ଜ୍ୱିଗାଟୋ ଫିଲ୍ମ ଦେଖିଲେ ମୁଖ୍ୟମନ୍ତ୍ରୀ, ନନ୍ଦିତାଙ୍କ ପଦକ୍ଷେପକୁ କଲେ ପ୍ରଶଂସା

ଭୁବନେଶ୍ୱର: ନବୀନ ନିବାସରେ ‘ଜ୍ବିଗାଟୋ’ ଫିଲ୍ମ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମାଜର ଅତ୍ୟନ୍ତ ସାଧାରଣ ଲୋକଙ୍କ ସଂଘର୍ଷପୂର୍ଣ୍ଣ ଜୀବନକୁ ଏହି ଚଳଚ୍ଚିତ୍ରରେ ସଫଳ ଭାବରେ ଉପସ୍ଥାପିତ କରାଯାଇଛି । ଏହାସହ କଳାତ୍ମକ ଦିଗ ପ୍ରତି ଉଚିତ୍ ଧ୍ୟାନ ଦିଆ ଯାଇଥିବାରୁ ମୁଖ୍ୟମନ୍ତ୍ରୀ ଏହି ଚଳଚ୍ଚିତ୍ରକୁ ଉଚ୍ଚପ୍ରଶଂସା କରିଛନ୍ତି । ସାମାଜିକ ପରିବର୍ତ୍ତନ ଦିଗରେ ଜ୍ବିଗାଟୋ ଏକ ସକରାତ୍ମକ ବାର୍ତ୍ତା ଦେବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ସଂଧ୍ୟାରେ ନବୀନ ନିବାସ ଠାରେ ଜ୍ବିଗାଟୋ ଚଳଚ୍ଚିତ୍ରର ସ୍ବତନ୍ତ୍ର ଉପସ୍ଥାପନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ନବୀନ ।

ସେପଟେ ‘ଜ୍ୱିଗାଟୋ’ ହିନ୍ଦୀ ଚଳଚ୍ଚିତ୍ର ଉପରୁ ପ୍ରମୋଦ କର ଛାଡ କରିଛନ୍ତି ରାଜ୍ୟ ସରକାର । ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଜଣେ ଫୁଡ ଡେଲିଭରି ରାଇଡର ଓ ତାଙ୍କ ପରିବାରର ସଂଘର୍ଷପୂର୍ଣ୍ଣ ଜୀବନକୁ ନେଇ ‘ଜ୍ୱିଗାଟୋ’ ଫିଲ୍ମ ନିର୍ମିତ ହୋଇଛି । ହିନ୍ଦୀ ଭାଷାରେ ନିର୍ମିତ ଏହି ଫିଲ୍ମଟି ସଂପୂର୍ଣ୍ଣ ଭାବରେ ଭୁବନେଶ୍ୱରରେ ହିଁ ସୁଟିଂ କରାଯାଇଛି ।

ଓଡିଶାରେ ଯେପରି ଅଧିକରୁ ଅଧିକ ବ୍ୟବସାୟିକ ଚଳଚ୍ଚିତ୍ର ସୁଟିଂ କରାଯାଇ ପାରିବ ସେଥିପାଇଁ ରାଜ୍ୟ ସରକାର ଅନୁକୂଳ ନୀତି କାର୍ଯ୍ୟକାରୀ କରୁଛନ୍ତି । ଏ ଦିଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ଉତ୍ସାହିତ କରୁଛନ୍ତି । ଏହା ଦ୍ୱାରା ରାଜ୍ୟର ପର୍ଯ୍ୟଟନ ବିକାଶ ହେବା ସହିତ ପ୍ରତିଭାବାନ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଏତଦବ୍ୟତୀତ ଭୁବନେଶ୍ୱରରେ ‘ଜ୍ୱିଗାଟୋ’ ଚଳଚ୍ଚିତ୍ର ସଂପୂର୍ଣ୍ଣ ସୁଟିଂ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି ।