ବଜେଟ୍ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ପରଖିଲେ ପୋଲିସ ଡିଜି

ଭୁବନେଶ୍ୱର: ଆସନ୍ତା ୨୫ରୁ ବିଧାନସଭାର ବଜେଟ ଅଧିବେଶନ । ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ । ବିଧାନସଭା ବାହାର ଓ ଭିତର ବୁଲି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ଡିଜିପି । ସବୁ ଅଧିବେଶନ ଭଳି ଏଥର ମଧ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଡିସିପିଙ୍କ ନେତୃତ୍ୱରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ । ୬ ଜଣ ଅତିରିକ୍ତ ଡିସିପି, ୧୧ ଜଣ ଏସପି, ୧୩ ଜଣ ଇନ୍ସପେକ୍ଟର ଏବଂ ୬୨ ଜଣ ଅଫିସର ସୁରକ୍ଷା ଦାୟିତ୍ୱରେ ରହିବେ ।
ହଠାତ୍ କୌଣସି ଅଘଟଣ ପାଇଁ ୨ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ ମୁତୟନ ରହିବେ । ପ୍ରଥମ ଦିନରେ ରାଜ୍ୟପାଳ ବିଧାନସଭା ଆସିବାକୁ ଥିବାରୁ ତାଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଲି, ଧାରଣା ଏବଂ ବିକ୍ଷୋଭ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇଛି । କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତି ନିଜ ଆଇଡି ଦେଖାଇ ଯାଇପାରିବେ । ଟ୍ରାଫିକ୍ ମ୍ୟାନେଜମେଣ୍ଟ ପାଇଁ ଡିସିପି ଟ୍ରାଫିକଙ୍କୁ ଦାୟିତ୍ୱ ଦିଆଯାଇଛି ।