ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପରପାରିରେ ପିଣ୍ଟୁ ନନ୍ଦ । ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ପିଣ୍ଟୁଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଲିଭର ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ପିଣ୍ଟୁଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୫ବର୍ଷ ହୋଇଥିଲା।

ପିଣ୍ଟୁଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘‘ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ନିଜ ନିଖୁଣ ଅଭିନୟ ଦ୍ୱାରା ଚଳଚ୍ଚିତ୍ର ଏବଂ ଧାରାବାହିକରେ ସେ ଛାଡିଯାଇଥିବା ଛାପ ତାଙ୍କୁ ଦର୍ଶକଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି’’ ବୋଲି ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ପିଣ୍ଟୁଙ୍କର ଯକୃତ ଟ୍ରାନ୍ସପ୍ଲାଣ୍ଟ ହେବାକୁ ଥିବା ବେଳେ ଡୋନର ମିଳି ନଥିଲେ । ଫଳରେ ଚିକିତ୍ସାରେ ବିଳମ୍ବ ହୋଇଥିଲା । ଗତ କିଛିଦିନ ତଳେ ତାଙ୍କୁ ଭୁବନେଶ୍ବରରୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଲିଭର ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା । କୋଇଲି ଚଳଚ୍ଚିତ୍ରରେ ପ୍ରଥମ ଥର ଲାଗି ସିନେଜଗତରେ ପାଦଦେଇଥିଲେ ପିଣ୍ଟୁ । ରଙ୍ଗ ନମ୍ବର, ପ୍ରେମଋତୁ ଆସିଲାରେ, ଦୋସ୍ତି, ହାତ ଧରି ଚାଲୁଥା ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଫିଲ୍ମ ଜଗତରେ ପାଦ ଦେବା ପୂର୍ବରୁ ଓଡ଼ିଆ ଆଲବମ ଏ ଗଉରା ଗୀତ ପିଣ୍ଟୁଙ୍କୁ ଘରେ ଘରେ ପରିଚିତ କରାଇଥିଲା । ପିଣ୍ଟୁଙ୍କ ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।