spot_img

Latest Posts

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ନେଇ ରାଜ୍ୟର ଦାବିକୁ କେନ୍ଦ୍ରର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଓଡିଶୀ ସଙ୍ଗୀତକୁ ମିଳିବନି ଶାସ୍ତ୍ରୀୟ ମାନ୍ୟତା । ଓଡ଼ିଶାର ଦାବିକୁ ପୁଣି ଥରେ ପ୍ରତ୍ୟାଖାନ କରିଛି କେନ୍ଦ୍ର। ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ନେଇ ଲୋକସଭାରେ ଅଣତାରକା ପ୍ରଶ୍ନ ପଚାରିଥିଲେ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ । ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କିଷନ ରେଡ୍ଡୀ କହିଛନ୍ତି କୌଣସି ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା କେନ୍ଦ୍ର ସରକାର ଦିଅନ୍ତି ନାହିଁ। ଯଦି ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଏ ତେବେ ଏହା ଦ୍ବାରା ଓଡ଼ିଶୀ ସଙ୍ଗୀତ ଜନପ୍ରିୟ ହୋଇପାରିବ ବୋଲି କହିଥିଲେ ସାଂସଦ ଅଚ୍ୟୁତ ସାମନ୍ତ ।

ସୂଚନା ଯୋଗ୍ୟ ଯେ, ଓଡ଼ିଶାର ଅସ୍ମିତା ନେଇ ରାଜ୍ୟର ବିଭିନ୍ନ ଦାବିକୁ କେନ୍ଦ୍ରର ସରକାର ପୂର୍ବରୁ ମଧ୍ୟ ଅଗ୍ରାହ୍ୟ କରିଛନ୍ତି । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ନେଇ ଓଡ଼ିଶାର ଦାବି କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି । ଯାହାର ଦୃଢ଼ ପ୍ରତିବାଦ କରିଛି ବିଜୁ ଜନତା ଦଳ । ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଭେଟି ଏ ସଂକ୍ରାନ୍ତିୟ ଦାବି ରଖିଛନ୍ତି । ଏହି ମର୍ମରେ ଏକ ସ୍ମାରକପତ୍ର ମଧ୍ୟ ଦେଇଛନ୍ତି ।

ବିଜେଡି ସାଂସଦମାନେ ସ୍ମାରକପତ୍ରରେ ଦର୍ଶାଇଛନ୍ତି, ୧୮୧୭ ମସିହାରେ ପାଇକମାନେ ବ୍ରିଟିଶ ସରକାର ବିରୋଧରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ସଂଗଠିତ ହୋଇ ବିଦ୍ରୋହ କରିଥିଲେ । ୧୮୫୭ ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ଏ ଲଢ଼େଇ ହୋଇଥିଲା । ଏ ସଂଗ୍ରାମ ବ୍ରିଟିଶ ସରକାରଙ୍କ ବିରୋଧରେ ବିଦ୍ରୋହର ନିଆଁକୁ ଆହୁରି ତେଜିଥିଲା । ୨୦୧୭, ଜୁଲାଇ ୧୮ରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଲା । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିବା ସହ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ଅନୁରୋଧ କରିଥିଲେ । ଓଡ଼ିଆ ସ୍ବାଭିମାନ, ଅସ୍ମିତା ଓ ବୀରତ୍ବର ସମ୍ମାନ ପାଇଁ ସାରା ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କ ଏ ପ୍ରସ୍ତାବକୁ ହୃଦୟରୁ ସମର୍ଥନ କରିଥିଲେ । ସେଇବର୍ଷ ଜୁଲାଇ ୨୦ରେ ପାଇକ ବିଦ୍ରୋହର ଦ୍ବିଶତବାର୍ଷିକୀ ଉତ୍ସବ ନୂଆଦିଲ୍ଲୀରେ ପାଳିତ ହୋଇଥିଲା । ଏହାକୁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦଘାଟନ କରିଥିଲେ । ଏହି ସଭାରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଏ ଦାବିକୁ ଦୋହରାଇ ଥିଲେ ।

୨୦୧୭ ଅକ୍ଟୋବର ୨୩ରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର ଭୁବନେଶ୍ବରରେ ଏକ ପ୍ରେସ ମିଟରେ ଘୋଷଣା କଲେ, ଇତିହାସ ବହିରେ ପାଇକ ବିଦ୍ରୋହକୁ ସ୍ବତନ୍ତ୍ର ସ୍ଥାନ ମିଳିବ । ଓଡ଼ିଶାବାସୀ ଆଶା କରିଥିଲେ, କେନ୍ଦ୍ର ପାଇକ ବିଦ୍ରୋହକୁ ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବ । ମାତ୍ର ବିଡମ୍ବନା ଏବେ କେନ୍ଦ୍ର ରାଜ୍ୟର ଏହି ଦାବିକୁ ଗୋଡରେ ଏଡ଼ାଇ ଦେଇଛି । ଏହା ରାଜ୍ୟବାସୀଙ୍କୁ ଆଘାତ ଦେଇଛି । ଓଡ଼ିଶା ଅସ୍ମିତା, ଇତିହାସ, ପରମ୍ପରା ଓ ସାଢ଼େ ୪ କୋଟି ଓଡ଼ିଆଙ୍କ ପ୍ରତି ଏହା ଅପମାନ । କେନ୍ଦ୍ର ସରକାର ତୁରନ୍ତ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ବିଜେଡି ସାଂସଦମାନେ ମେଘୱାଲଙ୍କ ନିକଟରେ ଦାବି ରଖିଛନ୍ତି ।

ଏଥିସହିତ ପଢ଼ନ୍ତୁ: ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଘୋଷଣା କର

Latest Posts

Don't Miss