ଖାଲି ପଡ଼ିଛି କଂଗ୍ରେସ ମଙ୍ଗୁଆଳ ଆସନ, ସ୍ଥାଣୁ ପାଲଟି ଗଲାଣି ଦଳ

ଭୁବନେଶ୍ବର: ତିନି ମାସ ବିତିଲାଣି ତଥାପି ଓଡ଼ିଶା କଂଗ୍ରେସର ପିସିସି ସଭାପତି ଚେୟାର ଖାଲି ପଡିଛି । ବିନା ମଙ୍ଗୁଆଳରେ ରାଜ୍ୟରେ କଂଗ୍ରେସ ସଂଗଠନ ସ୍ଥାଣୁ ପାଲଟିଯାଇଛି । କିଏ ପିସିସି ସଭାପତି ପାଇଁ ଯୋଗ୍ୟ ତାକୁ ନେଇ ନିଷ୍ପତ୍ତି ନେଇ ପାରୁନାହାନ୍ତି ହାଇକମାଣ୍ଡ । ୬ ଥର ସାଧାରଣ ନିର୍ବାଚନ ହାରିବା ପରେ ରାଜ୍ୟ କଂଗ୍ରେସର ଏପରି ସ୍ଥିତିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଦଳୀୟ କର୍ମୀ ଓ ନେତା ।  ଶୀଘ୍ର ପିସିସି ସଭାପତି ନାଁ ଘୋଷଣା ହେବ ବୋଲି କହି ଓଡ଼ିଶା ନେତାଏ ଚୁପ । ମୁଖିଆଙ୍କ ବିନା ହାତି ଶିବିରର ରାଜନେୈତିକ ଓ ସାଂଗଠନିକ କାର୍ଯ୍ୟକ୍ରମ ରାଜଧାନୀରୁ ଗାଁ ସବୁଠି ଶିଥିଳ ପଡ଼ିଯାଇଛି ।

ଦିନ ବିତୁଛି ହେଲେ ନିଷ୍ପତ୍ତି ହୋଇପାରୁନି । ୨୪ ବର୍ଷ ଧରି କ୍ଷମତା ବାହାରେ ରାଜ୍ୟ କଂଗ୍ରେସ । ଭୋଟହାର ୧୩ ପ୍ରତିଶତରେ ପହଞ୍ଚିଛି । ଛଅ ଛଅଟି ସାଧାରଣ ନିର୍ବାଚନରେ ଫେଲ । ଏପରି ସ୍ଥିତିରେ ଓଡ଼ିଶା କଂଗ୍ରେସକୁ କିଏ ଦେବ ସଞ୍ଜୀବନୀ ?  କିଏ ପିସିସି ସଭାପତି ହେବା ପାଇଁ ଯୋଗ୍ୟ ? ଏହାକୁ ନେଇ କଂଗ୍ରେସ ହାଇକମାଣ୍ଡ ଘାଣ୍ଟି ହେଉଛନ୍ତି । ସେପଟେ ଦଳୀୟ ନେତା ଓ କର୍ମୀଙ୍କ ମନୋବଳ ଭାଙ୍ଗି ଭାଙ୍ଗି ଯାଉଛି । ଦଳର ଆଗାମୀ ଆଭିମୁଖ୍ୟ କ’ଣ ତାକୁ ନେଇ ସମସ୍ତେ ଦ୍ବନ୍ଦରେ ।

ପିସିସି ସଭାପତି ଚୟନରେ ବିଳମ୍ବ ହେଉଥିବାରୁ ହାଇକମାଣ୍ଡ ଦୁଇଟି ପର୍ଯ୍ୟାୟରେ ୧୭ ଜଣରୁ ଅଧିକ ନେତାଙ୍କୁ ଷ୍ଟିଅରିଂ କମିଟି ସଦସ୍ୟ ଦାୟିତ୍ବ ଦେଇ ଚୁପ ବସିପଡ଼ିଛନ୍ତି । ନେତା ବି ଜାଣି ପାରୁନାହାନ୍ତି ଦଳରେ ଚାଲିଛି କ’ଣ ? ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ହରିଆନା ଓ ଜାମ୍ମୁ କାଶ୍ମୀର ନିର୍ବାଚନ ପାଇଁ ଓଡ଼ିଶାରେ ପିସିସି ସଭାପତି ଚୟନ ବିଳମ୍ବ ହେଉଛି । ଶୀଘ୍ର ଦଳ ସବୁ ଦିଗକୁ ବିଚାର କରି ଜଣକୁ ପିସିସି ସଭାପତି ଦାୟିତ୍ବ ଦେବ ।

୨୪ ବର୍ଷ ଭିତରେ ଓଡ଼ିଶା କଂଗ୍ରେସ ୬ ଜଣ ସଭାପତି ପାଇଛି । ହେଲେ ଦଳକୁ କିନ୍ତୁ ଆଶା ଅନୁସାରେ ସଫଳତା ମିଳିନାହିଁ । ସବୁବେଳେ ଗୋଷ୍ଠୀ ବିବାଦ ଓ ପିସିସି ଚୌକି ଲଢେଇରେ ଛନ୍ଦି ହୋଇଛି ଦଳ । ମୁଖିଆ ଚୟନ ନେଇ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ସମସ୍ତ ଯୋଜନା ଫେଲ ମାରିବା ପରେ ହାଇକମାଣ୍ଡ କାହାକୁ ଦାୟିତ୍ବ ଦେବେ ସେଇ ଚିନ୍ତାରେ ସମସ୍ତେ ।