ଆଜି ଦୁବାଇରେ ପାଳିତ ହେବ ଓଡ଼ିଶା ଦିବସ, ସନ୍ଧ୍ୟାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଦୁବାଇ: ଆଜି ଦୁବାଇରେ ପାଳିତ ହେବ ଓଡ଼ିଶା ଦିବସ । ଓଡ଼ିଶାରୁ ଦୁବାଇକୁ ସିଧାସଳଖ ବିମାନ ସେବା ଶୁଭାରମ୍ଭ ଅବସରରେ ଏହି ଉତ୍ସବ ପାଳନ କରାଯିବ । ଓଡ଼ିଶା ସରକାର ଓ ଦୁବାଇରେ ଅବସ୍ଥାପିତ ଭାରତୀୟ ଦୁତାବାସର ମିଳିତ ଉଦ୍ୟମରେ ଆୟୋଜିତ ହେଉଛି ଉତ୍ସବ । ସନ୍ଧ୍ୟାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ବ୍ୟକ୍ତିବିଶେଷ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଗତକାଲି ଭୁବନେଶ୍ବରରୁ ଦୁବାଇକୁ ସିଧା ବିମାନସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସାମଗ୍ରିକ ଅଭିବୃଦ୍ଧି ପାଇଁ ଆନ୍ତର୍ଜାତିକ ସଂଯୋଗୀକରଣ ଗୁରୁତ୍ବପୂର୍ଣ୍ଣ । ଶିଳ୍ପର ବିକାଶ ହେଉ କି ନିବେଶ, ପର୍ଯ୍ୟଟନକୁ ପ୍ରୋତ୍ସାହନ କିମ୍ବା ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଯୋଗାଯୋଗ ଆନ୍ତର୍ଜାତିକ ସଂଯୋଗୀକରଣ ଆବଶ୍ୟକ।

ୟୁରୋପ ଓ ଆମେରିକା ବଜାର ପାଇଁ ଦୁବାଇ ହେଉଛି ମଧ୍ୟପ୍ରାଚ୍ୟର ଗେଟ୍ ଓ୍ବେ। ଆନ୍ତର୍ଜାତିକ ସଂଯୋଗୀକରଣ ଦିଗରେ ଓଡ଼ିଶା ଲେଖିଛି ନୂଆ ଅଧ୍ୟାୟ। ପ୍ରଥମ ଦିନରେ ୧୭୦ ଜଣ ଯାତ୍ରୀ ଦୁବାଇ ଯାତ୍ରା କରିଥିବାବେଳେ ଦୁବାଇରୁ ମଧ୍ୟ ୧୭୦ ଜଣ ଯାତ୍ରୀ ଓଡ଼ିଶା ଆସିଥିଲେ । ଯାତ୍ରୀଙ୍କ ଭିତରେ ରହିଛନ୍ତି ମିଶନ ଶକ୍ତି ସଦସ୍ୟ, କ୍ରୀଡ଼ାବିତ ପ୍ରମୁଖ । ଏୟାରକ୍ରାଫ୍ଟ କ୍ରିୟୁଙ୍କ ସହ ମୋଟ୍ ୧୭୦ ଜଣ ଭୁବନେଶ୍ୱରରୁ ଦୁବାଇ ଯାଇଛନ୍ତି ।