ବିଳମ୍ବ ହେଉଛି ନୂଆ ସରକାର ଗଠନ, ୧୦ ନୁହେଁ ଜୁନ ୧୨ରେ ହେବ ଶପଥ ଗ୍ରହଣ ଉତ୍ସବ

ଭୁବନେଶ୍ୱର : ବିଳମ୍ବ ହେଉଛି ରାଜ୍ୟରେ ନୂଆ ସରକାର ଗଠନ । ଜୁନ ୧୦ ନୁହେଁ, ଜୁନ ୧୨ରେ ହେବ ଶପଥ ଗ୍ରହଣ ଉତ୍ସବ । ଶପଥ ଗ୍ରହଣ ଉତ୍ସବ ଜୁନ ୧୨ରେ ପାଳନ ହେବା ନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ଚୟନରେ ବିଳମ୍ବ ହେଉଥିବାର କାରଣ ଜଣାପଡିନାହିଁ । କିନ୍ତୁ ଅନ୍ୟ ପକ୍ଷେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ମନ୍ତ୍ରୀ ହେବା ସ୍ପଷ୍ଟ ହେଉଥିବାରୁ ଅନ୍ୟ ବିକଳ୍ପ ଉପରେ ବିଚାର ବିମର୍ଶ ଚାଲିଥିବା ସୂଚନା ରହିଛି । ଏପଟେ ଶପଥ ଗ୍ରହଣ ଉତ୍ସବ ପାଇଁ ଜନତା ମୈଦାନରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶପଥ ଗ୍ରହଣ ଉତ୍ସବର ସଠିକ ପରିଚାଳନା ପାଇଁ ଓଡିଶାରେ ପହଞ୍ଚିଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ।

ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମର ତଦାରଖ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ମଧ୍ୟପ୍ରଦେଶର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିଶ୍ୱାସ କୈଳାଶ ସାରଙ୍ଗ ଏବଂ ଆନ୍ଧ୍ରପ୍ରଦେଶ ବିଜେପି ପୂର୍ବତନ ସଂଗଠନ ମନ୍ତ୍ରୀ ଆଶୁତୋଷ ତିୱାରୀ | ଏହି ଦୁଇ ବରିଷ୍ଠ ନେତା ଶପଥ ଗ୍ରହଣ କାର୍ଯ୍ୟକ୍ରମର ସମସ୍ତ ବ୍ୟବସ୍ଥା ତଦାରଖ କରିବେ | ସେଥିପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏନେଇ ବୈଠକ ବସିଛି ।