ଖୁବ ଶୀଘ୍ର କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ, ଦିଲ୍ଲୀରେ ଡେରା ପକାଇଛି ଓଡ଼ିଶା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ହେବ ବଡ଼ ପରିବର୍ତ୍ତନ । ଏ ନେଇ ଇଶାରା ଦେଇଛନ୍ତି ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଦଳର ସଭାପତି ପରିବର୍ତ୍ତନ ନେଇ ଆଜି ଦିଲ୍ଲୀରେ ଆଲୋଚନା ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜ୍ୟ ନେତାମାନେ ଆଲୋଚନା କରିଛନ୍ତି । ଦଳ କେମିତି ସଜାଡି ହେବ ସେ ନେଇ ମତ ରଖିଛନ୍ତି ବୋଲି କହିଛନ୍ତି ପ୍ରଭାରୀ ଚେଲ୍ଲା କୁମାର । ତେବେ ପିସିସି ସଭାପତି ପରିବର୍ତ୍ତନ ପାଇଁ କୌଣସି ଡେଡଲାଇନ ରଖାଯାଇନି । ବିଧାୟକମାନେ ନିଜ ମତ ରଖିଛନ୍ତି ।

ସେହିପରି ଭବିଷ୍ୟତ ଯୋଜନା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପ୍ରଭାରୀ । ଅନ୍ୟପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ନୂଆ ସଭାପତି ଚୟନ କରାଯିବା ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ପିସିସି ସଭାପତି ବଦଳିବା ଆବଶ୍ୟକ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇ ବର୍ଷ ହେଲା ସେ ପିସିସି ସଭାପତି ପଦରୁ ଇସ୍ତଫା ଦେଇସାରିଛନ୍ତି । ତେଣୁ ଜଣେ ନୂଆ ନେତା ସଭାପତି ହେବା ଦରକାର ବୋଲି କହିଛନ୍ତି ନିରଂଜନ । ସୋମବାର ଦଳୀୟ ବିଧାୟକମାନେ ରାହୁଲଙ୍କୁ ଭେଟି ନିଜ ମତ ରଖିଛନ୍ତି । ସେପଟେ ପୂର୍ବତନ ସାଂସଦ ତଥା ସମତାକ୍ରାନ୍ତି ଦଳର ପ୍ରତିଷ୍ଠାତା ବ୍ରଜ ତ୍ରିପାଠୀ ସୋନିଆ ଗାନ୍ଧୀଙ୍କୁ ଭେଟିଥିବା ଚର୍ଚ୍ଚା ହେଉଛି ।