ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ରାଜ୍ୟର ଚିକିତ୍ସା କ୍ଷେତ୍ରରେ ଆଣିଛି ବୈପ୍ଳବିକ ପରିବର୍ତ୍ତନ

Odisha CM Naveen Patnaik's BSKY Card Brings Revolution In Health Sector

ଭୁବନେଶ୍ୱର: ଅର୍ଥ ଅଭାବରୁ କାହାର ଜୀବନ ଯିବ ନାହିଁ । ଚିକିତ୍ସା ପାଇଁ ଜମିବାଡ଼ି, ଗହଣା ବିକିବାକୁ ପଡ଼ିବ ନାହିଁ । ସାଢେ ଚାରି କୋଟି ଓଡ଼ିଆଙ୍କ ପାଇଁ ପରିବାରର ମୁଖିଆ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଐତିହାସିକ ନିଷ୍ପତ୍ତ, ଘରେ ଘରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ । ମାଲକାନଗିରିରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ରୂପରେ ଆସିଥିବା ସ୍ମାର୍ଟ କାର୍ଡ ହିତାଧିକାରୀଙ୍କୁ ମିଳିବା ଆରମ୍ଭ ହୋଇଛି । ମାଗଣାରେ ସମସ୍ତଙ୍କୁ ମିଳିବ ସବୁ ପ୍ରକାର ଚିକିତ୍ସା । ୯୬ଲକ୍ଷ ପରିବାର ଏହି ଯୋଜନାରେ ଆସୁଥିବା ବେଳେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ରାଜ୍ୟର ଚିକିତ୍ସା କ୍ଷେତ୍ରରେ ଆଣିଛି ବୈପ୍ଳବିକ ପରିବର୍ତ୍ତନ । ନବୀନ ବାବୁଙ୍କ ୨୧ବର୍ଷର ଶାସନରେ ଏହି ଯୋଜନା ହେଉଛି ଏକ ବଡ଼ ଉପଲବ୍ଧି । ଆଜି ଜନ୍ମଦିନରେ ଆସନ୍ତୁ ନଜର ପକାଇବା ଏହି ଯୋଜନା ଉପରେ ।

Odisha CM Naveen Patnaik's BSKY Card Brings Revolution In Health Sector

ମାଲକାନଗିରିରୁ ସ୍ୱାସ୍ଥ୍ୟସେବାର ମହାବିପ୍ଳବ । ଗୋଟିଏ କାର୍ଡରେ ମିଳିବ ସବୁ ରୋଗର ମାଗଣା ଚିକିତ୍ସା । ସ୍ୱାସ୍ଥ୍ୟ ସେବାର ସ୍ମାର୍ଟ ଯୁଗ ଆରମ୍ଭ । ମିଳିବ ସମ୍ପୂର୍ଣ୍ଣ କ୍ୟାସଲେସ୍‌ ଚିକିତ୍ସା ସୁବିଧା । ସରକାର ବୁଝିବେ ସ୍ୱାସ୍ଥ୍ୟସେବା । ସୁରକ୍ଷିତ ରଖ ନିଜ ସଞ୍ଚିତ ଅର୍ଥ, ଅନ୍ୟ କାମରେ ଲଗାଅ । ଏପରି ବାର୍ତ୍ତା ଦେଇ ମାଲକାନାଗିରି ଭଳି ଉପାନ୍ତରୁ ଚିକିତ୍ସା କ୍ଷେତ୍ରରେ ଏକ ଐତିହାସିକ ଅଭିଯାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରିରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରି ଦେଶରେ ପ୍ରଥମ ରାଜ୍ୟ ଭାବେ ଲେଖିଛନ୍ତି ନୂଆ ଅଧ୍ୟାୟ । ମାଲକାନାଗିରି ପରେ ସୁନ୍ଦରଗଡ଼, ବଲାଙ୍ଗିର, ଗଜପତି, ଦେବଗଡ଼ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନିଜେ ହିତାଧିକାରୀଙ୍କୁ ଦେଇଛନ୍ତି ସ୍ମାର୍ଟ କାର୍ଡ଼ । କେବଳ ସେତିକି ନୁହେଁ, ଗାଁ ଗାଁରେ ସ୍ୱତନ୍ତ୍ର କ୍ୟାମ୍ପ କରି ସମସ୍ତଙ୍କ ପାଖରେ କାର୍ଡ଼ ପହଞ୍ଚାଇବା ପାଇଁ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଅଧିକାରୀଙ୍କୁ ତାଗିଦ୍ ବି କରିଛନ୍ତି । ସ୍ମାର୍ଟ କାର୍ଡ଼ର ଫାଇଦା ବି ଲୋକଙ୍କୁ ମିଳିଛି । ସ୍ମାର୍ଟ କାର୍ଡ଼ ଜରିଆରେ ଅନେକ ଗରିବ ଲୋକ ଉନ୍ନତ ଚିକିତ୍ସା ପାଇବାରେ ସକ୍ଷମ ହୋଇଛନ୍ତି ।

