spot_img

Latest Posts

ରାଜ୍ୟରେ କମିବ ଶୀତର ପ୍ରକୋପ

ନନ୍ଦିଘୋଷ ବ୍ୟୁରୋ: କମିବ ଶୀତ। ବଢିବ ତାପମାତ୍ରା । ଉଭୟ ଦିନ ଏବଂ ରାତିର ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ଗୁରୁବାର ଠାରୁ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବଢିବ। ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ବୋଲି ଆକଳନ କରାଯାଇଛି। ଗତ ଦୁଇ ଦିନ ହେବ ରାଜ୍ୟରେ ଦିନର ତାପମାତ୍ରା ବୃଦ୍ଧି ହୋଇଥିବା ବେଳେ ଆସନ୍ତା ଦୁଇ ଦିନ ମଧ୍ୟରେ ରାତି ତାପମାତ୍ରା ବଢିବ। ଗତ ୨୪ ଘଣ୍ଟାରେ ନୂଆପଡା ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୨.୪ ଡିଗ୍ରୀ ରେକର୍ଡ କରାଯାଇଛି । ତାପମାତ୍ରା ବୃଦ୍ଧି ସହ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ବିଶେଷ କରି ଉପକୂଳ ଓଡ଼ିଶାର ସବୁ ଜିଲ୍ଲାରେ ଦୃଶ୍ୟମାନ କ୍ଷମତା କମ୍ ରହିବ ।

୨୨ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ନେଇ କେନ୍ଦ୍ରାପଡା, ଜଗତସିଂହପୁର, କଟକ ଏବଂ କନ୍ଧମାଳକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିଭଳି ୨୩ ତାରିଖରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଘନ କୁହୁଡି ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସି ଆସିବ ଦୃଶ୍ୟମାନ କ୍ଷମତା। କିଛି ସ୍ଥାନରେ ଜିରୋ ଭିଜିବିଲିଟି ଅନୁଭୁତ ହେବା ନେଇ ସତର୍କତା ଜାରି କରାଯାଇଛି। ଏହାସହ କନ୍ଧମାଳ, କଳାହାଣ୍ଡି, କୋରାପୁଟ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ ଏବଂ ଢେଙ୍କାନାଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ। ଘନ କୁହୁଡି ସମ୍ଭାବନା ଥିବାରୁ ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଳ ଅଞ୍ଚଳରେ ଗାଡି ଚାଳନା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ତେବେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ହାଲୁକା ଶୀତ ଅନୁଭୁତ ହେବ। ବିଶେଷ କରି କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ, ଝାରସୁଗୁଡା, ସୋନପୁର, କୋରାପୁଟ, ନବରଙ୍ଗପୁରରେ ହାଲୁକା ଶୀତ ଅନୁଭୁତ ହେବ।

Latest Posts

Don't Miss