ସେପ୍ଟେମ୍ବର ସୁଦ୍ଧା ନୂଆରୂପ ପାଇବ ରାଜ୍ୟ କଂଗ୍ରେସ: ପିସିସି ସଭାପତି
1 min readଭୁବନେଶ୍ୱର: ନୂଆରୂପ ନେବ କଂଗ୍ରେସ। ସେପ୍ଟେମ୍ବର ସୁଦ୍ଧା ଗଠନ ହେବ ନୂଆ କମିଟି। ବ୍ଲକ୍ ସଭାପତି, ଜିଲ୍ଲା ସଭାପତି, ରାଜ୍ୟସ୍ତରୀୟ କମିଟିକୁ ନୂଆ ରୂପ ଦିଆଯିବ। ଏଥିପାଇଁ ପ୍ରକ୍ରିୟା ଜାରି ରହିଛି । ଅଗଷ୍ଟ ୨୮ରେ ହେବାକୁ ଥିବା CWC ବୈଠକରେ ଏହି କମିଟି ଉପରେ ମୋହର ମରାଯିବ । ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ୯ ବିଧାୟକରୁ ୯୦ କରିବା ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି। କଂଗ୍ରେସ ସବୁବେଳେ ଲୋକଙ୍କ ସହ ରହିଛି । ୨୦୨୪ ନିର୍ବାଚନରେ ଭଲ ଫଳ ମିଳିବ ବୋଲି ଶରତ ପଟ୍ଟନାୟକ ଆଶା ରଖିଛନ୍ତି।
ସେପଟେ ବର୍ତ୍ତମାନ କଂଗ୍ରେସ ଠିକ୍ ଦିଗରେ ଚାଲିଛି ବୋଲି କହିଛନ୍ତି ବିଧାୟକ ସୁରେଶ ରାଉତରାୟ। କିନ୍ତୁ କିଛି ଲୋକ ବିଶୃଙ୍ଖଳା କରୁଛନ୍ତି। ବିଶୃଙ୍ଖଳାକାରୀଙ୍କୁ ଚେତାବନୀ ଦେଇ ସୁର କହିଛନ୍ତି, ଶରତ ପଟ୍ଟନାୟକଙ୍କୁ ଯିଏ ବିରୋଧ କରିବ ତାକୁ ଘୋର ବିରୋଧ କରାଯିବ। ସମସ୍ତେ ଏକଜୁଟ ହେଇ କାମ କଲେ ଦଳର ସ୍ଥିତି ସୁଦୃଢ ହେବ। ଗାନ୍ଧୀ ପରିବାରକୁ ଛାଡି ଆଉ କିଏ ସଭାପତି ହେଲେ ବି ତାଙ୍କୁ ସମର୍ଥନ ଦିଆଯିବ।
ସୋନିଆ ଗାନ୍ଧୀଙ୍କ ବିଚକ୍ଷଣ ବୁଦ୍ଧି। ସେ ଯାହାକୁ ଦାୟିତ୍ଵ ଦେବେ ଦଳ ଗ୍ରହଣ କରିବ । ବନ୍ୟା ପରେ ପରେ ଆମେ ସଂଗଠନକୁ ଫୋକସ୍ କରୁଛୁ। ନୂଆ ସଂଗଠନ ହେବା ପରେ ରାହୁଲଙ୍କୁ ଡାକି ବଡ ସମାବେଶ କରିବୁ ବୋଲି କହିଛନ୍ତି ସୁରେଶ ରାଉତରାୟ। ସେହିଭଳି ୨୦୨୪ ହେଉଛି କଂଗ୍ରେସ ପାଇଁ ଶେଷ ସୁଯୋଗ ବୋଲି ଚେତେଇ ଦେଇଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଯଦି କଂଗ୍ରେସ ୨୦୨୪ରେ ଏକାଠି ହୋଇ ଲଢ଼ିବନି ତେବେ କଂଗ୍ରେସକୁ ଆଉ କେହି ବଞ୍ଚାଇ ପାରିବେନି । ଭଗବାନ ବି କଂଗ୍ରେସକୁ ରକ୍ଷା କରି ପାରିବେନି । CWC ବୈଠକ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବ ଯେ କିଏ ହେବ କଂଗ୍ରେସର ପରବର୍ତ୍ତୀ ସଭାପତି । ଏପଟେ ଗାନ୍ଧୀ ପରିବାର ସହ ଲୋକେ ରହିବେ ବୋଲି କହିଛନ୍ତି ଜୟଦେବ।