Odisha CM Naveen Patnaik's BSKY Card Brings Revolution In Health Sector

ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ ମୂଲ୍ୟବାନ । ପରିବାରର କେହି ଅସୁସ୍ଥ ହୋଇ ରୋଗରେ ପଡ଼ିଗଲେ ଚିନ୍ତା ବଢିଯାଏ । ଜମି ବିକ୍ରି କରି, ସୁନା ଗହଣା ବିକି ଖର୍ଚ୍ଚ ତୁଲାଇବା କଥା ବେଶ ଦୁଃଖଦାୟକ । ଏପରିକି ପିଲାଙ୍କର ପାଠପଢାରେ ମଧ୍ୟ ଡୋରି ବନ୍ଧା ହୋଇଥାଏ । ଏସବୁ ସମସ୍ୟାରୁ ଲୋକଙ୍କୁ ମୁକୁଳାଇବା ପାଇଁ ନବୀନଙ୍କ ସ୍ମାର୍ଟ ହେଲଥ୍ କାର୍ଡ ସଞ୍ଜିବନୀ ସଦୃଶ ହୋଇଛି । ସ୍ମାର୍ଟ କାର୍ଡ଼ ଅନେକଙ୍କ ଦୁଃଖ ଲାଘବ କରିବ ବୋଲି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

Odisha CM Naveen Patnaik's BSKY Card Brings Revolution In Health Sector

ଏହି ବ୍ୟବସ୍ଥାରେ ହସ୍ପିଟାଲରେ କାର୍ଡ ଦେଖାଇଲେ ମାଗଣା ଚିକିତ୍ସା ସୁବିଧା ମିଳିବ ।  ୯୬.୫ଲକ୍ଷ ପରିବାରକୁ କାର୍ଡ ମିଳିବାକୁ ଥିବାବେଳେ ସାଢେ ତିନି କୋଟି ଲୋକ ଉପକୃତ ହେବେ । ରାଜ୍ୟ ଓ ରାଜ୍ୟ ବାହାରର ପ୍ରାୟ ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ ଏହି ସ୍ମାର୍ଟ କାର୍ଡର ହିତାଧିକାରୀ । ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା କେବଳ ବିପିଏଲଙ୍କ ପାଇଁ ଥିବା ବେଳେ ବିଏସକେୱାଇ ଉଭୟ ଏପିଏଲ୍ ଓ ବିପିଏଲ୍ ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ଆୟୁଷ୍ମାନ ଯୋଜନା ବୀମା ବ୍ୟବସ୍ଥା ହୋଇଥିବାରୁ ରୋଗୀଟିଏ ଚିକିତ୍ସା ପାଇଁ ଅନେକ ହଇରାଣ ହରକତ ହେବାକୁ ପଡ଼ିବ ହେଲେ ବିଏସକେୱାଇରେ ହସ୍ପିଟାଲରେ ପହଞ୍ଚିଲେ କ୍ୟାସଲେସ ଚିକିତ୍ସ ସୁବିଧା ରହିଛି ।

ଅଗଷ୍ଟ ୨୦୧୮ରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆାରମ୍ଭ ହୋଇଥିବା ବେଳେ ୨୦୨୧ ଅଗଷ୍ଟ ମାସରୁ ସମସ୍ତଙ୍କ ପାଇଁ ସ୍ମାର୍ଟ କାର୍ଡ ବ୍ୟବସ୍ଥା ପ୍ରଚଳନ ହୋଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ଏହି ବଳିଷ୍ଠ ପଦକ୍ଷେପକୁ ସାରା ଦେଶରେ ପ୍ରଶଂସା କରାଯାଇଛି ।

Leave a Reply