କଂଗ୍ରେସ ଭବନ ଖଣ୍ଡଯୁଦ୍ଧ… ବିଜେପିର ଟେକା ପଥର ମାଡ଼ ପ୍ରତିବାଦରେ ରାଜଧାନୀରେ କଂଗ୍ରେସର ହଲ୍ଲାବୋଲ

ଭୁବନେଶ୍ବର: ଶାନ୍ତିପ୍ରିୟ ଓଡ଼ିଶାକୁ ଅଶାନ୍ତ କଲେ ଭୟାବହ ହେବ ପରିସ୍ଥିତି । ଗାଁ ଗାଁରେ ହେବ ଆନ୍ଦୋଳନ । ବିଜେପି ଅଫିସ ଭିତରେ ଧସେଇ ପଶିବାକୁ ପଛାଇବୁ ନାହିଁ । ଦୋେଈଙ୍କୁ ଧରାଯାଉ ନଥିବାରୁ ଆଜି ପୋଲିସ କମିଶନରେଟ ଆଫିସ ଘେରାଉ ବେଳେ ଏମିତି ଖୋଲା ଚେତାବନୀ ଦେଇଛି କଂଗ୍ରେସ । ମଙ୍ଗଳବାର କଂଗ୍ରେସ ଭବନ ସମ୍ମୁଖରେ ହୋଇଥିବା ଖଣ୍ଡଯୁଦ୍ଧକୁ ନେଇ କଂଗ୍ରେସ ଏମିତି ରଣହୁଙ୍କାର ଦେଇଛି । ଏହାସହ ଜିଲ୍ଲା ସ୍ତରରେ ବିଭିନ୍ନ ଏସପି ଅଫିସ ଆଗରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି ।

କମିଶନରେଟ ପୋଲିସ ଅଫିସ ସମ୍ମୁଖରେ ଛାମୁଆ ସଂଗଠନ, ଛାତ୍ର, ଯୁବ, ମହିଳା କଂଗ୍ରେସ ସହିତ ବରିଷ୍ଠ ନେତା କରିଛନ୍ତି ମେଳି । ବିଜେପିର ଗୁଣ୍ଡାରାଜ ପ୍ରତିବାଦରେ ଗର୍ଜିଛଇ କଂଗ୍ରେସ । ଦଳ ଅଭିଯୋଗ କରିଛି, ଯୋଜନାବଦ୍ଧ ଭାବେ କଂଗ୍ରେସ ଭବନ ଆଗରେ ଗଣ୍ଡଗୋଳ କରିବା ସହିତ ବିଜେପି କର୍ମୀ ପଥର ମାଡ଼, ଗୋବର ମାଡ଼ କରିଥିଲେ । କ୍ଷମତାକୁ ଆସିବାର ଅହଙ୍କାରରେ କଂଗ୍ରେସ ଭବନ ଭିତରେ ପ୍ରବେଶ କରିବାକୁ ଉଦ୍ଯମ କରିଥିଲେ । ଏସବୁ ହୋଇଥିଲା ପୋଲିସ ସାମ୍ନାରେ । ହେଲେ ସବୁ ଦେଖୁଥିଲେ ବି କିଛି କରି ନଥିଲା ପୋଲିସ । ଦୋଷୀଙ୍କୁ ଗିରଫ ପାଇଁ କଂଗ୍ରେସ ୩ ଦିନର ଡେଡଲାଇନ ଦେଇଥିଲେ ବି ହାତବାନ୍ଧି ବସିଥିଲା ପୋଲିସ । ତେଣୁ ଆଜି ହଲ୍ଲାବୋଲ କରିବାକୁ ପଡ଼ିଥିବା କହିଛି କଂଗ୍ରେସ । ଏଯାଏଁ କାହିଁକି ପୋଲିସ କୌଣସି କାର୍ଯ୍ଯାନୁଷ୍ଠାନ ନେଇ ବୋଲି କଂଗ୍ରେସ ପଚାରିଛି ।

କଂଗ୍ରେସ ଭବନ ଆଗରେ ଯାହା ହେଲା, ତାକୁ ହିଟଲର୍ ଶାସନ ସହିତ ତୁଳନା କରିଛି ଦଳ । କଂଗ୍ରେସ କହିଛି, ପ୍ରଥମ ଥର ପାଇଁ କୌଣସି ରାଜନୈତିକ ଦଳ ଅନ୍ୟ ରାଜନୈତିକ ଦଳର ଅଫିସ ଉପରେ ଆକ୍ରମଣ କରିଛି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ନେବାକୁ ପୋଲିସ କମିଶନରଙ୍କ ନିକଟରେ ଆଜି ଦାବି କରାଯାଇଛି । ଶାନ୍ତିପ୍ରିୟ ଓଡ଼ିଶା ଅଶାନ୍ତ ହେବା ପୂର୍ବରୁ ରାଜନୀତିର ଉପରକୁ ଯାଇ ପୋଲିସ କାର୍ଯ୍ୟାନୁଷ୍ଠାନ ନ ହେଲେ ଗାଁ ଗାଁରେ ଆନ୍ଦୋଳନ କରିବୁ । ଏପରିକି ବିଜେପି ଅଫିସରେ ଧସେଇ ପଶିବାକୁ ପଛାଇବୁ ନାହିଁ । ଶାନ୍ତିପ୍ରିୟ ଓଡ଼ିଶାକୁ ଅଶାନ୍ତ କଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

ଗତ ମଙ୍ଗଳବାର ସନ୍ଧ୍ୟାରେ ରାଜଧାନୀରେ ଛାତି ଉପରେ ଥିବା କଂଗ୍ରେସ ଭବନ ସାମ୍ନାରେ ହୋଇଥିବା ଖଣ୍ଡଯୁଦ୍ଧ ପ୍ରତିବାଦରେ ବିଭିନ୍ନ ଏସପି ଅଫିସ ବି ଘେରାଉ କରିଛି କଂଗ୍ରେସ । ଏହି ଗଣ୍ଡଗୋଳ ନେଇ ବିଜେପିକୁ କଂଗ୍ରେସ ତରଫରୁ ସିଧାସଳଖ ନିଶାନା କରାଯାଇଥିଲେ ମଧ୍ଯ ବିଜେପି କୌଣସି ପ୍ରତିକ୍ରିୟା ଦେଇନାହିଁ ।