spot_img

Latest Posts

କଂଗ୍ରେସରେ କମ୍ପନ: ଜୋର ଧରିଲା ନିରଞ୍ଜନ ହଟାଅ ଦାବି

ନୂଆଦିଲ୍ଲୀ: ଦିଲ୍ଲୀରେ ଉଠିଲା ନିରଞ୍ଜନ ହଟାଅ ଦାବି । ଦଳର ଶୀର୍ଷ ନେତାଙ୍କୁ ଭେଟି ଦାବି ଜଣାଇଲେ ନିରଞ୍ଜନ ବିରୋଧୀ । ତାଙ୍କ ନେତୃତ୍ୱକୁ ସାଧାରଣ ଲୋକ ପ୍ରତ୍ୟାଖ୍ୟାନ କରିଛନ୍ତି, ଦଳୀୟ ଟିକଟ ମଧ୍ୟ ଠିକ ଭାବେ ଦିଆଯାଇ ନଥିବାରୁ କର୍ମୀମାନଙ୍କ ମନୋବଳ ଭାଙ୍ଗିଯାଇଛି । ଫଳସ୍ୱରୁପ ଦଳ ବିଧାନସଭାରେ ଡବଲ୍‌ ଡିଜିଟ ଛୁଇଁପାରି ନଥିବା ଯୁକ୍ତି ବାଢ଼ିଛନ୍ତି ନିରଞ୍ଜନ ବିରୋଧୀ ।

ଶୁକ୍ରବାର ପାର୍ଲିଆମେଣ୍ଟରେ ଦଳର ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ,ସମେତ ବରିଷ୍ଠ ନେତା ଗୁଲାମନବୀ ଆଜାଦ, ଜୟରାମ ରମେଶଙ୍କୁ ଭେଟି ଅସନ୍ତୋଷ ଜାହିର କରିଛନ୍ତି ନିରଂଜନଙ୍କ ବିରୋଧରେ ମେଳି ବାନ୍ଧିଥିବା ଏହି ନେତାମାନେ । ଏହା ସହ ଗତକାଲି ପ୍ରିୟଙ୍କା ଗାନ୍ଧୀ, କେସି ବେନୁଗୋପାଳଙ୍କୁ ମଧ୍ୟ ଭେଟିଥିଲେ । ଦିନକୁ ଦିନ ଓଡ଼ିଶାରେ ଦଳର ଅଧଃପତନ ଲାଗି ରହିଥିବା ବେଳେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱକୁ ସାଧାରଣ ଲୋକ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ସେମାନେ ଦାବି କରିଛନ୍ତି। କହିଛନ୍ତି, ଦଳୀୟ ଟିକଟ ଠିକ ଭାବେ ଦିଆଯାଇ ନଥିବାରୁ କର୍ମୀମାନଙ୍କ ମନୋବଳ ଭାଙ୍ଗିଯାଇଛି । ଯାହା ଫଳରେ ଗତ ନିର୍ବାଚନରେ ଦଳ ବିଧାନସଭାରେ ଡବଲ୍‌ ଡିଜିଟ ଛୁଇଁପାରିନି।

