ମନ୍ଦିର ପାଇଁ ଚାନ୍ଦା ଦେଲେନି, ଯୁବକଙ୍କୁ ଛେପରେ ନାକ ରଗଡ଼ାଇଲେ ସରପଞ୍ଚ

ଭୁବନେଶ୍ୱର: ଚାନ୍ଦା ନଦେବା ପଡ଼ିଲା ମହଙ୍ଗା । ଦଳିତ ଯୁବକ ପୂଜା ପାଇଁ ୫ ଶହ ଟଙ୍କା ଚାନ୍ଦା ଦେବାକୁ  ମନା କରିବାରୁ ସସମ୍ତଙ୍କ ସାମ୍ନାରେ ଛେପରେ ନାକ ରଗଡ଼ିବାକୁ ବାଧ୍ୟ କରାଗଲା । ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାର ତିଖୋରୀ ଗାଁ’ର । ବେରୋଜଗାର ଥିବାରୁ ଅର୍ଥ ଅଭାବର ଏହା ହେଉଛି ଏକ କରୁଣ ପରିଣତି । ତେବେ ଘଟଣାକୁ ନେଇ ସରପଞ୍ଚଙ୍କ ବିରୋଧରେ ଏତଲା ଦେଇଛନ୍ତି ଯୁବକ ।

ଗାଁ’ର ସରପଞ୍ଚ ଚମେଲି ଓଝା ମନ୍ଦିର ପାଇଁ ଚାନ୍ଦା ମାଗିବାକୁ ଯୁବକଙ୍କ ଘରକୁ ଯାଇଥିଲେ । ପୂର୍ବରୁ ମୂର୍ତ୍ତି ପାଇଁ ଦାନ କରି ଦେଇଥିବାରୁ ଯୁବକ କହିଲେ ଆଉ ଚାନ୍ଦା ଦେଇପାରିବେ ନାହିଁ । ଏହାପରେ ଯୁବକ ଏବଂ ସରପଞ୍ଚଙ୍କ ସହିତ ଆସିଥିବା ଗାଁ ଲୋକଙ୍କ ମଧ୍ୟରେ ଆରମ୍ଭ ହୋଇଗଲା ଯୁକ୍ତିତର୍କ । ସରପଞ୍ଚ ଯୁବକ ଏବଂ ତାଙ୍କ ପତ୍ନୀଙ୍କୁ ଗାଳି ଦେଇଥିବା ମଧ୍ୟ କୁହାଯାଉଛି । ଏହା ଠିକ୍‌ ପରଦିନ କଙ୍ଗାରୁ କୋର୍ଟ ଆୟୋଜନ କଲେ ସରପଞ୍ଚ । ସେଠାକୁ ଯୁବକଙ୍କୁ ଡକାଗଲା । ଛେପରେ ନାକ ରଗଡ଼ିବାକୁ ଯୁବକଙ୍କୁ କୁହାଗଲା । ବିକଳ୍ପ ନଥିବାରୁ ଯୁବକ ଜଣକ ମାନିଗଲେ । ଘଟଣା ଯଦିଓ ଶନିବାର ଘଟିଥିଲା, କିନ୍ତୁ ମଙ୍ଗଳବାର ପୁଲିସ୍‌ ସରପଞ୍ଚ ଏବଂ କିଛି ଗାଁ ଲୋକଙ୍କ ନାଁ’ରେ ଏତଲା ରୁଜୁ କରିଛି । ତେବେ ଘଟଣାର ତଦନ୍ତ ଜାରି ରହିଥିବା କହିଛି ପୁଲିସ୍‌ ।