କଂଗ୍ରେସକୁ ଟେନସନ ଯୁବ ନେତା, ଜଣକ ପରେ ଜଣେ ଛାଡୁଛନ୍ତି ଦଳ

ଭୁବନେଶ୍ବର: ରାଜ୍ୟ କଂଗ୍ରେସକୁ ଘାରିଛି ସଂଗଠନ ଚିନ୍ତା । ନିର୍ବାଚନ ଘୋଷଣା ପରେ ଜଣଙ୍କ ପରେ ଜଣେ ଯୁବନେତା ଛାଡୁଛନ୍ତି ଦଳ । ୯ରୁ ୯୦ ସ୍କୋଗାନ ଦେଇ ଜୋରଦାର ଲଢ଼େଇ ପାଇଁ ଦଳ ଅଣ୍ଟା ଭିଡ଼ିଥିବା ବେଳେ ସୈନିକ କୁହାଯାଉଥିବା ଯୁବନେତା ଦଳ ଛାଡୁଛନ୍ତି । ଯାହାକୁ ନେଇ ହାତ ଶିବିର ଚିନ୍ତାରେ ପଡ଼ିଛି ।

ଅଂଶୁମାନ, ନିହାରଙ୍କ ପରେ ଅଧିରାଜ । ଜଣଙ୍କ ପରେ ଜଣେ ଯୁବ ନେତା ଛାଡୁଛନ୍ତି କଂଗ୍ରେସ ଶିବିର । ଭୁବନେଶ୍ବରରୁ ଦିଲ୍ଲୀ, ୨୪ ପାଇଁ ଜୋରଦାର କସରତ କରୁଛି ରାଜ୍ୟ କଂଗ୍ରେସ । ୨୪ ବର୍ଷ ଧରି କ୍ଷମତା ବାହାରେ ଥିବା କଂଗ୍ରେସ ଆଗାମୀ ନିର୍ବାଚନରେ ଉଭୟ ବିଧାନସଭା ଓ ଲୋକସଭାରେ ଭଲ ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଛି । ପିସିସି ସଭାପତି ୯ରୁ ୯୦ ଅଭିଯାନ ନେଇ ଡିଣ୍ଡିମ ପିଟୁଛନ୍ତି । ହେଲେ ଯୁବ ଚେହେରାମାନେ ଏହାକୁ ବିଶ୍ବାସ କରିପାରୁନାହାନ୍ତି । କଂଗ୍ରେସରେ ନିଜ ଭବିଷ୍ୟତ ନଦେଖି ଜଣଙ୍କ ପରେ ଜଣେ ଚର୍ଚ୍ଚିତ ଯୁବ ଚେହେରା ହାତ ଛାଡ଼ି ଅନ୍ୟ ଦଳରେ ସାମିଲ ହେଉଛନ୍ତି । ଅଂଶୁମାନ ମହାନ୍ତି, ନିହାର ମହାନନ୍ଦ, ରଜତ ଚୌଧୁରୀ ଓ ଅଧିରାଜ ପାଣିଗ୍ରାହୀ ହାତ ଛାଡିଛନ୍ତି । ନିର୍ବାଚନ ପୂର୍ବରୁ ଦଳର ଯୁବ ଚେହେରା ଦଳ ଛାଡ଼ିବା ଓ ବହୁନେତା ଦଳ ଛାଡ଼ିବାକୁ ପ୍ରସ୍ତୁତ ଥିବାରୁ ଦଳର ବରିଷ୍ଠ ନେତାଙ୍କୁ ଚିନ୍ତାରେ ପକାଇଛି । ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଦଳ ଛାଡ଼ିବା ନେଇ ଚର୍ଚ୍ଚା ହେଉଥିବା ନେତାଙ୍କୁ ବୁଝାସୁଝା କରିବାକୁ ପ୍ରୟାସ କରିବୁ । ତାଙ୍କ ସହ ସ୍ବର ମିଳାଇଛନ୍ତି ଦଳର ଅନ୍ୟ ବରିଷ୍ଠ ନେତା ।

୨୦୧୯ ନିର୍ବାଚନ ପରେ କଂଗ୍ରେସର ଭୋଟ ହାର ଲଗାତାର କମିବା ସହ ତୃଣମୂଳସ୍ତରେ ସଂଗଠନ ଦୁର୍ବଳ ହେଉଛି । ପଞ୍ଚାୟତ ଓ ପୌର ନିର୍ବାଚନରେ ବି ଦଳର ପ୍ରଦର୍ଶନ ନୈରାଶ୍ଯଜନକ ଥିଲା । ଏହାସହ ଦଳରେ ଚୌକି ପାଇଁ ଗୋଷ୍ଠୀ ବିବାଦ ତୁଟିବାର ନାଁ ନେଉନାହିଁ । ଯୁବନେତାମାନେ ଦଳରେ ନିଜର ଭବିଷ୍ୟତ ଦେଖିପାରୁଥିବାରୁ ଦଳ ଛାଡ଼ୁଥିବା ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।

ଆଗକୁ ୨୦୨୪ ମହାସମର । ହେଲେ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, କଂଗ୍ରେସର ଯୁଦ୍ଧ ମଇଦାନରୁ ଜଣକ ପରେ ଜଣେ ସୈନିକ ପଳାୟନ କରୁଛନ୍ତି । ଯାହା ସଂଗଠନ ପାଇଁ ଚିନ୍ତା ବଢ଼ାଇଛି ।