେ ବଞ୍ଚିବାକୁ ମାଓବାଦୀଙ୍କୁ ଆହ୍ଵାନ ଦେଇଛନ୍ତି ପୋଲିସ ଡିଜି ।
ଆସନ୍ତା ୨୯ରେ ଓଡ଼ିଶାରେ ଡିଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଯୋଗଦେବେ । ୩ରେ ଓଡିଶାକୁ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ରହିଛି । ଏହାପୂର୍ବରୁ ମାଓବାଦୀ କାର୍ଯ୍ୟକଳାପରେ ରୋକ ଲଗାଇବା ଓଡ଼ିଶା ପୋଲିସ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ ।