ଦେବାଶିଷଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

1 min read

ଭୁବନେଶ୍ୱର:  ଜାମ୍ମୁ ଓ କାଶ୍ମୀର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଛନ୍ତି ଓଡିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ । ଦେବାଶିଷଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି- ଦେଶର ସୁରକ୍ଷାରେ ଦେବାଶିଷଙ୍କ ବଳିଦାନ ସର୍ବଦା ସ୍ମରଣୀୟ ରହିବ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଅନୁସାରେ  ଜାମ୍ମୁ ଓ କାଶ୍ମୀର ପୁଞ୍ଚରେ ଗତକାଲି ଗ୍ରେନେଡ ହମଲା ହୋଇଥିଲା । ଆତଙ୍କୀଙ୍କ ଆକ୍ରମଣରେ ୫ ଯବାନ ସହିଦ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି । ଏହି ହମଲା ଲାଗି ନିଜକୁ ଦାୟୀ କରିଛି ଜୈସ ସଂଗଠନ ସମର୍ଥିତ ପିପୁଲସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ ବା ପିଏଏଫଏଫ । ଗତକାଲି ଜାମ୍ମୁ ଓ କାଶ୍ମୀରର ରାଜୌରୀ ସେକ୍ଟରରେ ଯବାନମାନେ ଗାଡି଼ରେ ଆସୁଥିବାବେଳେ ଭିମ୍ବର ଗଳି ଅଞ୍ଚଳରେ ଆତଙ୍କବାଦୀମାନେ ଗାଡି ଉପରକୁ ଗ୍ରେନେଡ ଆକ୍ରମଣ କରିଥିଲେ । ପରେ ଗାଡିଟି ଜଳି ଯାଇଥିଲା । ପ୍ରବଳ ବର୍ଷା ଓ ଅସ୍ପଷ୍ଟ ପରିବେଶର ସୁଯୋଗ ନେଇ ସେମାନେ ଏହି ଆକ୍ରମଣ କରିଥିଲେ ।

ପ୍ରାଣ ହରାଇଥିବା ଯବାନ ହେଉଛନ୍ତି ରାଷ୍ଟ୍ରୀୟ ରାଇଫଲସ ୟୁନିଟର ଏବଂ ସେମାନେ ଆତଙ୍କବାