ଆସୁଛି ବାତ୍ୟା ! ୫ରେ ଦାନା ବାନ୍ଧିବ ଲଘୁଚାପ

1 min read
Odisha Cyclone Alert Bay Of Bengal

ଭୁବନେଶ୍ୱର: ମେ’ ମାସରେ ବଦଳିବ ପାଣିପାଗର ମିଜାଜ୍ । ତାତିରୁ ମିଳିବ ତ୍ରାହି । କାଳବୈଶାଖୀ ଏବଂ ଲଘୁଚାପ ପ୍ରଭାବରେ ହେବ ଅଧିକ ବର୍ଷା । ଆସନ୍ତା ମେ ୬ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେବା ସ୍ପଷ୍ଟ ହୋଇଛି । କାରଣ ମେ ମାସରେ ଲଘୁଚାପ ସୃଷ୍ଟି ହେଲେ ତାହା ଅଧିକ ଘନୀଭୁତ ହେବା ସହ ଅଧିକ ତୀବ୍ର ହୁଏ । ଲଘୁଚାପ ପରେ ବାତ୍ୟାର ସ୍ଥିତି ଏବଂ ଲ୍ୟାଣ୍ଡଫଲ ନେଇ ସ୍ପଷ୍ଟ ହେବ । ସେପଟେ ଆସନ୍ତାକାଲିଠାରୁ ତାତିରେ ସାମାନ୍ୟ ବ୍ରେକ୍ ଲାଗି । ଉପକୂଳ ଓଡ଼ିଶାରେ ୨ ଡିଗ୍ରୀ ତାପମାତ୍ରା କମିଲେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାରେ ସାମାନ୍ୟ ତାତି ରହିବ ।

Odisha Cyclone Alert Bay Of Bengal

ଆସୁଛି ବାତ୍ୟା । ମେ ୫ରେ ଦାନା ବାନ୍ଧିବ ଲଘୁଚାପ । ୭ରେ ନେବ ବାତ୍ୟାର ରୂପ । ୧୦ରେ ଲ୍ୟାଣ୍ଡଫଲ୍ । ଫନି ଠାରୁ କମ୍, ୟାଶ୍ ଠାରୁ ଅଧିକ ରହିବ ପ୍ରଭାବ । ଆନ୍ଧ୍ର- ଓଡ଼ିଶା-ପଶ୍ଚିମବଙ୍ଗର ଯେ କୌଣସି ସ୍ଥାନରେ ଛୁଇଁପାରେ ସ୍ଥଳଭାଗ । ବାତ୍ୟା ଉପରେ ଭାରତୀୟ ପାଣିପାଗ ବିଭାଗର ସ୍ୱତନ୍ତ୍ର ନଜର ରହିଛି । ମେ ୬ରେ ଦକ୍ଷିଣ ଆଣ୍ଡାମାନ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେବାର ଅଧିକ ଆଶଙ୍କା ରହିଛି । ଏନେଇ ବିଭିନ୍ନ ମଡେଲ ଆକଳନ କରୁଥିବା ବେଳେ ମେ ମାସରେ ସୃଷ୍ଟି ହେଉଥିବା ଲଘୁଚାପ ଅଧିକ ତୀବ୍ର ହେବ । ଲଘୁଚାପ ଏବଂ କାଳବୈଶାଖୀ ପ୍ରଭାବରେ ମେ ମାସରେ ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଆଇଏମଡି ଡିଜି କହିଛନ୍ତି ।

ବାତ୍ୟା ନିଶ୍ଚିତ ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଆସନ୍ତା ୪ରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ । ପରେ ଆହୁରି ଅଧିକ ଘନୀଭୂତ ହୋଇ ଅବପାତ, ଗଭୀର ଅବପାତ ଏବଂ ୧୦ ଭିତରେ ବାତ୍ୟାର ରୂପ ନେବ । ଏହି ବାତ୍ୟା ଆନ୍ଧ୍ରର ମଛଲିପଟ୍ଟନମରୁ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ ହେବାର ଆଶଙ୍କା ରହିଛି । ବାତ୍ୟା ସମୟରେ ଘଣ୍ଟାପ୍ରତି ସର୍ବାଧିକ ଶହେ କିଲୋମିଟର ବେଗରେ ପବନ ସାଙ୍ଗକୁ ୬୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ପାଣିପାଗ ବିଜ୍ଞାନୀଙ୍କ କହିବା କଥା ବାତ୍ୟା ସୃଷ୍ଟି ନେଇ ଏବେ ପାଗ ଅନୁକୁଳ ରହିଛି । ସମୁଦ୍ରର ତାପମାନ ସହ ବାୟୁମଣ୍ଡଳରେ ଆଦ୍ରତା ରହିଛି । କିନ୍ତୁ ଲଘୁଚାପ ପରେ ହିଁ ଚିତ୍ର ସ୍ପଷ୍ଟ ହେବ ।