ମିଶନ୍ ଶକ୍ତି ମେଳାରୁ କଣ କିଣିଲେ ମୁଖ୍ୟମନ୍ତ୍ରୀ ? ପଢ଼ନ୍ତୁ…

ଭୁବନେଶ୍ୱର : ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ମିଶନ ଶକ୍ତି ମେଳା ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଷ୍ଟଲ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି ମେଳାରେ ଅଂଶଗ୍ରହଣ କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହିତ ଆଲୋଚନା କରିବା ସହ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ‘ମଲଟି କାଫେ’, ଗୁଆ ବାହୁଙ୍ଗାରୁ ପ୍ରସ୍ତୁତ ଥାଳି, ଢୋକ୍ରା ଶିଳ୍ପ, ସବାଇ ଶିଳ୍ପ, ଟେରାକୋଟା, ବାଉଁଶ ଜାତ ଦ୍ରବ୍ୟ, ଖାଦ୍ୟ ଓ ମସଲା ସାମଗ୍ରୀର ପ୍ରଶଂସା ମଧ୍ୟ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ସବାଇ ଘାସର ବ୍ୟାଗକୁ ୨୫୦ ଟଙ୍କାରେ କିଣିଥିଲେ । ଏକ ଅଳଙ୍କାର ବାକ୍ସ ମଧ୍ୟ ୨୫୦ ଟଙ୍କା ଦେଇ କିଣିଥିଲେ ମୁଖ୍ୟମନ୍ତ୍ରୀ । ମେଳାକୁ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ମହିଳାମାନେ ଉପହାର ସ୍ୱରୂପ ମସଲା ପ୍ରଦାନ କରିଥିଲେ । ବ୍ୟାଗ୍ କିଣିବା ପରେ ମୁଖ୍ୟମନ୍ତ୍ରୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଖାତାରେ ଏକ୍ସଲେଣ୍ଟ ଲେଖିଥିଲେ ।

ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ଦିଗରେ ମହିଳା ଗୋଷ୍ଠିଙ୍କର ସାମୁହିକ ଅବଦାନକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ବାର୍ଷିକ 0% ସୁଧରେ ରାଜ୍ୟ ସରକାର ମିଶନ ଶକ୍ତି ୠଣ ପ୍ରଦାନ କରୁଥିବାରୁ, ଏ ଆର୍ଥିକ ସହାୟତା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଧନ୍ୟବାଦ ଦେଇଥିଲେ ।  ମୁଖ୍ୟମନ୍ତ୍ରୀଙ୍କ ସହିତ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ବିଭାଗୀୟ ସଚିବ ଅନୁ ଗର୍ଗ, ମିଶନ ଶକ୍ତି କମିଶନର/ନିର୍ଦ୍ଦେଶିକା ସୁଜାତା.ଆର କାର୍ତିକେୟନ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଦର୍ଶନୀ ପଡିଆରେ ଡିସେମ୍ବର ୫ରୁ ଆରମ୍ଭ ହୋଇଥିବା ମେଳା ଆସନ୍ତା ୧୬ରେ ଉଦଯାପନ ହେବ । ୨୦୨ ଷ୍ଟଲ ମାଧ୍ୟମରେ ବିଭିନ୍ନ ପ୍ରକାର ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲ ଜାତ ଦ୍ରବ୍ୟ, ଖାଦ୍ୟ ଜାତୀୟ ଦ୍ରବ୍ୟ, ମସଲା ଏବଂ ଅଣ କୃଷି ଜାତୀୟ ଦ୍ରବ୍ୟ ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି । ଏହାବ୍ୟତୀତ ୧୨ଟି ଷ୍ଟଲରେ ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବିକ୍ରୀ ହେଉଛି । ଅଦ୍ୟାବଧି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ୨.୩ କୋଟି ଟଙ୍କାର ସାମଗ୍ରୀ ବିକ୍ରୀ ହୋଇସାରିଥିବା ସୂଚନା ଦେଇଛନ୍ତି ମିଶନ ଶକ୍ତି ଅଧିକାରୀ ।

Leave a Reply