ଦେବଗଡ଼ରୁ ହାଇଟେକ୍ ସର୍ଭେ ଜରିଆରେ ପଟ୍ଟା ବଣ୍ଟନ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲାରୁ ହାଇଟେକ୍ ସର୍ଭେ ଜରିଆରେ ପଟ୍ଟା ବଣ୍ଟନ । ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାରମ୍ପରିକ ଢଙ୍ଗରେ ସର୍ଭେ ସେଟଲମେଣ୍ଟ ପାଇଁ ଅଧିକ ସମୟ ଲାଗୁଥିଲା ବେଳେ ଏବେ ଡିଜିଟାଲ ଟେକ୍ନୋଲୋଜୀ ଜରିଆରେ କରାଯାଉଛି ଜମି ସର୍ଭେ । ୨୦୧୨ମସିହାରେ ଏଥିପାଇଁ ରାଜ୍ୟ ସରକାର ଆଣିଛନ୍ତି ସ୍ୱତନ୍ତ୍ର ଆଇନ । ନୂଆ ଆଇନ ଅନୁସାରେ ହାଇଟେକ୍ ସର୍ଭେରେ କମ୍ ସମୟ ସହ କମ୍ ମାନବ ସମ୍ବଳ ଲାଗୁଛି । ନୂଆ ଟେକ୍ନୋଲୋଜୀ ଯୋଗୁଁ ସର୍ଭେ କାର୍ଯ୍ୟ ସଠିକ୍ ହେଉଛି ।

ଜିପିଏସ୍ ଏବଂ ସାଟେଲାଇଟ ଜରିଆରେ ଚିହ୍ନଟ ହେଉଛି ଜମି । ନୂଆ ଆଇନ ଲାଗୁ କରିବାକୁ ୫ଜିଲ୍ଲା: ଦେବଗଡ଼, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼ରେ ବିଜ୍ଞପ୍ତି ହୋଇଛି । ଏରିଏଲ ଫଟୋଗ୍ରାଫି ସହ ଡିଜିପିଏସ ଓ ଇଟିଏସ୍ ଜରିଆରେ ବାସ୍ତବ ପ୍ଲଟର ମେଳ କରାଯାଉଛି । ଦେବଗଡ଼ର ୭୬୨ଗାଁରେ ନୂଆ ଆଇନ ଅନୁସାରେ ହାଇଟେକ ସର୍ଭେ ହୋଇଛି । ନକ୍ସା ପ୍ରସ୍ତୁତି ପରେ ଜମି ମାଲିକଙ୍କୁ ROR ଦିଆଯାଉଛି । ROR ହେଉଛି ପ୍ରାରମ୍ଭିକ ରେକର୍ଡ ଅଫ୍ ରାଇଟ୍ସ , ଏଥିରେ ଜମି ମାଲିକ ଅସନ୍ତୁଷ୍ଟ ହେଲେ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବାର ବ୍ୟବସ୍ଥା ରହିଛି । ସେହି ଅନୁସାରେ ଦେବଗଡ଼ ଜିଲ୍ଲାର ୫୫୪ଗାଁରେ ଚୂଡାନ୍ତ ପଟ୍ଟା ବଣ୍ଟନ ଆରମ୍ଭ ହୋଇଛି ।

ଜିଲ୍ଲାପାଳଙ୍କ ଦସ୍ତଖତରେ ୫୫୪ଗାଁରେ ଚୂଡ଼ାନ୍ତ ପଟ୍ଟା ବଣ୍ଟନ ହୋଇଛି । ନୂଆ ଆଇନ ଅନୁସାରେ ପଟ୍ଟାରେ ନିର୍ଦ୍ଦିଷ୍ଟ ଜାଗାର ଅକ୍ଷାଂଶ ଓ ଦ୍ରାଘିମା ଉଲ୍ଲେଖ ରହୁଛି । ପୂର୍ବ ଆଇନରେ ଜାଗାର ଅକ୍ଷାଂଶ ଓ ଦ୍ରାଘିମା ରହିବା ବ୍ୟବସ୍ଥା ନଥିଲା । ନୂଆ ଆଇନରେ ଅଭିଯୋଗର ସମାଧାନ ପାଇଁ ପ୍ରତିସ୍ତରରେ ବ୍ୟବସ୍ଥା ରହିଛି । RORରେ ସମସ୍ୟା ଥିଲେ ଏଡିଏମଙ୍କ ନିକଟରେ କରିପାରିବେ ଅଭିଯୋଗ । ଅତିରିକ୍ତ ଜିଲ୍ଲାପାଳ ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ କର୍ତ୍ତୁପକ୍ଷ ବୋଲି ନୂଆ ଆଇନରେ ଉଲ୍ଲେଖ ରହିଛି ।

Leave a Reply