ଦିଲ୍ଲୀ ଯିବେ କଂଗ୍ରେସ ନେତା, ସୁର ରାଉତରାୟଙ୍କ ପ୍ରତିକ୍ରିୟା: ମୁଁ ଯିବିନି ଆଉ ଯେଉଁମାନେ ଯାଉଛନ୍ତି …

1 min read

ଭୁବନେଶ୍ୱର : ଓଡ଼ିଶା କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ଦାବି ପୁଣିଥରେ ଜୋରଦାର ହୋଇଛି । ଏନେଇ ଆସନ୍ତା ୧୦ ତାରିଖରେ କଂଗ୍ରେସର କିଛି ନେତା ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସେମାନେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିପାରନ୍ତି । ନିରଂଜନ ହଟାଓ ପାଇଁ ଅସନ୍ତୁଷ୍ଟ ଗୋଷ୍ଠୀ ସୋନିଆଙ୍କ ନିକଟରେ ଦାବି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ତେବେ ଏହା ବିରୋଧରେ ବର୍ଷିଛନ୍ତି ବିଧାୟକ ସୁରେଶ ରାଉତରାୟ। କହିଛନ୍ତି ଅସନ୍ତୁଷ୍ଟଙ୍କ ସହ ସେ ଦିଲ୍ଲୀ ଯିବେ ନାହିଁ । ଏଭଳି ଛୋଟକାଟିଆ କାମ ସେ କରନ୍ତି ନାହିଁ । ଯେଉଁମାନେ ଯାଉଛନ୍ତି, ହୋଟେଲରେ ବୈଠକ କରୁଛନ୍ତି,  ସେମାନେ କଂଗ୍ରେସର ହୋଇଥିବେ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ସୁର ରାଉତରାୟ । ଦଳର କୌଣସି କାମରେ ଏମାନଙ୍କୁ ଦେଖିବାକୁ ମିଳିନଥାଏ ବୋଲି ବିଧାୟକ କହିଛନ୍ତି  । ନିରଂଜନ ଇସ୍ତଫା ଦେଇ ସାରିଛନ୍ତି, ମାତ୍ର ସୋନିଆ ଗାନ୍ଧି କହିଛନ୍ତି ଯେ ବିକଳ୍ପ ବ୍ୟବସ୍ଥା ନ ହେବା ଯାଏ ନିରଂଜନ ରହି ସଂଗଠନ ସମ୍ଭାଳିବେ। ସୁର ଆହୁରି କହିଛନ୍ତି ଯେ, ଆମେ କଂଗ୍ରେସର ଶୃଙ୍ଖଳିତ କର୍ମୀ, ସୋନିଆଙ୍କ ନିର୍ଦ୍ଦେଶ ମାନିବୁ। ତେବ କଟାକ୍ଷରେ କହିଛନ୍ତି ଯେ ନିରଞ୍ଜନ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଅମର ପ୍ରଧାନ କି ମହମ୍ମଦ ମୋକିମ ଯିଏ ବି ସଭାପତି ହେବେ ତାଙ୍କୁ ମାନିବୁ ।

କିଛି ଦିନ ତଳେ ଭୁବନେଶ୍ୱରରେ କଂଗ୍ରେସର କିଛି ଅସନ୍ତୁଷ୍ଟ କଂଗ୍ରେସ ନେତା ନିରଞ୍ଜନ ବିରୋଧୀ ମେଳି କରିଥିଲେ । ସେମାନେ ୨୦୧୯ ସାଧାରଣ ନିର୍ବାଚନ ଓ ବିଜେପୁର ଉପ ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ପିସିସି ସଭାପତିଙ୍କୁ ଦାୟୀ କରିଥିଲେ । ସେପଟେ ନିରଞ୍ଜନ ମଧ୍ୟ ପ୍ରତିକ୍ରିୟାରେ କହିଥିଲେ ଯେ, ସଭାପତି ପଦ ପାଇଁ ତାଙ୍କର ଲୋଭ ନାହିଁ । ଯିଏ ସଭାପତି ହେବାକୁ ଚାହୁଁଛନ୍ତି ତାଙ୍କୁ କହିଲେ ସେ ଏଆଇସିସିକୁ ଜଣାଇଦେବେ । ଏବେ ପୁଣିଥରେ ନେତାଙ୍କ ଦିଲ୍ଲୀ ଗସ୍ତ ପାଇଁ ସଜବାଜ କଂଗ୍ରେସ ରାଜନୀତୀକୁ ଗୋଳମାଳିଆ କରିଛି । ')}

Leave a Reply