JEE ଓ NEET ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ପରୀକ୍ଷା ନକରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । JEE, NEET, CLAT ଆଦି ପରୀକ୍ଷା ଘୁଞ୍ଚାଇବାକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ସମୟରେ ପରୀକ୍ଷା କେନ୍ଦ୍ର ଯାଇ ପରୀକ୍ଷା ଦେବା ସମ୍ଭବ ନୁହେଁ ଏବଂ ବିଭିନ୍ନ ସ୍ଥାନରେ ଲକଡାଉନ ଓ ସଟଡାଉନ ଯୋଗୁଁ ଯାତାୟାତ ସମସ୍ୟା ମଧ୍ୟ ଦେଖାଦେବ ବୋଲି ସେ ଚିଠିରେ ଲେଖିଛନ୍ତି । ରାଜ୍ୟରେ ପରୀକ୍ଷା ପାଇଁ ପ୍ରାୟ ୯୦ ହଜାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ଏବଂ ଲକଡାଉନ, ସଟଡାଉନ ଯୋଗୁଁ ଛାତ୍ରଛାତ୍ରୀମାନେ ବିଭିନ୍ନ ଅଞ୍ଚଳରୁ ଆସି ପରୀକ୍ଷା ଦେବା ସମ୍ଭବ ନୁହେଁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରୀକ୍ଷା ଘୁଞ୍ଚାଇବା ବାବଦରେ ସାଂସଦ ଅମର ପଟ୍ଟନାୟକ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।

ଅନ୍ୟପକ୍ଷେ JEE ଓ NEET ପରୀକ୍ଷାକୁ ନେଇ ବିରୋଧ ତେଜିବାରେ ଲାଗିଛି । କରୋନା କାଳରେ ପରୀକ୍ଷା ରଦ୍ଦ କରିବା ପାଇଁ ହଜାର ହଜାର ଛାତ୍ରଛାତ୍ରୀ ଦାବି କରିଛନ୍ତି  । କରୋନା ପାଇଁ ପରୀକ୍ଷା ହେଲେ ପରିକ୍ଷାର୍ଥୀମାନେ ଅନେକ ସମସ୍ୟାରେ ପଡିବେ ବୋଲି କହିଛନ୍ତି  । ତେଣୁ କେନ୍ଦ୍ର ସରକାର ପରୀକ୍ଷା ଘୁଞ୍ଚାଇବା ପାଇଁ ଦାବି ହୋଇଛି  । କେବଳ ଛାତ୍ରଛାତ୍ରୀ ନୁହଁନ୍ତି ବିରୋଧି ମଧ୍ୟ ଏ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ଟିଏମସି ସୁପ୍ରିମୋ ମମତା ବାନାର୍ଜୀ, ମହାରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେ , ଡିଏମକେ ମୁଖ୍ୟ ଏମ କେ ଷ୍ଟାଲିନ୍ ବିରୋଧ କରିଥିବାବେଳେ ଏବେ ବିଏସପି ସୁପ୍ରିମୋ ମାୟାବତୀ ଏହି ପ୍ରସଙ୍ଗରେ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି  ।

ଏଭଳି ସମୟରେ ପରୀକ୍ଷା ହେଲେ  ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଏହାର ପ୍ରଭାବ ପଡିବ ବୋଲି କହିଛନ୍ତି ମାୟାବତୀ ସେହିଭଳି କଂଗ୍ରେସ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଆସୁଛି  । ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ କେନ୍ଦ୍ର ସରକାର JEE ଓ NEET ପରୀକ୍ଷା କରିବା ପାଇଁ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ JEE ପରୀକ୍ଷା ହେବାକୁ ଥିବାବେଳେ ସେପ୍ଟେମ୍ବର ୧୩ ତାରିଖରେ ହେବ NEET ପରୀକ୍ଷା  । ପ୍ରାୟ 25 ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶ ଗ୍ରହଣ କରିବେ  । ତେବେ କରୋନା ସମୟରେ ଏହି ପରୀକ୍ଷାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

Leave a Reply