spot_img

Latest Posts

ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଭୁବନେଶ୍ୱର: ବିଶିଷ୍ଠ ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏଥିସହିତ ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ‘‘ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ସ୍ୱତନ୍ତ୍ର ସଙ୍ଗୀତ ସଂଯୋଜନା ଶୈଳୀ ମାଧ୍ୟମରେ ଚିଲିକା ତୀରେ,ଅଗ୍ନିପରୀକ୍ଷା ଓ ମେଘମୁକ୍ତି ଆଦି ଚଳଚ୍ଚିତ୍ରରେ ସେ ଛାଡି ଯାଇଥିବା ଛାପ ସର୍ବଦା ସ୍ମରଣୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି’’।

ସେ ଆହୁରି ମଧ୍ୟ ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ, ଜଣେ ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ଭାବରେ ଶାନ୍ତନୁ ତାଙ୍କ ପ୍ରତିଭାର ଉଜ୍ୱଳ ସ୍ୱାକ୍ଷର ଛାଡି ଯାଇଛନ୍ତି । ସଙ୍ଗୀତ ପ୍ରତି ସେ ନିଜ ଜୀବନକୁ ସମର୍ପିତ କରିଥିବା ବେଳେ ତାଙ୍କ ନିର୍ଦ୍ଦେଶିତ ସଙ୍ଗୀତ ହିଁ ସବୁଦିନ ପାଇଁ ତାଙ୍କୁ ଅମର କରି ରଖିବ ।

ଉଲ୍ଲେଖଯୋଗ୍ୟ, ବର୍ଷୀଆନ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ୮୫ ବର୍ଷରେ ମୃତ୍ୟୁବରଣ କରିଛନ୍ତି । ଗତ କିଛି ଦିନ ଧରି ଦେହ ଅସୁସ୍ଥ ଥିବାବେଳେ ଗତ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ବିଳମ୍ବିତ ରାତି ୧.୩୦ରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ଭାଇ ଦେବାଶିଷ ମହାପାତ୍ର ସୂଚନା ଦେଇଛନ୍ତି ।

 

Latest Posts

Don't Miss