ନିରଞ୍ଜନ ଦାୟିତ୍ୱ ନେବା ପୂର୍ବରୁ ଯେଉଁ ସବୁ ବିଶ୍ୱାସ ଏଆଇସିସିକୁ ଦେଇଥିଲେ ତାହାର ଉତ୍ତର ଏବେ ନିରଞ୍ଜନଙ୍କଠାରୁ ଲୋଡ଼ାଯାଉ ବୋଲି ମଧ୍ୟ ଦାବି ହୋଇଛି । ଏହାସହ ଏହି ନେତାମାନେ ଯୁକ୍ତି ରଖିଛନ୍ତି, ନିରଂଜନଙ୍କ ଇତିହାସ କହୁଛି ସେ କେପି ସିଂହଦେଓଙ୍କ ନେତୃତ୍ୱରେ ଲଢ଼ାଯାଇଥିବା ୨୦୦୯ ସାଧାରଣ ନିର୍ବାଚନ, ଜୟଦେବ ଜେନାଙ୍କ ନେତୃତ୍ୱରେ ଲଢାଯାଇଥିବା ୨୦୧୪ ସାଧାରଣ ନିର୍ବାଚନ, ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଲଢ଼ାଯାଇଥିବା ପଞ୍ଚାୟତ ନିର୍ବାଚନ ପରେ ଦଳର ପ୍ରଦର୍ଶନ ନେଇ ଗଣମାଧ୍ୟମରେ ବିବୃତି ଦେଇ ଦଳକୁ କ୍ଷତି ପହଞ୍ଚାଇଥିଲେ । ତାହା ସତ୍ତ୍ୱେ ଦଳ ତାଙ୍କ ଉପରେ ଭରସା କରି ରାଜ୍ୟର ଦାୟିତ୍ୱ ଦେଇଥିଲେ । ଏବେ ପୁରୁଣା ହିସାବ କିତାବ ଲକ୍ଷ୍ୟରେ ସେ ପରିବାରର ଅନ୍ୟ ସହଯୋଗୀଙ୍କ ସହାୟତାରେ ଦଳର କ୍ଷତି କରୁଛନ୍ତି  । ଦଳର ମୂରବି ହୋଇ କନିଷ୍ଠକୁ ଶୃଂଖଳା ଶିଖାଇବା ପରିବର୍ତ୍ତେ ଦଳୀୟ କାର୍ଯ୍ୟାଳୟ ବାହାରେ ହୋଟେଲରେ ନିଜର ସମର୍ଥକମାନଙ୍କୁ ନେଇ ସମାନ୍ତରାଳ ବୈଠକ କରୁଛନ୍ତି ।

ଦଳ ଭିତରେ ଦେଖା ଦେଉଥିବା ଏସବୁ ଦ୍ୱନ୍ଦ୍ୱକୁ ନେଇ ଅନ୍ୟ ବରିଷ୍ଠନେତା ହେମାନନ୍ଦ ବିଶ୍ୱାଳ, ଅମରନାଥ ପ୍ରଧାନ, ମତଲୁବ ଅଲ୍ଲୀଙ୍କ ଭଳି ନେତା ପୂର୍ବରୁ ଅସନ୍ତୋଷ ଜାହିର କରି ସାରିଛନ୍ତି । ଠିକ ନିର୍ବାଚନ ପୂର୍ବରୁ ଦଳର ମହିଳା କଂଗ୍ରେସ ସଭାନେତ୍ରୀ, ଯୁବ କଂଗ୍ରେସ ସଭାପତି ଭଳି ଛାମୁଆ ସଂଗଠନର ପ୍ରମୁଖ ଦଳରୁ ଇସ୍ତଫା ଦେଇଥିଲେ । ଅନନ୍ତ ସେଠୀଙ୍କ ଭଳି କଛି ବରିଷ୍ଠ ନେତାଙ୍କୁ ପରାଜିତ କରିବାକୁ ମଧ୍ୟ ଚକ୍ରାନ୍ତ କରାଗଲା । ସାଧାରଣ ଲୋକ ସଭାପତିଙ୍କ ଉପରେ ଏତେ ଅସନ୍ତୁଷ୍ଟ ଥିଲେ ଯେ, ସେ ଦୁଇ ଦୁଇଟି ସ୍ଥାନରୁ ପରାଜିତ ହେଲେ । ତେଣୁ ଏସବୁକୁ ଦୃଷ୍ଟିରେ ରଖି ତାଙ୍କୁ ପଦରୁ ତୁରନ୍ତ ହାଟାଇବାକୁ ଦାବି କରିଛନ୍ତି ନିରଂଜନ ବିରୋଧୀ ଗୋଷ୍ଠୀ ।

ତେବେ ଏହି ଗୋଷ୍ଠୀ ମହମ୍ମଦ ମୋକିମ୍‌ଙ୍କୁ ପରବର୍ତ୍ତୀ ସଭାପତି କରିବାକୁ ଲବି କରୁଥିଲେ ମଧ୍ୟ ସିଧାସଳଖ ତାଙ୍କ ନାମ ନନେଇ ଜଣେ ସିଟିଂ ବିଧାୟକଙ୍କୁ ଦାୟିତ୍ୱ ଦେବାକୁ ଯୁକ୍ତି ବାଢୁଛନ୍ତି ।

Latest Posts

Don't Miss