ବିଭାଜନ ଆଡ଼କୁ ଯାଉଛି କି କଂଗ୍ରେସ ? ମୁହାଁମୁହିଁ ଭକ୍ତ ଓ ମୋକିମ । ଓଡ଼ିଶା କଳି ଦିଲ୍ଲୀ ଦରବାରରେ । ବରିଷ୍ଠ କହିଲେ ସଭାପତି ଡାକନ୍ତୁ ବୈଠକ । କଂଗ୍ରେସ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ବିଭାଜନ ଆଡ଼କୁ ମୁହାଁଇଲାଣି ଦଳ। ଉଗ୍ରରୂପ ନେଇଛି ପିସିସି ଓ ନେତାଙ୍କ କଳି । ଚିଠି ଓ ଥାନାରେ ଏତଲା ଦେଇ ମୁହାଁମୁହିଁ ଭକ୍ତ ଦାସ ଓ ମୋକିମ ଗୋଷ୍ଠୀ । ରାଜ୍ୟ ମୁଖିଆଙ୍କ ବିରୋଧରେ ହାଇକମାଣ୍ଡଙ୍କ ପାଖରେ ବରିଷ୍ଠ ନେତା ଫେରାଦ ହେଉଥିବା ବେଳେ ବିଧାୟକଙ୍କ ବିରୋଧରେ ପିସିସି କୋଷାଧ୍ୟକ୍ଷ ଥାନାରେ ମାମଲା ରୁଜୁ କରୁଛନ୍ତି। ଏହାକୁ ନେଇ କଂଗ୍ରେସ ରାଜନୀତି ହଲଚଲ। ପିସିସି ସଭାପତି ଭକ୍ତ ଦାସଙ୍କୁ ହଟାଇବା ପାଇଁ ଖୋଲାଖୋଲି ବିଦ୍ରୋହ କରିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ସୋନିଆ ଗାନ୍ଧିକୁ ଚିଠି ଲେଖି ମୋକିମ ଅଭିଯୋଗ କରିଛନ୍ତି, ଭକ୍ତ ଦାସ କଂଗ୍ରେସ ବିଚାରଧାରାର ନୁହନ୍ତି। ନିଜ ନିର୍ବାଚନୀ ମଣ୍ଡଳୀରେ ବି ସେ ଲୋକଙ୍କ ବିଶ୍ବାସ ଜିଣି ପାରୁନାହାନ୍ତି । ତେଣୁ ରାଜ୍ୟ କଂଗ୍ରେସର ନେତୃତ୍ବ ନୂଆ ହାତରେ ଦିଆଯାଉ। ଭକ୍ତ ଦାସ ଓ ମୋକିମ କଳିକୁ ନେଇ ବରିଷ୍ଠ ନେତା ଶରତ ରାଉତ କହିଛନ୍ତି, ଏହି ଗଣ୍ଡଗୋଳ ଯୋଗୁଁ ଦଳର କ୍ଷତି ହେଉଛି। ପିସିସି ସଭାପତି ତୁରନ୍ତ ପିଏସି ଓ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରନ୍ତୁ। ଘରର କଳି ଘର ଭିତରେ ସମାଧାନ କରନ୍ତୁ। ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ ମଧ୍ୟ ଏହି ବିବାଦକୁ ନେଇ ସମାଲୋଚନା କରିଛନ୍ତି।
ସେପଟେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଭକ୍ତ ଦାସ ଓ ମୋକିମ କଳିର ଘର ଭିତରେ ସମାଧାନ କରାଯିବ। ସୋନିଆ ଗାନ୍ଧିକୁ ମୋକିମ ଚିଠି ଲେଖିବା ଓ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା କଥାକୁ ସେ ନାପସନ୍ଦ କରିଛନ୍ତି। ମୋକିମ ଅସନ୍ତୋଷ ପ୍ରକାଶ କରିବାର ତରିକା ଭୁଲ ବୋଲି କହିଛନ୍ତି ଜୟଦେବ। ସେପଟେ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି ମୋକିମ ଯାହା କହିବା କଥା ହାଇକମାଣ୍ଡଙ୍କୁ କୁହନ୍ତୁ। ମତେ ଧୋକା ଦିଆଯାଇଥିଲେ ମଧ୍ୟ ମୁଁ କଂଗ୍ରେସର କିଛି କ୍ଷତି କରିନି। ତେଣୁ ଉଭୟ ନେତା ଆଉ ବ୍ୟକ୍ତିଗତ ଲଢେଇ କରନ୍ତୁ ନାହିଁ, କଂଗ୍ରେସର କ୍ଷତି କରନ୍ତୁ ନାହିଁ।
ପିସିସି ସଭାପତି ଭକ୍ତ ଦାସଙ୍କ କାର୍ଯ୍ୟଶୈଳୀ ଉପରେ ଦଳର ଗୋଟିଏ ଗୋଷ୍ଠୀ ଅସନ୍ତୋଷ ପ୍ରକାଶ କରି ପ୍ରଶ୍ନ ଉଠାଉଛନ୍ତି। ତେବେ ମୋକିମ ଚିଠି ଦେବା ତରିକାକୁ ବିରୋଧ କରାଯାଇଛି। ହାଇକମାଣ୍ଡ କିପରି ମୋକିମ ଓ ଭକ୍ତଙ୍କ କଳିର ସମାଧାନ କରୁଛନ୍ତି, ତା ଉପରେ କଂଗ୍ରେସ ନେତାଙ୍କ ନଜର ।

