ଦୁଇ ମାସରେ ସରିବ କଂଗ୍ରେସର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା, ତୃଣମୂଳ ସ୍ତରରେ ଦଳ ସଜାଡ଼ିବାକୁ ଉଦ୍ୟମ

ନନ୍ଦିଘୋଷ ବ୍ୟୁରୋ: ୨ ମାସ ମଧ୍ୟରେ ସରିବ କଂଗ୍ରେସର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା । ଫେବୃୟାରୀ ମାସରୁ ପିସିସି ସଭାପତି ଦାୟିତ୍ବ ନେଇଥିବା ଭକ୍ତଚରଣ ଦାସ ସଂଗଠନକୁ ସଂପୂର୍ଣ୍ଣ ନବକଳେବର କରିପାରି ନାହାନ୍ତି । ତୃଣମୂଳ ସଂଗଠନକୁ ସଜାଡିବା ପାଇଁ କଂଗ୍ରେସ ବ୍ଲକ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଜିଲ୍ଲା ସଭାପତି ବାଛିବାର ଗୁରୁ ଦାୟିତ୍ବ ନେଇଛି ଏଆଇସିସି । ସଂଗଠନ ସଜାଡିବା ସହ ଦଳକୁ ଆଗକୁ ନେବାକୁ ଅଣ୍ଟା ଭିଡିଛନ୍ତି ନେତା ।
ପିସିସି ସଭାପତି ନିଜ ଟିମ ଗଠନ କରିବା ପରେ ଜିଲ୍ଲା ସଂଗଠନକୁ ଫୋକସ କରିଛନ୍ତି । ଆରମ୍ଭ ହୋଇଛି ବ୍ଲକ ସଭାପତି ଚୟନ ପ୍ରକ୍ରିୟା । ତୃଣମୂଳସ୍ତରରେ ଅସଜଡ଼ା ସଂଗଠନକୁ ନୂଆ ରୂପ ଦେବାକୁ ଅଣ୍ଟା ଭିଡିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ଦୁଇମାସ ଭିତରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖିଛି ଦଳ । ପ୍ରଥମ ଥର ଲାଗି ଏଆଇସିସି ଜିଲ୍ଲା ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସୁପାରିସ ନୁହେଁ, ବରଂ ଏଆଇସିସି ସଦସ୍ୟ ଜିଲ୍ଲାଗସ୍ତ କରି ସଭାପତି ଚୟନ କରିବେ । ସେଠାରେ ତୃଣମୂଳ ନେତାଙ୍କ ସହ ଆଲୋଚନା କରି ଜିଲ୍ଲା ସଭାପତି ଚୟନ କରାଯିବ ।
ଦାୟିତ୍ବ ନେବାର ୬ ମାସ ପରେ ଦଳୀୟ ସଂଗଠନକୁ ଚଳଚଞ୍ଚଳ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ପିସିସି ସଭାପତି । ତୃଣମୂଳ ସଂଗଠନ ସଜାଡିବା ସହ ସରକାରଙ୍କ ବିରୋଧରେ ଲମ୍ବା ଲଢେଇ କରିବାକୁ ଦଳ ଆହ୍ବାନ ଦେଇଛି । ଆଗକୁ ନାରୀ ନିର୍ଯାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ଦୁଇଟି ପଦଯାତ୍ରା କରିବା ସହ ବିଧାନସଭା ଘେରାଓ କରିବାକୁ ଯୋଜନା କରିଛି ଦଳ । ତା’ପୂର୍ବରୁ ତୃଣମୂଳ ସଂଗଠନକୁ କ୍ରିୟାଶୀଳ କରିବାକୁ ପିସିସି ସଭାପତି ଅଣ୍ଟା ଭିଡିଛନ୍ତି ।
ପ୍ରଥମ ଥର ଲାଗି ଓଡିଶା କଂଗ୍ରେସକୁ ଫୋକସ କରିଛି ଏଆଇସିସି । ଓଡିଶାର ବିଭିନ୍ନ ପ୍ରସଙ୍ଗକୁ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ଏଆଇସିସି ସ୍ବର ଉଠାଉଛନ୍ତି । ସଂଗଠନକୁ ଫୋକସ କରି ଦଳ କିପରି ଆଗକୁ ବଢିବ ସେ କସରତ ଓଡିଶାରୁ ଦିଲ୍ଲୀ ଚାଲିଛି । ଦୁର୍ବଳ ସଂଗଠନକୁ କ୍ରିୟାଶୀଳ କରିବା ଦଳର ମଙ୍ଗୁଆଳଙ୍କ ଲାଗି ସୃଷ୍ଟି କରିଛି ଚାଲେଞ୍ଜ ।