‘କେବଳ ମୋକିମ୍ ନୁହଁନ୍ତି, ଆଉ ଜଣେ କଂଗ୍ରେସ ବିଧାୟକ କରିଛନ୍ତି କ୍ରସ ଭୋଟିଂ’

ଭୁବନେଶ୍ୱର: ଦଳର ନିଷ୍ପତ୍ତି ସତ୍ୱେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି କଂଗ୍ରେସ ବିଧାୟକ  । ଭୋଟ୍ ଦେଇସାରିବା ପରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଖୁଲମଖୋଲା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିବାବେଳେ ଏବେ ଆଉ ଜଣେ ବିଧାୟକଙ୍କ ନାମ ଉଠୁଛି  । ଉକ୍ତ ବିଧ୍ୟାୟକ ଜଣଙ୍କ କେଉଁଠି ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା କହିଛନ୍ତି ବିଜେପି ବିଧାୟକ ତଥା ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ  ।

ରାଷ୍ଟ୍ରପତି ନିର୍ବାଚନ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ବୟାନ ଏବେ ପୁଣି ଚର୍ଚ୍ଚା ପାଲଟିଛି। କଂଗ୍ରେସରେ ମୋକିମ୍ କେଁ କମିନଥିବାବେଳେ ଏବେ ଆଉ ଜଣଙ୍କ ନାଁ ଦଳରେ ଧାଁ ଧପଡ଼ ସୃଷ୍ଟି କଲାଣି  । ସନ୍ଦେହରେ ଏବେ ବାକି ୮ ବିଧାୟକ  ।  ମାଟିର ଝିଅକୁ ସମସ୍ତେ ସମର୍ଥନ କରିଛନ୍ତି। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ବି ସମର୍ଥନ କରିଛନ୍ତି। ତାଙ୍କ ଦଳର ଆଉ ଜଣେ ବିଧାୟକ ମଧ୍ୟ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି। ସେନେଇ ଆସନ୍ତାକାଲି ସ୍ପଷ୍ଟ ହେବ ବୋଲି ମୋହନ ମାଝୀ ଦୃଢୋକ୍ତି ବାଢିଛନ୍ତି  ।

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ବିଧାନସଭାରେ ଭୋଟ ଦେଇଥିଲେ ସମସ୍ତ ବିଧାୟକ  । ରାଜ୍ୟ କଂଗ୍ରେସର ନିଷ୍ପତ୍ତି ମୁତାବକ ବିରୋଧି ଦଳ ମେଣ୍ଟ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେଇଥାନ୍ତେ ସମସ୍ତ ବିଧାୟକ  । କିନ୍ତୁ ରାଜ୍ୟର ଝିଅ ତଥା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ବିଧାୟକ ମୋକିମ୍ ଭୋଟ ଦେଇଥିଲେ  । ଯାହାକୁ ନେଇ କଂଗ୍ରେସରେ ପୁଣି କନ୍ଦଳ ସୃଷ୍ଟି ହୋଇଛି  । ଦଳର ହାଇ କମାଣ୍ଡକୁ ଏନେଇ ଚିଠି ଲେଖି ଅବଗତ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ  । ଏପଟେ ପୁଣି ଆଉ ଜଣେ ବିଧାୟକ କ୍ରସ ଭୋଟିଂ କରିଥିବା କଥା କହିଛନ୍ତି ମୋହନ ମାଝୀ  ।