ଭୁବନେଶ୍ୱରରୁ ୧୭ ଆକ୍ରାନ୍ତ: ୧୪ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଆଉ ୩ ଜଣ ସ୍ଥାନୀୟ ବାସିନ୍ଦା, ଜାଣନ୍ତୁ କିଏ କେଉଁଠୁ…?

1 min read
Odisha Corona Update: 17 more Corona Positive Found From Bhubaneswar.

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି । ୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି ।

ତେବେ ଉକ୍ତ ୧୪ ଜଣଙ୍କ ମଧ୍ୟରୁ ୭ ଜଣ ରେଲ୍‌ଓ୍ୱେ ଅଧିକାରୀ ରହିଛନ୍ତି । ସେମାନେ ୩୬, ୪୦, ୩୧, ୪୦, ୩୫, ୩୬, ୩୬ ବର୍ଷୀୟ ପୁୁରୁଷ ବୋଲି ଜଣାପଡ଼ିଛି । ସେମାନଙ୍କ ଟ୍ରାଭେଲ୍‌ ହିଷ୍ଟ୍ରିରୁ ସେମାନେ ଦିଲ୍ଲୀ ଫେରନ୍ତା ବୋଲି ସୂଚନା ରହିଛି ।

ସେହିଭଳି ଦୁଇଟି ମାମଲା ଭିମ୍‌ପୁର ଏୟାରପୋର୍ଟ ଛକ ନିକଟରୁ ଆସିଥିବା ଜଣାପଡ଼ିଛି । ସେଥିମଧ୍ୟରେ ଜଣେ ୩୨ ବର୍ଷୀୟ ପୁରୁଷ ଥିବା ବଳେ ଆଉ ଜଣେ ୩୬ ବର୍ଷୀୟ ମହିଳା ବୋଲି ସୂଚନା ରହିଛି । ସେମାନେ ଗୋଟିଏ ପରିବାରର ଏବଂ ସେମାନଙ୍କ ଟ୍ରାଭେଲ୍‌ ହିଷ୍ଟ୍ରିରୁ ସେମାନେ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡ଼ିଛି ।

ସେହି ଭିମ୍‌ପୁର ମା’ଶକ୍ତି ହସ୍ପିଟାଲ ନିକଟରୁ ମଧ୍ୟ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେ ଜଣେ ୬୪ ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ସେ ମଧ୍ୟ ଦିଲ୍ଲୀ ଫେରନ୍ତା ବୋଲି ତାଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ରହିଛି ।

ଅନ୍ୟପଟେ ଡୁମୁଡୁମା ଏଚ୍‌ ବି କଲୋନୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସ ୨୫(ପୁରୁଷ) ହୋଇଥିବା ବେଳେ ସେ ବି ଦିଲ୍ଲୀ ଫେରନ୍ତା ବୋଲି ଜଣାପଡ଼ିଛି ।

ସେହିଭଳି ଦୁଇ ଜଣ ଆକ୍ରାନ୍ତ ନୟାପଲ୍ଲୀ ସବର ସାହିରୁ ଚିହ୍ନଟ ହୋଇଛନ୍ତି । ସେମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ଜଣେ ୨୦ ବର୍ଷୀୟ ଯୁବତୀ ହୋଇଥିବା ବେଳେ ଆଉ ଜଣେ ୧୫ ବର୍ଷର ନାବାଳକ ବୋଲି ବିଏମ୍‌ସି ସୂଚନା ଦେଇଛି । ସେମାନେ ମଧ୍ୟ ଦିଲ୍ଲୀ ଫେରନ୍ତା ।

ଆଉ ଜଣେ ହେଉଛନ୍ତି ଅନ୍ୟ ଜିଲ୍ଲାର । ଯିଏ କି ଭୁବନେଶ୍ୱରରେ ପେଡ୍‌ କ୍ୱାରେଣ୍ଟାଇନ୍‌ରେ ରହୁଛନ୍ତି । ସେ ୨୪ ବର୍ଷୀୟ ଯୁବତୀ ହୋଇଥିବା ବେଳେ ତାଙ୍କର ମଧ୍ୟ ଟ୍ରାଭେଲ୍‌ ହିଷ୍ଟ୍ରି ଦିଲ୍ଲୀ ରହିଛି ।

ସେହିଭଳି ୩ ଜଣ ସ୍ଥାନୀୟ ବାସିନ୍ଦା  ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ପୁରୀ-କେନାଲ ରୋଡ୍‌ ସ୍ଥିତ ନହରକଣ୍ଟାର ୨୭ ବର୍ଷୀୟ ଯୁବକ । ଆଉ ଜଣେ ହେଉଛନ୍ତି ୩୨ ବର୍ଷୀୟ ପୁରୁଷ, ଯିଏକି ସେଣ୍ଟ୍ରାଲ ହସ୍ପିଟାଲର କର୍ମଚାରୀ ବୋଲି ଜଣାପଡ଼ିଛି । ଅନ୍ୟ ଜଣକ ହେଉଛନ୍ତି ଜୟଦେବ ବିହାର ଅଞ୍ଚଳର ସରଣପଲ୍ଲୀର ୩୭ ବର୍ଷୀୟ ମହିଳା, ଯିଏ କି ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ ।

Leave a Reply