ଫ୍ରିଜ୍‌ ଭିତରେ ମୋବାଇଲ, ବାହାରେ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ

1 min read
Odisha Crime News, manab premi Aditya Das's Case, His Mobile Found From Fridge

ଭୁବନେଶ୍ୱର: ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ । କିଏ କହୁଛି ଆତ୍ମହତ୍ୟା ତ କିଏ କହୁଛି ଯୋଜନାବଦ୍ଧ ହତ୍ୟାକାଣ୍ଡ । ଧିରେ ଧିରେ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଆହୁରି ଘନୀଭୂତ ହେଉଛି । କାରଣ ମିଳିଥିବା ସୂଚନା ଅନୁଯାୟୀ ଆଦିତ୍ୟଙ୍କ ମୋବାଇଲ ଫୋନ୍‌ ବାହାରିଲା ଫ୍ରିଜ୍ ଭିତରୁ । ଫ୍ରିଜ୍‌ ଭିତରେ କିଏ ରଖିଥିଲା ମୋବାଇଲ୍‌ ? ସେ କ’ଣ ନିଜେ ସେଠାରେ ରଖିଥିଲେ ? ନା ଆଉ କେହି ରଖିଥିଲେ ? ଖାଲି ମୋବାଇଲ ନୁହେଁ ଫ୍ରିଜ୍‌ ଭିତରୁ ତାଙ୍କ ଚାବି ମଧ୍ୟ ଜବତ ହୋଇଛି ।

ଅନ୍ୟକୁ ପ୍ରେରଣା, ପ୍ରୋତ୍ସାହିତ କରିବାରେ ଆଦିତ୍ୟ ଥିଲେ ମାହିର୍ । ସୋସିଆଲ୍ ମିଡିଆରେ ଯାହାଙ୍କ ଭିଡିଓକୁ ଦେଖି ଅନୁପ୍ରାଣିତ ହେଉଥିଲେ ଅନେକ । ମଣିଷର ମନ କଥା ବୁଝୁଥିବା ମଣିଷ ଟିଏ ଆଦିତ୍ୟ ଦାଶ । ସ୍ୱେଚ୍ଛାସେବୀ ସଂଗଠନ ‘ପିପୁଲ୍ ଫର୍ ସେବା’ ଗଠନ କରି ଅସହାୟଙ୍କ ନିକଟରେ ଅସମୟରେ ଛିଡ଼ା ହେଉଥିଲେ ସେ ।

Aditya Dash  ହେଲେ ଏଭଳି ଜଣେ ମଣିଷ ହଠାତ୍‌ ଆତ୍ମହତ୍ୟା କରିଥିବା ନେଇ ଖବର ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଚକିତ କରିଛି । ସବୁଠାରୁ ବଡ଼ କଥା ହେଲା ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ କଡ଼ରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଖବର ପାଇ ରେଲ୍‌ଓ୍ୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ସୋମବାର ରାତିରୁ ଆଦିତ୍ୟ ଘରୁ ଚାଲିଯାଇଥିଲେ । ତାଙ୍କର କୌଣସି ଖୋଜଖବର ନଥିଲା । ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହେବା ପରେ ପ୍ରଶ୍ନ ଉଠିଥିଲା ଏହା ହତ୍ୟା ନା ଆତ୍ମହତ୍ୟା ?

ସୂଚନା ଅନୁଯାୟୀ ଜୁନ୍‌ ୯ ତାରିଖରେ କଟକ ଖପୁରିଆରେ ତାଙ୍କର ବିବାହ ହୋଇଥିଲା । ସେ ପ୍ରେମ ବିବାହ କରିଥିଲେ । ବିବାହର ମାସେ ନପୂରୁଣୁ କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ସେନେଇ ସସ୍‌ପେନ୍‌ସ ଜାରି ରହିଛି । ସୋମବାର ସନ୍ଧ୍ୟାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଆଦିତ୍ୟ ଘରୁ ବାହାରି ଆସିଥିଲେ । ହେଲେ ଆଉ ଫେରି ନଥିଲେ । ମଙ୍ଗଳବାର ସକାଳୁ ତାଙ୍କ ମୃତଦେହ ମିଳିଥିଲା ରେଳଲାଇନ୍‌ କଡ଼ରୁ । ଆଦିତ୍ୟଙ୍କ ମୁଣ୍ଡରେ ଲାଗିଥିଲା ଗଭୀର ଆଘାତ । ମୃତଦେହକୁ ଉଦ୍ଧାର କରିବା ପରେ ଜିଆର୍‌ପି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

