ସଫଳତାର ପଥେ ପଥେ….. ଓଡ଼ିଆ ଦମ୍ପତି

1 min read

ଭୁବନେଶ୍ୱର: ପୁରୀର ଉମାକାନ୍ତ ସାହୁ ଓ ସୁଜାତା ରାୟ । ବହୁ ସମାଲୋଚନାର ଶିକାର ଏହି ପତି-ପତ୍ନୀ ଆଜି ସେଲିବ୍ରେଟୀ । ପୁରୀ ତଥା ରାଜ୍ୟ ପାଇଁ ଆଣିଦେଇଛନ୍ତି ଗୌରବ । ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟର ଚଳିତ ସିଜିନ୍‌ରେ ସେମିଫାଇନାଲକୁ ଉନ୍ନିତ ହୋଇ ଦେଖାଇଛନ୍ତି ନିଜର ପ୍ରତିଭା । ମନରେ ଅସରନ୍ତି ସ୍ୱପ୍ନ ଆଉ କିଛି କରି ଦେଖାଇବାର ଆଗ୍ରହ ସେମାନଙ୍କୁ ଆଜି ଏହି ସ୍ତରରେ ପହଞ୍ଚାଇଛି । ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟର ଟାଇଟଲ୍‌ ଜିତିପାରିନଥିଲେ ବି ନିଜ କଳା ବଳରେ ଅଗଣିତ ଦର୍ଶକଙ୍କ ମନ ଜିଣିପାରିଥିଲେ  । ଆସନ୍ତୁ ଜାଣିବା ସେମାନଙ୍କ ସଫଳତାର ରହସ୍ୟ ଆଉ ଜୟଯାତ୍ରା ସମ୍ପର୍କରେ ।

ପୁରୀର ମୂଳ ବାସିନ୍ଦା ଉମାକାନ୍ତଙ୍କ ପିଲା ବେଳୁ କିଛି କରିବାର ପ୍ରବଳ ଇଛା ଥିଲା । ମାଲଖମ୍ବ କଳା ପ୍ରତି ଆକୃଷ୍ଟ ହୋଇଥିଲେ ସେ । ଏହା ଶିଖୁଥିବା ବେଳେ ଦେଖାହୁଏ ସୁଜାତା ରାୟ ଓରଫ ମିଲିଙ୍କ ସହ । କାରଣ ମିଲିଙ୍କ ବାପା ମଧୁସୂଦନ ରାୟ ହିଁ ଥିଲେ ଉମାକାନ୍ତଙ୍କ ମାଲଖମ୍ବ ଗୁରୁ । ମିଲି ମଧ୍ୟ ମାଲଖମ୍ବ କଳା ଶିକ୍ଷା କରୁଥିଲେ । ବାସ୍‌ ସେଇଠୁ ହିଁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଓ ପ୍ରେମ ଗଢ଼ି ଉଠିଥିଲା । ଦୁହିଁଙ୍କ ବିବାହକୁ ଗ୍ରହଣ କରିନଥିଲେ ଉଭୟଙ୍କ ପରିବାର ଲୋକେ । ସବୁ ପ୍ରତିବନ୍ଧକକୁ ଭାଙ୍ଗି ଉଭୟ ବିବାହ କରିଥିଲେ । ଆଉ ନୂଆ ଏକ ଜୀବନ ଗଢ଼ିବା ପାଇଁ ଚାଲିଆସିଥିଲେ ଉତ୍ତରାଖଣ୍ଡର ହୃଷିକେଶ । ତା ପରେ ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ଆରମ୍ଭ ହୋଇଥିଲା ପ୍ରୟାସ ।

ଉମାକାନ୍ତ କୁହନ୍ତି ମାଲଖମ୍ବ କଳା ମାର୍ଶାଲ ଆର୍ଟଠୁ କିଛି କମ୍‌ ନୁହେଁ । ମାତ୍ର ଓଡ଼ିଶାରେ ଏହାର ସେତେଟା ଆଦର ନାହିଁ । ଏହି କଳାର ପ୍ରଚାର ପ୍ରସାର ପାଇଁ ସେ ବିଭିନ୍ନ ମଞ୍ଚରେ ପ୍ରଦର୍ଶନ କରି ସାଉଁଟିଥିଲେ ଢେର ପ୍ରଶଂସା । ପରେ ପରେ ଜିମ୍ନାଷ୍ଟିକସ ଓ ନୃତ୍ୟ ଶିକ୍ଷା କରିଥିଲେ । ଇଣ୍ଡିଆଜ ଗଟ୍‌ ଟ୍ୟାଲେଣ୍ଟ  ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ମଞ୍ଚରେ ନୃତ୍ୟ, ଜିମ୍ନାଷ୍ଟିକସ ଓ ମାଲଖମ୍ବ କଳାର ସମିଶ୍ରଣ ଉପସ୍ଥିତ ବିଚାରକ ମଣ୍ଡଳିଙ୍କୁ କରିଥିଲା ବିମୋହିତ । ୪୫୦ରୁ ଅଧିକ ପ୍ରତିଯ଼ୋଗୀଙ୍କୁ ପଛରେ ପକାଇ ସେମିଫାଇନାଲରେ ପହଞ୍ଚି ପାରିଥିଲେ ଉମାକାନ୍ତ ଓ ସୁଜାତା ।

ଉମାକାନ୍ତ ଓ ତାଙ୍କ ପତ୍ନୀ ପୁରୀ ଛାଡ଼ିବାର ୫ ବର୍ଷ ହେଲାଣି । ଏହାରି ଭିତରେ ଉଭୟ ସାଉଁଟିଛନ୍ତି ଢେର ପ୍ରଶଂସା ଆଉ ଅନେକ ସଫଳତା । ପୁରୀରେ ଥିବା ବେଳେ ମଧ୍ୟ ବହୁ ଷ୍ଟେଜ ସୋ’ରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ବାହାରେ ଆନ୍ଧ୍ର, ତାମିଲନାଡୁ ଓ ଦିଲ୍ଲୀରେ ମଧ୍ୟ ନିଜ କଳାର ଜଲୱା ଦେଖାଇଛନ୍ତି ଉଭୟ । ହାଇଦ୍ରାବାଦରେ ଏକ ନୃତ୍ୟ ଅନୁଷ୍ଠାନରେ ମାଲଖମ୍ବ କଳାରେ କୋରିଓଗ୍ରାଫି କରୁଛନ୍ତି ମନୋଜ । ଦିନେ ଉପେକ୍ଷିତ ଏହି ଦମ୍ପତି ଆଜି ସେଲିବ୍ରେଟୀ ।   ଲାଞ୍ଛନା ଓ ସମାଲୋଚନାକୁ ଭୃକ୍ଷେପ ନ କରି ଆଗକୁ ବଢ଼ିଚାଲିଛନ୍ତି । ଏଥିରେ ଉଭୟଙ୍କ ପରିବାର ଢେର ସମର୍ଥନ ଓ ପ୍ରୋତ୍ସାହନ ଦେଇଥିବା ଗର୍ବର ସହ କୁହନ୍ତି ଉମାକାନ୍ତ । ')}

Leave a Reply