ସାରା ଦେଶରେ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଓଡ଼ିଶା ନେଲା ଯୁଗାନ୍ତକାରୀ ପଦକ୍ଷେପ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ବ୍ୟବସ୍ଥା କରାଯାଇଛି  । ସାରା ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହି ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛି  ।  ସାମ୍‌ସ ମାଧ୍ୟମରେ ଆସନ୍ତା ୧୨ ତାରିଖରୁ ଏହି ପରୀକ୍ଷା ଆରମ୍ଭ ହେବା ନେଇ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି  । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଉଚ୍ଚଶିକ୍ଷା ବିଭାଗ ବିସ୍ତୃତ ସୂଚନା ଦେଇଛି  ।

ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ ଦାଶ କହିଛନ୍ତି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କଳାର ପ୍ରଶ୍ନପତ୍ର  ପ୍ରସ୍ତୁତ କରିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣିଜ୍ୟ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିଜ୍ଞାନର ପ୍ରଶ୍ନପତ୍ର ପ୍ରସ୍ତୁତ କରିଛନ୍ତି  । ୧୦ ଦିନ ଅର୍ଥାତ୍ ୧୨ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପରୀକ୍ଷା  । ୮୩ଟି ଷ୍ଟ୍ରିମରେ ଚଳିତ ଥର ନାମଲେଖା ହେଉଛି  । ୧୦୦ ରୁ ୭୦ ମାର୍କ ଏଣ୍ଟ୍ରାନ୍ସ ଏବଂ ୩୦ ମାର୍କ କ୍ୟାରିଅରକୁ ନେଇ ସିଲେକ୍ସନ କରାଯିବ  । ନଭେମ୍ବର ୭ ତାରିଖରେ ବାହାରିବ ମେରିଟ ଲିଷ୍ଟ  । ମୋଟ ୬୨ ହଜାର ୨୦୦ ପିଲା ଆବେଦନ କରିଛନ୍ତି  । ପିଜି ସିଟ୍ ୧୪ ହଜାର ୭୦୦ ରହିଛି  । ୨୬ ଟି କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ  ।

ଅନ୍ୟପଟେ ପ୍ରଶ୍ନପତ୍ର ଏବଂ ଓଏମଆର ସିଟ୍ ସେଣ୍ଟର ଗୁଡିକରେ ପହଞ୍ଚି ସାରିଛି  । କେବଳ ପାରଳଖେମୁଣ୍ଡିରେ ଏ ପର୍ଯ୍ୟନ୍ତ ପ୍ରଶ୍ନପତ୍ର ଏବଂ ଓଏମ୍ଆର ସିଟ୍ ପହଞ୍ଚିନି  । ତେବେ ସଂଧ୍ୟା ସୁଦ୍ଧା ପହଞ୍ଚିବା ନେଇ ଆଶା କରାଯାଉଛି  ।   ରାଜ୍ୟ ସରକାର ସ୍କୁଲ କଲେଜ ଖୋଲିବା ନେଇ ନିଷ୍ପତ୍ତି ନନେଲେ  ଅନଲାଇନ୍  ପାଠ ପଢାହେବ  । କରୋନା ନିୟମ ଅନୁସାରେ ପରୀକ୍ଷା ପରିଚାଳନା ହେବ । କୋଭିଡ ରୋଗୀ ବି ଦେଇପାରିବେ ପରୀକ୍ଷା । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆଇସୋସେଲସନ ରୁମ କରାଯାଇଛି ।

Leave a Reply