‘ରାଜ୍ୟ ଚୁଲିକି ଯାଉ, ଆମ ଅସ୍ତିତ୍ଵ ଥାଉ’

1 min read
Odisha Congress B Team Of Odisha BJP

ଭୁବନେଶ୍ୱର: ଦେଢ ଶହ ବର୍ଷର ଦଳ ବୋଲି ଗର୍ବ କରେ କଂଗ୍ରେସ । ଦେଶ ସ୍ୱାଧିନତା ପାଇବା ପରେ କେନ୍ଦ୍ରରୁ ନେଇ ବିଭିନ୍ନ ରାଜ୍ୟରେ ଏହାର ସରକାର ଅଧାରୁ ଅଧିକ ସମୟ ରହି ଆସିଛି । କିନ୍ତୁ ଭାରତୀୟ ରାଜନୀତିର ସବୁଠୁ ପୁରୁଣା ଦଳ (ଗ୍ରାଣ୍ଡ ଓଲ୍ଡ ପାର୍ଟି) ଏବେ ରାଜନୀତିରେ ନିଜ ଉପସ୍ଥିତି ଜାହିର କରିବା ପାଇଁ ରାସ୍ତା ଖୋଜୁଛି । ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି କିଛି ନୂଆ ଭାବିବା ବଦଳରେ ଏହି ଦଳ ନିଜର ସବୁଠାରୁ ବଡ଼ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀର ଅନ୍ଧ ଅନୁକରଣ କରୁଛି । ତେଣିକି ତାହା ବିଜେପିର ହାର୍ଡ ହିନ୍ଦୁତ୍ୱ ଯବାବରେ ସଫ୍ଟ ହିନ୍ଦୁତ୍ୱ ହେଉ କି ଅନ୍ୟ କୌଣସି ପ୍ରସଙ୍ଗ । ବିଜେପିକୁ ମାତ୍ ଦେବା ପାଇଁ ଏହାର ଜାତୀୟ ନେତା ଯଦି ମନ୍ଦିରରୁ ମନ୍ଦିର ବୁଲି ପଇତା ଦେଖାଉଛନ୍ତି ତେବେ ଓଡ଼ିଶାରେ ରାଜ୍ୟ କଂଗ୍ରେସ ନେତା ନିଜସ୍ୱ ରଣନୀତି ବଦଳରେ ବିଜେପି ଜୋତାରେ ପାଦ ଭର୍ତ୍ତି କରିବାକୁ ତରବର ଥିବା ଭଳି ଲାଗୁଛନ୍ତି ।

ବିଜେପିର ‘ବିଟିମ୍

ମମତାଙ୍କଠାରୁ କେଜ୍ରିୱାଲ ସମସ୍ତଙ୍କ ଅଭିଯୋଗ ହେଉଛି ଯେ, କଂଗ୍ରେସ ବିଜେପିର ‘ବି’ଟିମ୍ । କଂଗ୍ରେସ ଯେଉଁଭଳି ବିଜେପିର ଅନ୍ଧ ଅନୁକରଣ କରୁଛି, ନିଜ ପାଇଁ ନିଜେ ରାସ୍ତା ତିଆରି ନକରି ଗୈରିକ ଦଳ ତିଆରି କରିଥିବା ରାସ୍ତାରେ ଦୌଡ଼ିବାକୁ ତତ୍ପର-ସେଥିରୁ ଏହାହିଁ ପ୍ରତୀତ ହେଉଛି । ଉଦାହରଣ ଭାବେ ଗତ ଦୁଇ ଦିନ ଧରି ଓଡ଼ିଶା ବିଧାନସଭାରେ ଚାଲିଥିବା ଅଚଳାବସ୍ଥାକୁ ନିଆ ଯାଇପାରେ । ବିଧାନସଭା ଅଧିବେଶନରେ କରଦାତାଙ୍କ ଅର୍ଥ ଖର୍ଚ୍ଚ ହୋଇଥାଏ । କିନ୍ତୁ ବିଜେପିର ସେଥିପାଇଁ ଚିନ୍ତା ନାହିଁ । ବିଜେପି ନିଜ ରାଜନୈତିକ ରୁଟି ସେକିବା ପାଇଁ ବିଧାନସଭାକୁ ବନ୍ଧକ ରଖିଛି । ବିଜେପିର ଡ୍ରାମାବାଜୀ ଦେଖି କଂଗ୍ରେସ ଭିତରେ ମଧ୍ୟ ଗୋଟିଏ ସେହିଭଳି ନାଟକବାଜିର ଇଛା ଜାଗ୍ରତ ହୋଇଥିଲା । ଯାହା ଶନିବାର ଦିନ କଂଗ୍ରେସର ବିଧାନସଭା ଶୋଧନ ଡ୍ରାମାରୁ ଜଣା ପଡୁଛି ।

