ରାଜ୍ୟମାନଙ୍କ ସହ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଆଲୋଚନା: ବାତ୍ୟା ନିରୋଧୀ ଭିତ୍ତିଭୂମି ନିର୍ମାଣ ପାଇଁ ଓଡ଼ିଶା ଦାବି କଲା ୫ହଜାର କୋଟି

ଭୁବନେଶ୍ୱର: ଓଡ଼ିଶା ପ୍ରତିବର୍ଷ ଏକାଧିକ ଥର ବନ୍ୟା, ବାତ୍ୟା ପରି ପ୍ରାକୃତିକ ଦୁର୍ବିପାକର ସାମନା କରିଆସୁଛି । ବିଶେଷକରି ଦୁର୍ବିପାକ ସମୟରେ ବିଦ୍ୟୁତ ଭିତ୍ତିଭୂମି ଅଧିକ ମାତ୍ରାରେ ନଷ୍ଟ ହେଉଛି । ବିପର୍ଯ୍ୟୟରେ କିପରି ବିଦ୍ୟୁତ ଭିତ୍ତିଭୂମି ନଷ୍ଟ ନ ହେବ ସେଥିପାଇଁ ଆର୍ଥିକ ସହାୟତା ଦେବାକୁ କେନ୍ଦ୍ର ଆଗରେ ଦାବି ରଖିଛି ଓଡ଼ିଶା । କରୋନା ପରବର୍ତ୍ତୀ ରାଜ୍ୟର ଆର୍ଥିକ ସ୍ଥିତି ସଜାଡ଼ିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସବୁ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍‌ସିଂ ଜରିଆରେ ଆଲୋଚନା କରିଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବାତ୍ୟା ନିରୋଧୀ ବିଦ୍ୟୁତ ଭିତ୍ତିଭୂମି ନିର୍ମାଣ ପାଇଁ କେନ୍ଦ୍ର ପାଣ୍ଠି ଯୋଗାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ।

ଏଥିପାଇଁ ନାବାର୍ଡ଼ ଜରିଆରେ ରାଜ୍ୟକୁ ୫ ହଜାର କୋଟି ଟଙ୍କା ଯୋଗାଇବାକୁ ସେ ଦାବି ରଖିଛନ୍ତି । ଏହାସହିତ ରାଜ୍ୟର ସମସ୍ତ ବନ୍ଦରକୁ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ପାଇଁ ଆର୍ଥିକ ଅନୁଦାନ ଦେବାକୁ ଦାବି କରିଛନ୍ତି । ସେହିପରି ରାଜ୍ୟରେ ଟେକ୍‌ସଟାଇଲ୍‌ ପାର୍କ ପ୍ରତିଷ୍ଠା ଓ ବ୍ୟାଙ୍କିଂ ସୁବିଧା ପହଞ୍ଚିନଥିବା ଅଞ୍ଚଳରେ ତୁରନ୍ତ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ଖୋଲିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଜଣାଇଛନ୍ତି । ଆଜିର ବୈଠକରେ ଘରୋଇ ପୁଞ୍ଜି ନିବେଶକୁ ଆକର୍ଷିତ କରିବା ମୁଖ୍ୟ ପ୍ରସଙ୍ଗ ଥିଲା । ଏଥିସହ ଅର୍ଥନୈତିକ ଅଭିବୃଦ୍ଧି ଓ ଅନୁକୂଳ ପୁଞ୍ଜି ନିବେଶ ପାଇଁ କିଭଳି ବାତାବରଣ ସୃଷ୍ଟି ହୋଇପାରିବ ତାହା ଉପରେ ଆଲୋଚନା ହୋଇଛି । ନିବେଶକମାନଙ୍କୁ ଅଧିକରୁ ଅଧିକ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯିବ । ବ୍ୟବସାୟ କ୍ଷେତ୍ରରେ ସରଳିକରଣ ଓ ସଂସ୍କାର ଆଣିବା ଉପରେ ମଧ୍ୟ ଆଲୋଚନା ହୋଇଛି ।

Leave a Reply