କଂଗ୍ରେସକୁ ଟିକେଟ ଟେନସନ, ଦିଲ୍ଲୀରେ ସ୍କ୍ରିନଂ କମିଟି ବୈଠକରେ ହେବ କସରତ

1 min read

ଭୁବନେଶ୍ବର: ଓଡ଼ିଶାରେ ନୁହେଁ, ଦିଲ୍ଲୀରେ ଟିକେଟ ନେଇ ପୁଣି କସରତ ଆରମ୍ଭ କରିବ କଂଗ୍ରେସ । ଆସନ୍ତାକାଲି ଦିଲ୍ଲୀରେ ସ୍କ୍ରିନଂ କମିଟି ବୈଠକରେ କଂଗ୍ରେସ ଟିକେଟ ଆଶାୟୀଙ୍କ ଆବେଦନ ଉପରେ ହେବ ଆଲୋଚନା । ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଟିକେଟ ପାଇଁ କରାଯାଇଥିବା ପ୍ରଗମନ ଆପରେ କଂଗ୍ରେସର ବିଧାୟକ ଓ ସାଂସଦ ପ୍ରାର୍ଥୀ ହେବାକୁ ଆବେଦନ କରିଥିବା ଆଶାୟୀଙ୍କ ଚୂଡ଼ାନ୍ତ ନାଁ ଦିଲ୍ଲୀରେ ଫାଇନାଲ କରାଯାଇ ହାଇକମାଣ୍ଡକୁ ଦିଆଯିବ । ଅନ୍ୟପଟେ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହୁଛନ୍ତି କଂଗ୍ରେସରେ ୪ଟି ଥାକରେ ଟିକେଟ ଆଲୋଚନl ହୁଏ, ଟିକେଟ ଘୋଷଣା ଏତେ ସହଜ ନୁହେଁ l

୨୪ ବର୍ଷ ଧରି କ୍ଷମତା ବାହାରେ ରାଜ୍ୟ କଂଗ୍ରେସ । ପ୍ରତି ନିର୍ବାଚନରେ ଦଳର ଭୋଟ ହାର ବି କମି କମି ଚାଲିଛି । ତୃଣମୂଳସ୍ତରରେ କଂଗ୍ରେସ ସଂଗଠନ ବି ଦୁର୍ବଳ । ହେଲେ ନେତା ହେବାକୁ କିନ୍ତୁ ଆଶାୟୀଙ୍କ ଲମ୍ବା ଲିଷ୍ଟ । ଯାହା କଂଗ୍ରେସର ଆଗୁଆ ଟିକେଟ କସରତରେ କେଁ ପୂରାଇଛି । ପ୍ରଦେଶ ନିର୍ବାଚନ କମିଟି ବୈଠକରେ ଆଶାୟୀ ଅଙ୍କ ଛିଣ୍ଡି ନଥିବାରୁ ଶନିବାର ଦିଲ୍ଲୀରେ ବସିବ ସ୍କ୍ରିନଂ କମିଟି ବୈଠକ । ଉଭୟ ବିଧାନସଭା ଓ ଲୋକସଭା ପାଇଁ ପ୍ରତି ନିର୍ବାଚନୀ ମଣ୍ଡଳୀରୁ କେଉଁ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରାଯିବ ତାହା ସ୍କ୍ରିନଂ କମିଟି ସ୍ଥିର କରିବ । ପ୍ରଗମନ ଆପରେ ବିଧାୟକ ପାଇଁ ୩ ହଜାର ଓ ସାଂସଦ ପାଇଁ ୭୦୦ ଆଶାୟୀ ଆବେଦନ କରିଛନ୍ତି । ଏହାସହ ବ୍ଲକ ଓ ଜିଲ୍ଲା ସଭାପତିଙ୍କ ଜରିଆରେ ଅନେକ ପ୍ରାର୍ଥୀ ଆବେଦନ କରିଥିବାରୁ ଏହା ଉପରେ ବିଚାର କରାଯିବ ବୋଲି ଶରତ କହିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ୭୦ ଟିକେଟ ଆଗୁଆ ବାଣ୍ଟିବାକୁ ଯୋଜନା କରିଥିଲେ ମଧ୍ୟ ଏହାକୁ ନେଇ ଦଳ ଭିତରେ ଛକାପଞ୍ଝା ଲାଗି ରହିଛି । ପିଇସି ପରେ ସ୍କ୍ରିନଂ କମିଟିକୁ ପ୍ରାର୍ଥୀଙ୍କ ତାଲିକା ପଠାଯିବ । ଏହାପରେ ସିଇସିକୁ ଚୂଡ଼ାନ୍ତ ତାଲିକା ପଠାଯିବ ବୋଲି ପିସିସି ସଭାପତି କହିଛନ୍ତି । ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ, କଂଗ୍ରେସରେ ଟିକେଟ ଘୋଷଣା ଚାରି ଥାକରେ ହେବ । ତେଣୁ ଆଗୁଆ ଟିକେଟ ବାଣ୍ଟିବା ସହଜ ନୁହେଁ ।

କଂଗ୍ରେସ ଅନ୍ଦର ମହଲର ସୂଚନା ଅନୁସାରେ, ନିର୍ବାଚିତ ବିଧାୟକ, ସାଂସଦ ଓ ୨୦୧୯ରେ ଦ୍ବିତୀୟ ସ୍ଥାନରେ ଥିବା ନେତାକୁ ପୁଣିଥରେ ଟିକେଟ ଦେବାକୁ ଦଳ ଭିତରେ ଆପାତତଃ ସ୍ଥିର କରାଯାଇଛି ।