ରାଜ୍ୟ କଂଗ୍ରେସକୁ ୨୪ ଚିନ୍ତା

ଭୁବନେଶ୍ବର: ରାଜ୍ୟ କଂଗ୍ରେସକୁ ୨୪ ଚିନ୍ତା । ହେଭିଓ୍ବେଟ୍‌ ନେତାମାନେ ବିଧାୟକ ନୁହେଁ, ସାଂସଦ ପ୍ରାର୍ଥୀ ହେବାକୁ ଦଳ ପ୍ରସ୍ତାବ ଦେଇଛି । ଏନେଇ ଦୁଇଦିନ ଧରି ହୋଇଛି ମାନସମନ୍ଥନ। ୨୪ରେ ଅଧିକ ଯୁବକଙ୍କୁ ପ୍ରାର୍ଥୀ କରିବାକୁ ଏହି ଷ୍ଟ୍ରାଟେଜି ଆପଣାଇଛି ରାଜ୍ୟ କଂଗ୍ରେସ । ଏନେଇ ବରିଷ୍ଠ ନେତାମାନେ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୁରେଶ ରାଉତ କହିଛନ୍ତି, ବରିଷ୍ଠ ନେତାମାନେ ନିର୍ବାଚନ ନ ଲଢ଼ିବା ଉଚିତ। ଯାହାକୁ ନେଇ କଂଗ୍ରେସ ଶିବିର ଉଷ୍ମ ହୋଇଛି ।

୨୪ ପାଇଁ ରାଜ୍ୟ କଂଗ୍ରେସର ନୂଆ ଷ୍ଟ୍ରାଟେଜି । ଫୋକସରେ ସଂସଦୀୟ କ୍ଷେତ୍ର । ବରିଷ୍ଠ ନେତାଙ୍କୁ ସାଂସଦ ପ୍ରାର୍ଥୀ କରିବାକୁ ପ୍ରସ୍ତାବ । ସୁର କହିଲେ ମୁଁ ଲଢ଼ିବିନି ନିର୍ବାଚନ । ଜୟଦେବ, ଶରତ ଓ ତାରାଙ୍କ ଭିନ୍ନମତ । ୨୦୨୪ରେ ରାଜ୍ୟ କଂଗ୍ରେସ ଆପଣାଇବ ୧୯୮୦ର ରଣନୀତି । ରସାତଳକୁ ଚାଲିଯାଇଥିବା ସଂଗଠନକୁ ଉଠାଇବା ପାଇଁ ଦଳ କସରତ ଆରମ୍ଭ କରିଛି । ବରିଷ୍ଠ ନେତାମାନେ ବିଧାୟକ ନୁହେଁ, ସାଂସଦ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦେଇଛି କଂଗ୍ରେସ । ଏପରି ନିଷ୍ପତ୍ତି ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ଚିନ୍ତାରେ ପକାଇଛି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ବରିଷ୍ଠମାନେ ସାଂସଦ ପ୍ରାର୍ଥୀ ହେଲେ ଅସୁବିଧା ନାହିଁ । ହେଲେ ପ୍ରାର୍ଥୀ ଚୟନ ବେଳେ ବିଜୟ ସମ୍ଭାବନାକୁ ଅଧିକ ଗୁରୁତ୍ବ ଦିଆଯିବା ଆବଶ୍ୟକ । ସବୁ ବିଧାନସଭା ଆସନ ମଧ୍ୟ ଯୁବକଙ୍କୁ ଛାଡ଼ିଦେବା ଠିକ୍‌ ହେବ ନାହିଁ । ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଆଉ ପାଦେ ଆଗକୁ ଯାଇ କହିଛନ୍ତି, ବରିଷ୍ଠ ନେତାମାନେ ନିର୍ବାଚନ ନ ଲଢ଼ିବା ଆବଶ୍ୟକ ।

କଂଗ୍ରେସ ରାଜନୈତିକ ବ୍ୟାପାର କମିଟି ବୈଠକରେ ମଧ୍ୟ ୨୦୨୪ରେ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତାମାନେ ସାଂସଦ ପ୍ରାର୍ଥୀ ହେବା ନେଇ ଆଲୋଚନା ହୋଇଛି । ସାଂଗଠନିକ ସ୍ଥିତିକୁ ବିଚାର କରି  ଦଳ ଏପରି ରଣନୀତି ଦଳ ଆପଣାଇଥିବା ଶରତ ରାଉତ କହିଛନ୍ତି । ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ବରିଷ୍ଠ ନେତାମାନେ ସାଂସଦ ପ୍ରାର୍ଥୀ ହେବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ।

୨୦୧୯ ନିର୍ବାଚନରେ ରାଜ୍ୟର ୨୧ଟି  ଲୋକସଭା ଆସନରୁ କଂଗ୍ରେସ ମାତ୍ର ଗୋଟିଏ ପାଇଥିଲା । ବିଧାନସଭାରେ ମଧ୍ୟ ଦୁଇ ଅଙ୍କ ଛୁଇଁପାରିନଥିଲା ଦଳ । ପଞ୍ଚାୟତ, ପୌର ଓ ଉପନିର୍ବାଚନରେ ମଧ୍ୟ କଂଗ୍ରେସର ଭୋଟ୍‌ ହାର କମିଛି । ଏହା ଭିତରେ ପୁରୁଖା ନେତାଙ୍କୁ ସାଂସଦ ପ୍ରାର୍ଥୀ କରି ସଂଗଠନକୁ ସଜାଡ଼ିବା ପାଇଁ ଅଣ୍ଟା ଭିଡୁଥିବା ରାଜ୍ୟ କଂଗ୍ରେସ କେତେ ସଫଳ ହେଉଛି ତାହା ଦେଖିବାର କଥା।