ଆଜିଠୁ ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ: କେଉଁଠି ରହିବେ, କ’ଣ ରହିଛି କାର୍ଯ୍ୟକ୍ରମ ?

1 min read

ନନ୍ଦିଘୋଷ ବ୍ୟୁରୋ: ବିକାଶ ପାଇଁ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାଲି ଭୋର୍ ୪ଟା ୧୫ରେ ଦିଲ୍ଲୀ ଅନ୍ତଜାର୍ତୀୟ ବିମାନ ବନ୍ଦରରୁ ସିଧାସଳଖ ରୋମ୍ ଅଭିମୁଖେ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ରୋମ୍, ଇଟାଲୀ ଏବଂ ୟୁରୋପ ପରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ଦୁବାଇରେ ପହଞ୍ଜିବେ । ବିଦେଶ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ କ’ଣ କ’ଣ କରିବେ,  ସେ ବାବଦରେ ରହିଛି ସବିଶେଷ ସୂଚନା  ।

ମିଳିଥିବା ସୁଚନା ମୁତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାତିରୁ ବିଦେଶ ଗସ୍ତରହେ ଯିବେ । ଆଜି ରାତିରୁ ଦିଲ୍ଲୀରୁ ବାହାରି ଆସନ୍ତାକାଲି ଦିନ ୩ଟାରେ ଇଟାଲୀରେ ପହଞ୍ଚିବେ । ୨୪ ତାରିଖ ପର୍ଯ୍ୟନ୍ତ ରୋମରେ ରହିବେ ମୁଖ୍ୟମନ୍ତ୍ରୀ । ଏହି ସମୟ ମଧ୍ୟରେ ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଡ଼େଭିଡ଼୍ ବେସଲୀଙ୍କ ନିମନ୍ତ୍ରଣ ରକ୍ଷା କରି ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉତ୍ସବରେ ଓଡ଼ିଶାର ଦୁଇ ପ୍ରମୁଖ ସଫଳତା ବାବଦରେ ନିଜ ଅନୁଭୂତି ସେୟାର କରିବେ ମୁଖ୍ୟମନ୍ତ୍ରୀ ।

ଦିନେ ଖାଦ୍ୟ ପାଇଁ ଅନ୍ୟ ରାଜ୍ୟକୁ ହାତ ପତାଉଥିବା ଓଡ଼ିଶା ବର୍ତ୍ତମାନ ଖାଦ୍ୟ ବଳକା ରାଜ୍ୟ ପାଲଟିଛି  ।  କିପରି ଏବେ ଧାନ ଉତ୍ପାଦନରେ ବଳକା ରାଜ୍ୟ ହେବା ସହ ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଇପାରୁଛି, ଏବଂ  କେଉଁ ମେକାନିଜମରେ କାମ କରୁଛନ୍ତି ଓଡ଼ିଶା ସରକାର ସେନେଇ ମୁଖ୍ୟମନ୍ତ୍ରୀ ରଖିବେ ବାର୍ତ୍ତା । ତା ସହିତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା କେମିତି ହେଲା ଏକ ନମ୍ବର । ସେ ବିଷୟରେ ମଧ୍ୟ ଦେବେ ମନ୍ତ୍ର । ’ପ୍ରତ୍ୟେକ ଜୀବନ ମୂଲ୍ୟବାନ’..ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତ୍ରକୁ ପାଥେୟ କରି ମିଶନ ଜିରୋ କାଜୁଆଲିଟିରେ ବିପର୍ଯ୍ୟୟ ମୁକାବିଲା କରୁଛନ୍ତି ଓଡ଼ିଶା ସରକାର ।

ବିପର୍ଯ୍ୟୟ ପୂର୍ବର ପ୍ରସ୍ତୁତି, ବିପର୍ଯ୍ୟୟ ବେଳେ ସତର୍କତା ଏବଂ ବିପର୍ଯ୍ୟୟ ପରେ ଥଇଥାନ ଓ ପୁନରୁଦ୍ଧାର ଯୋଜନାରେ ଓଡ଼ିଶା ଏବେ ସାରା ବିଶ୍ବକୁ ବାଟ ଦେଖାଉଛି । ସରକାରଙ୍କ ଦୁରଦୃଷ୍ଟି, ଟେକ୍ନୋଲାଜିର ଉପଯୁକ୍ତ ବ୍ୟବହାର ସହିତ ସମୟ ଉପଯୋଗୀ ପଦକ୍ଷେପ ବାବଦରେ ମୁଖ୍ୟମନ୍ତ୍ରୀ ସାରା ବିଶ୍ବକୁ ବାଟ ଦେଖାଇବେ । ୨୪ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ରୋମ୍ ରହଣୀ ସମୟରେ ଭାଟିକାନ ସିଟିରେ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ ଫ୍ରାନସିସ୍ଙଙ୍କୁ ସାକ୍ଷାତ କରିବେ । କୌଣସି ମୁଖ୍ୟମନ୍ତ୍ରୀ ପୋପଙ୍କୁ ସାକ୍ଷାତ କରିବାରେ ନବୀନ ହେବେ ପ୍ରଥମ । ୨୪ ତାରିଖରେ ରୋମରୁ ୟୁରୋପ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଇନ୍ଭେଷ୍ଟର ମିଟ୍ ପାଇଁ ଦୁବାଇ ଗସ୍ତ କରିବେ । ୨୯ ତାରିଖରେ ଦୁବାଇରେ ମିଡିଲ ଇଷ୍ଟ ପୁଂଜିନିବେଶକାରୀଙ୍କ ସହ ରାଜ୍ୟରେ ପୁଂଜିନିବେଶ ନେଇ ଚର୍ଚ୍ଚା କରିବେ ମୁଖ୍ୟମନ୍ତ୍ରୀ ।

ଓଡିଶା ଏବେ ପୁଂଜିନିବେଶ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିଥିବା ବେଳେ ଶିଳ୍ପ ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇଦେଉଛନ୍ତି ରାଜ୍ୟ ସରକାର । ଓଡିଶାରେ ବୈଦେଶିକ ପୁଂଜିନିବେଶ ନେଇ ଶିଳ୍ପ ବିଭାଗର ଏକ ପ୍ରତିନିଧି ଦଳ ପୁଂଜିନିବେଶକାରୀଙ୍କ ସହ ଆଲୋଚନା କରିବେ । ରାଜ୍ୟରେ ଗତ ଦୁଇ ଦଶନ୍ଧି ଧରି ଚାଲିଥିବା ରୂପାନ୍ତରଣ ପ୍ରକ୍ରିୟାରେ ଅଂଶୀଦାର ହେବାକୁ ମୁଖ୍ୟମନ୍ତ୍ରୀ ମିଡିଲ ଇଷ୍ଟରେ ରହୁଥିବା ପ୍ରବାସୀ ଓଡିଶାଙ୍କୁ ଆମନ୍ତ୍ରଣ କରିବେ । ମୁଖ୍ୟମନ୍ତ୍ରୀ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, 5T ସଚିବ ଭି.କେ ପାଣ୍ଡିଆନ, ଯୋଗାଣ ସଚିବ ଭି.ଭି ଯାଦବ, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଦିଲ୍ଲୀସ୍ଥିତ ଆବାସିକ କମିଶନର ରବି କାନ୍ତ ବି ଗସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।