https://www.facebook.com/adishreeproduction/videos/741210786709769/

ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ଆଦିତ୍ୟ ଏବଂ ବିଦ୍ୟାଶ୍ରୀ ଏକ ଭିଡିଓ ସୁଟ୍ କରିଥିଲେ । ଆଉ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ l ହଠାତ୍‌ ସୋମବାର ଠାରୁ ଆଦିତ୍ୟ ବିଦ୍ୟାଶ୍ରୀଙ୍କ ଉପରେ ଚିଡିଚିଡ୍ ହେଉଥିଲେ l କିଛି ସମୟ ଧରି ଉଭୟଙ୍କ ସମ୍ପର୍କରେ ତିକ୍ତତା ଦେଖା ଦେଇଥିଲା ବୋଲି କହିଛନ୍ତି ବିଦ୍ୟାଶ୍ରୀ ।

Aditya Dash

ରାତି ୮ଟା ବେଳେ ବାହାରୁ ବୁଲି ଆସୁଛି କହି ଆଦିତ୍ୟ ଚାଲିଯାଇଥିଲେ l ହେଲେ ରାତିରେ ଆଉ ଫେରି ନ ନଥିଲେ l ଫ୍ରିଜ୍ ଭିତରୁ ମୋବଇଲ ଓ ଘର ଚାବି ମିଳିଥିଲା । ରାତି ୧୧ଟା ପର୍ଯ୍ୟନ୍ତ ନ ଫେରିବାରୁ ବିଦ୍ୟାଶ୍ରୀ ଖୋଜାଖୋଜି କରିଥିଲେ l ସକାଳୁ ଖୋଜାଖୋଜି କରିବା ପରେ ଟ୍ରେନ୍ ଟ୍ରାକରୁ ତାଙ୍କର ମୃତଦେହ ଠାବ ହୋଇଥିଲା । ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ତାଙ୍କ ପତ୍ନୀ କହିଛନ୍ତି ।

ଆଦିତ୍ୟଙ୍କ ମୃତ୍ୟୁ ଛାଡ଼ି ଯାଇଛି ଅନେକ ପ୍ରଶ୍ନ l ଲୋକଙ୍କୁ ପ୍ରେରଣା ବାଣ୍ଟୁଥିବା ଆଦିତ୍ୟ କାହିଁକି ରାତିରେ ଘର ଛାଡି ଚାଲିଯାଇଥିଲେ ? ଟ୍ରେନ୍ ଟ୍ରାକ୍‌ରେ ମୃତଦେହ ମିଳିଥିବା ବେଳେ ଖଣ୍ଡବିଖଣ୍ଡିତ ହୋଇନଥିବାରୁ ସନ୍ଦେହ ବଢିବାରେ ଲାଗିଛି । ଲୁଟ୍‌ ଉଦେଶ୍ୟରେ ତାଙ୍କୁ ହତ୍ୟା କରାଯାଇଛି କି ? ନିଶା ବିରୋଧୀ ସଂଗଠନ ଓ ବୃଦ୍ଧାଶ୍ରମ ଖୋଲିଥିବାରୁ ଥିଲା କି ଶତ୍ରୁତା ?

ଏଣେ ତାଙ୍କ ମୃତ୍ୟୁ ପରଠାରୁ ତାଙ୍କ ଫେସବୁକ ପେଜରେ  ପ୍ରଶଂସକ ପକ୍ଷରୁ ଶୋକବ୍ୟକ୍ତ କରାଯାଉଛି । ଆଦିତ୍ୟଙ୍କ ଏମିତି ମୃତ୍ୟୁକୁ ଅନେକ ବିଶ୍ୱାସ କରି ପାରୁନାହାନ୍ତି । ତାଙ୍କ ମୃତ୍ୟୁକୁ ନେଇ ସମବେଦନା ସହ ସନ୍ଦେହ ପ୍ରକଟ କରୁଛନ୍ତି ପ୍ରଶଂସକ ।

https://www.youtube.com/watch?v=PulOYAMIqH0

( ଭୁବନେଶ୍ୱରରୁ  ଅରୁଣ ସାହୁଙ୍କ ରିପୋର୍ଟ୍)

Leave a Reply