spot_img

Latest Posts

୨୪ ଘଣ୍ଟା ପର୍ଯ୍ୟନ୍ତ ଶୀତ ଲହରୀ ସହ ଘନ କୁହୁଡି, ୪ ଜିଲ୍ଲାକୁ କୋଲ୍ଡୱେଭ୍ ଆଲର୍ଟ

ଭୁବନେଶ୍ଋର :  ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ ପ୍ରବଳ ଜାଡ। କୋଲ୍ଡ ଓ୍ବେଭ୍ ପାଇଁ ୪ ଜିଲ୍ଲାକୁ ୟେଲୋ ଆଲର୍ଟ। ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ ଏବଂ ଜଗତସିଂହପୁରକୁ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ହାଡଭଙ୍ଗା ଜାଡ ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ। ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଶୀତ ଲହରୀ ଜାରି ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଶୀତ ଲହରୀ ସହ ଘନ କୁହୁଡି ଆକ୍ତାମାକ୍ତା କରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଶୀତ ଲହରୀ ପାଇଁ ୪ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ ଘନ କୁହୁଡି ପାଇଁ କନ୍ଧମାଳ ଏବଂ କୋରାପୁଟକୁ ସତର୍କତା ଜାରି କରାଯାଇଛି। ଏହି ଦୁଇ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ରହିବାର ସମ୍ଭାବନା ରହିଛି। ଶୀତ ଲହରୀ ପାଇଁ ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ୧୦ ଡିଗ୍ରୀ ତଳକୁ ଖସି ଆସିବ ତାପମାତ୍ରା ଗତ କାଲି ତୁଳନାରେ ଆଜି ସ୍ବାଭାବିକ ଠାରୁ ୩ ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ।

ଗତ କାଲି ରାଜ୍ୟରେ ପ୍ରବଳ ଜାଡ ଅନୁଭୁତ ହେବା ସହ ସିଜିନରେ ପ୍ରଥମ ଥର ପାଇଁ ଭୁବନେଶ୍ବରର ତାପମାତ୍ରା ୧୦.୯ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ୧୧ ସହରର ତାପମାତ୍ରା ୧୦ ଡିଗ୍ରୀ କିମ୍ବା ତାଠାରୁ କମ୍ ରେକର୍ଡ ହୋଇଛି । ପାହାଡିଆ ଅଞ୍ଚଳ ଭାବରେ ଜି ଉଦୟଗିରିରେ ସର୍ବନିମ୍ନ ୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମତଳ ଅଞ୍ଚଳ ଭାବରେ ରାଉରକେଲାରେ ୫.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଫୁଲବାଣୀରେ ୭ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାରେ ୭.୧, ଦାରିଙ୍ଗବାଡିରେ ୭.୫, ଭବାନୀପାଟଣାରେ ୭.୮, ଅନୁଗୁଳରେ ୮, କେନ୍ଦୁଝରରେ ୮.୮, ସୁନ୍ଦରଗଡରେ ୯, ଜଗତସିଂହପୁରରେ ୯.୫, ଢେଙ୍କାନାଳ ଏବଂ କୋରାପୁଟରେ ୯.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତାକାଲି ପରଠାରୁ ରାଜ୍ୟରେ ମେଘୁଆ ପାଗ ସହ କିଛି ସ୍ଥାନରେ ବର୍ଷା ନେଇ ଆକଳନ କରାଯାଇଛି। ୨୨ ତାରିଖ ପର୍ଯ୍ୟନ୍ତ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁରରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ଲଘୁଚାପ ତାମିଲନାଡୁ ମୁହାଁ ହେଇଥିବା ବେଳେ ଓଡ଼ିଶା ଉପରେ ତାହାର ସିଧାପ୍ରଭାବ ନାହିଁ। କିନ୍ତୁ କୋହଲା ପାଗ ସହ ବାୟୁ ଚଳାଚଳ ଉପରେ ପ୍ରଭାବ ପକାଇବ। ବିଶେଷ କରି ସମୁଦ୍ରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରିବ। ପ୍ରଭାବରେ ୧୮ ତାରିଖ ଠାରୁ ରାଜ୍ୟରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ।

Latest Posts

Don't Miss