ମାଇଲେଜ୍ ରାଜନୀତିରେ ବିଧାନସଭା ସ୍ୱାହା

କିଏ ଅଧିକ ମାଇଲେଜ୍ ନେବ ? କିଏ ମିଡିଆରେ ଅଧିକ ଫୁଟେଜ୍ ପାଇବ ? ଲାଗୁଛି ଏବେ ଓଡ଼ିଶା ରାଜନୀତିରେ ଏହା ହିଁ ଏକମାତ୍ର ଲକ୍ଷ୍ୟ ହୋଇଯାଇଛି । ରାଜ୍ୟର ଦୁଇ ବିରୋଧୀ ଦଳ ଭିତରେ ମାଇଲେଜ୍ ପାଇଁ କେମିତି ପ୍ରତିଦ୍ୱନ୍ଦ୍ୱୀତା ଚାଲିଛି ତାହା ବରିଷ୍ଠ ବିଜେପି ନେତା ବିଷ୍ଣୁ ସେଠୀଙ୍କ ବୟାନରୁ ଜଣା ପଡୁଛି । ବିଷ୍ଣୁ ସେଠୀ ବୟାନରେ କହିଛନ୍ତି ଯେ, ରାଜନୀତି ହିଁ ନାଟକ । ସବୁ ନାଟକ । କାଲି କଂଗ୍ରେସ ବ୍ୟାକଫୁଟକୁ ଚାଲିଯାଇଥିଲା । ଆଜି ସେମାନେ ଆମକୁ ଅନୁସରଣ କରି ଅଭିନବ ପ୍ରତିବାଦ କରୁଛନ୍ତି । ରାଜନୀତିକୁ ନାଟକ କେହି କେମିତି କଂଗ୍ରେସ ଓ ବିଜେପି ମାଇଲେଜ୍ ପଲିଟିକ୍ସରେ ମାତିଛନ୍ତି କହିବା ପରେ ବିଷ୍ଣୁ ସେଠୀ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ଦଳ ବି ‘ଅଭିନବ ପ୍ରତିବାଦ’କରିବ । ଏହି ଗୋଟିଏ ବକ୍ତବ୍ୟରୁ ଜଣା ପଡୁଛି ଯେ, ବିଧାନସଭା ତେଣିକି ଚୁଲିକି ଯାଉ,ଲୋକଙ୍କ ସ୍ୱାର୍ଥ ସହ ଜଡିତ ପ୍ରସଙ୍ଗ ଆଲୋଚନା ଭିତରକୁ ନଆସୁ କିନ୍ତୁ ରାଜନୀତି ଜାରି ରହିବ । ରାଜନୈତିକ ରୁଟି ସେକିବା ପାଇଁ ଫ୍ରଣ୍ଟ୍ ଓ ବ୍ୟାକରେ ଡ୍ରାମା କରିବାକୁ ଦୁଇ ଦଳ ପ୍ରସ୍ତୁତ ଅଛନ୍ତି ।

ଗୋଟିଏ ସମୟରେ ରାଜ୍ୟ ରାଜନୀତିରେ କଂଗ୍ରେସ ଦଳର ଆଧିପତ୍ୟ ଥିଲା । କ୍ଷମତାରୁ ଯିବା ପରେ ମଧ୍ୟ ରଜ୍ୟର ମୁଖ୍ୟ ବିରୋଧୀ ଦଳ ଥିଲା କଂଗ୍ରେସ । କିନ୍ତୁ ଏବେ କଂଗ୍ରେସର ସ୍ଥାନ ନେଇଛି ବିଜେପି । ରାଜ୍ୟ ରାଜନୀତିରେ ନିଜକୁ ପୁଣି ଥରେ ସେଣ୍ଟର ଷ୍ଟେଜକୁ ଆଣିବା ପାଇଁ କଂଗ୍ରେସ ଉଦ୍ୟମ କରୁଛି ବୋଲି କହୁଛି । କିନ୍ତୁ ଉଦ୍ୟମ ପଛରେ ଗମ୍ଭୀରତା ଥିବା ଭଳି ଲାଗୁନି । କାରଣ ରାଜ୍ୟରେ କଂଗ୍ରେସ ଏବେ ବିଜେପି ପଛ ସିଟରେ ବସିଥିବା ଭଳି ଲାଗିଛି । ବିଜେପି ଯାହା ସବୁ କରୁଛି କଂଗ୍ରେସ ତାକୁ ଅନୁସରଣ କରୁଛି । ଲାଗୁଛି କ୍ଷମତା ବନବାସରେ ଥାଇ କଂଗ୍ରେସ କେମିତି ବିରୋଧ କରାଯାଏ ତାହା ମଧ୍ୟ ଭୁଲି ଗଲାଣି । ନିଜ ବୁଦ୍ଧି ବଦଳରେ ପର ବୁଦ୍ଧିର ପ୍ରୟୋଗ କଂଗ୍ରେସକୁ ଆଗକୁ ଚାଲି କେଉଁଭଳି ରାଜନୈତିକ ଲାଭ ପ୍ରଦାନ କରିବ ତାହା ଏକ ବଡ଼ ପ୍ରଶ୍ନ । କଂଗ୍ରେସର ଏଭଳି ଆଭିମୁଖ୍ୟକୁ ବିଜେଡ଼ି ତୀବ୍ର ନିନ୍ଦା କରିଛି  । ସଂସଦୀୟ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି କଂଗ୍ରେସ ବିଜେପି ଇଶାରାରେ ନାଚୁଛି  । ଗୃହ ଚଳାଇ ଦେଉ ନାହିଁ, ଏହା ଗଣତାନ୍ତ୍ରିକ ପରମ୍ପରା ନୁହେଁ  । ସାମ୍ବାଦିକ ପ୍ରସନ୍ନ ମହାନ୍ତି ମଧ୍ୟ କଂଗ୍ରେସ ବିଜେପି ଭଳି କେବଳ ମାଇଲେ ନେବାକୁ ଏଭଳି ବିଶୃଙ୍ଖଳା ପ୍ରଦର୍ଶନ କରିବା ଠିକ ନୁହେଁ ବୋଲି କହିଛନ୍ତି  । ବିଧାନସଭାରେ ରାଜ୍ୟର ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ଆଲୋଚନା ହେବା ଜରୁରୀ  ବୋଲି ସେ ମତ ରଖିଛନ୍ତି  ।

 

Leave a Reply