କଟକ ବିକାଶରେ ଯୋଡ଼ି ହେଲା ନୂଆ ଅଧ୍ୟାୟ, ୩୪୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

1 min read

କଟକ: କଟକ ବିକାଶରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । ୩୪୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ୨ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକାର୍ପିତ ହୋଇଛି ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବସ ଟର୍ମିନାଲ । ନେତାଜୀ ବସ୍ ଟର୍ମିନାଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବସ ଟର୍ମିନାଲ ସହ ସହରରେ ନିର୍ମିତ ହୋଇଥିବା ଓ ହେବାକୁ ଯାଉଥିବା 14 ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

15 ଏକର ପରିମିତ ଜମି ଉପରେ ନିର୍ମିତ ବସ ଟର୍ମିନାଲରେ ଖର୍ଚ୍ଚ ହୋଇଛି 90 କୋଟି ଟଙ୍କା । ଏଠାରେ 192 ଟି ବସର ରହଣି ଓ ଯାତାୟାତ ସାଙ୍ଗକୁ ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ, ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ହାଇଜେନିକ ଷ୍ଟଲ୍, ପୁରୁଷ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକେଟ କାଉଣ୍ଟରର ସୁବିଧା ରହିଛି । ଇଲୋକ୍ଟ୍ରୋନିକ ସୂଚନା ବ୍ୟବସ୍ଥା ମଧ୍ୟ କରାଯାଇଛି । ସିସିଟିଭି ସହ ଟର୍ମିନାଲ ମଧ୍ୟରେ ଏକ ପୋଲିସ ଆଉଟ ପୋଷ୍ଟ ଯାତ୍ରୀଙ୍କ ସୁରକ୍ଷା ପାଇଁ ରହିବ ।

ସେହିପରି ୬୬.୫୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ରେଭେନ୍ସା ବିଶ୍ବବିଦ୍ୟାଳୟର ମହାନଦୀ କ୍ୟାମ୍ପସ, ୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ଲାଇବ୍ରେରୀ, ୨୩.୮୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲ, ୮୮.୩୧ କୋଟି ଟଙ୍କା ବ୍ୟୟରେ ନରଣପୁରଠାରେ ନିର୍ମିତ ୫୫୦ଟି EWS ଏବଂ ୩୨୦ଟି ଏଲଆଇଜି ବାସଗୃହ, ୯.୭୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ସିଲଭର ସିଟି ବୋଟ କ୍ଲବ, ୫.୨୩ କୋଟି ଟଙ୍କା ବ୍ୟୟରେ ତାଳଦଣ୍ଡା କେନାଲ ସମ୍ମୁଖ ବିକାଶ, ଖାଦ୍ୟ କୋର୍ଟ ଏବଂ ଜଳକ୍ରୀଡା କେନ୍ଦ୍ର, ୩.୨୨ କୋଟି ଟଙ୍କାରେ ନିର୍ମିତ ତାଳଦଣ୍ଡା କେନାଲ ନିକଟରେ ଅର୍ବାନ ହାଟ, ୦.୫୪ କୋଟି ଟଙ୍କା ବ୍ୟୟରେ ରାଣୀହାଟଠାରେ ନିର୍ମିତ କ୍ଲକ ଟାଓ୍ବାର, ୨୩.୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ତାଳଦଣ୍ଡା କେନାଲ ବ୍ରିଜର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ୨୨୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ପରିସରରେ ସ୍ବାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ଭିତ୍ତିଭୂମି, ୨୨.୩୯ କୋଟି ଟଙ୍କା ବ୍ୟୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍ମାରକୀ, ୪୫.୧୯ କୋଟି ଟଙ୍କା ବ୍ୟୟରେ ତାଳଦଣ୍ଡା କେନାଲ ଠାରେ ଜନ ସୁବିଧା କେନ୍ଦ୍ର, ୮.୯୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ରେଳଷ୍ଟେସନର ପୂର୍ବ ଫାଟକରୁ ୪ ଲେନ ବିଶିଷ୍ଟ ରୋଡର ମୁଖ୍ୟମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।