ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବନି ରାଜ୍ୟ କଂଗ୍ରେସ

1 min read

ଭୁବନେଶ୍ବର: ଓଡ଼ିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ଯାହାକୁ ବିଜେଡି ସମର୍ଥନ କରିଛି । ତେବେ ରାଜ୍ୟ କଂଗ୍ରେସ ମାଟିର ଝିଅକୁ ସମର୍ଥନ ଦେବ କି ବିରୋଧ କରିବ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଉଥିଲା । ଆଶା ଥିଲା ଯେହେତୁ କୌଣସି ଓଡ଼ିଆ, ତାହା ପୁଣି ଜଣେ ଆଦିବାସୀ ମହିଳା ଦେଶର ପ୍ରଥମ ନାଗରିକ ନିର୍ବାଚନକୁ ଓହ୍ଲାଉଛନ୍ତି, ରାଜ୍ୟ କଂଗ୍ରେସ ସମର୍ଥନ ଦେବ । ହେଲେ ରାଜ୍ୟ କଂଗ୍ରେସ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ନାହିଁ ବୋଲି ସ୍ପଷ୍ଟ କରିଛି । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଏହା ସ୍ପଷ୍ଟ କରିଛନ୍ତି ।

ସେ କହିଛନ୍ତି, ‘ଓଡ଼ିଶା କଂଗ୍ରେସ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ କିମ୍ବା ସମର୍ଥନ ଦେବନି । ବ୍ୟକ୍ତି ଯେତେ ଭଲ ହୋଇଥାନ୍ତୁ କିମ୍ବା ଆଚରଣ ବ୍ୟବହାର ତଥା ଉପଲବ୍ଧି ଯାହା ହୋଇଥାଉ, ସେ ଯଦି ଆରଏସଏସ ଓ ବିଜେପି ଚିନ୍ତାଧାରାର ଲୋକ କଂଗ୍ରେସ ସମର୍ଥନ ଦେବ ନାହିଁ I କଂଗ୍ରେସ ଯଶଓ୍ବନ୍ତ ସିହ୍ନାଙ୍କୁ ସମର୍ଥନ କରିଛି, ତାଙ୍କୁ ହିଁ ଭୋଟ୍ ଦେବୁ ।’

ଆଗକୁ ସେ କହିଛନ୍ତି, ‘ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଜଣେ ଭଲ ରାଜନୀତିଜ୍ଞ, ଭଲ ବ୍ୟକ୍ତିତ୍ବ । କିନ୍ତୁ ତାଙ୍କର ବିଜେପି ଚିନ୍ତାଧାରା ରହିଛି I ତେଣୁ କଂଗ୍ରେସ ତାଙ୍କୁ ସମର୍ଥନ ଦେବ ନାହିଁ ।’