ଦିଲ୍ଲୀ ଗସ୍ତରେ ଓଡ଼ିଶା କଂଗ୍ରେସ ନେତା, ଖୁବ ଶୀଘ୍ର ଦଳକୁ ମିଳିବ ନୂଆ ମୁଖିଆ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ସଂଗଠନରେ ହେବ ଆମୂଳଚୂଳ ପରିବର୍ତ୍ତନ । ହାଇକମାଣ୍ଡଙ୍କ ଡାକରା ପାଇ କିଛି ବିଧାୟକ ଓ ବରିଷ୍ଠ ନେତା ଦିଲ୍ଲୀ ଯାଇଛନ୍ତି । ଆସନ୍ତାକାଲି ଅନ୍ୟ ନେତାମାନେ ଦିଲ୍ଲୀ ଯିବେ । ୯ ତାରିଖରେ ଏମାନଙ୍କ ସହ ରାଜ୍ୟ କଂଗ୍ରେସ ସଂଗଠନ ଉପରେ ରାହୁଲ ଗାନ୍ଧି ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ । ପିସିସି ସଭାପତି ଓ କଂଗ୍ରେସ ବିଧାୟକ ଦଳ ନେତା ପରିବର୍ତ୍ତନ ସ୍ୱରକୁ ଦିଲ୍ଲୀ ଗସ୍ତ ପୂର୍ବରୁ ଏହି ନେତାମାନେ ଜୋରଦାର କରିଛନ୍ତି ।

କଂଗ୍ରେସକୁ ଘାରିଛି ଘର ସଜାଡ଼ିବା ଚିନ୍ତା । ପିସିସି ପ୍ରଭାରୀ କସରତ ସାରିଥିବା ବେଳେ ଏବେ ମାନସ ମନ୍ଥନ କରିବେ ହାଇକମାଣ୍ଡ । ଆସନ୍ତା ୯ ତାରିଖରେ ଦଳର ସମସ୍ତ ବିଧାୟକ, ପୂର୍ବତନ ପିସିସି ସଭାପତି ଓ ହେଭିୱେଟ ନେତାଙ୍କ ସହ ରାହୁଲ ଗାନ୍ଧି ଆଲୋଚନା କରିବେ । ସଂଗଠନକୁ କିପରି ମଜବୁତ କରାଯିବ, କାହାକୁ ପିସିସି ସଭାପତି କରାଯିବ ଓ କ’ଣ କଲେ ଓଡ଼ିଶାରେ କଂଗ୍ରେସ ମଜବୁତ ହେବ, ସେନେଇ ରାହୁଲ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ । ଆଲୋଚନା ବେଳେ ସଂଗଠନର ଦୋଷ ଦୁର୍ବଳତା ଉଠାଇବେ ବୋଲି ଏହି ନେତାମାନେ କହିଛନ୍ତି ।

ସେପଟେ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି କରିବାକୁ ବିଧାୟକମାନେ ଦାବି କରିଛନ୍ତି । ଏହାସହ ବିଧାୟକ ଦଳ ନେତା ଓ ମୁଖ୍ୟ ସେଚତକଙ୍କ ସହ ତୃଣମୂଳ ସ୍ତରରୁ ସାଂଗଠନିକ ପରିବର୍ତ୍ତନ ପାଇଁ ବିଧାୟକମାନେ ଆଲୋଚନା ବେଳେ ଦାବି କରିବେ । କଂଗ୍ରେସ ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ର ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଥିବା ବେଳେ ମୁଖ୍ୟ ସଚେତକ ପଦରୁ ତାରାପ୍ରସାଦ ବାହିନୀପତି ଇସ୍ତଫା ଦେଇଛନ୍ତି ।

ପିସିସି ଚୌକି ପାଇଁ କଂଗ୍ରେସର ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଲବି ଜୋରଦାର ହୋଇଛି । ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି କରିବାକୁ ବିଧାୟକ ଗୋଷ୍ଠୀ ଦାବି କରିଛନ୍ତି । ଏହି ରେସରେ ଆଗରେ ଅଛନ୍ତି ମହମ୍ମଦ ମୋକିମ ଓ ତାରାପ୍ରସାଦ ବାହିନୀପତି । ସେହିପରି ଅନ୍ୟ ନେତାଙ୍କ ମଧ୍ୟରୁ ଶରତ ପଟ୍ଟନାୟକ, ଭକ୍ତ ଦାସ ଓ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ନାଁ ଆଗରେ ଅଛି । ତେବେ ହାଇକମାଣ୍ଡ କାହାକୁ ପିସିସି ମଙ୍ଗ ଧରାଇବେ, ସେନେଇ ଦଳୀୟ ରାଜନୀତି ଉଷ୍ମ ରହିଛି ।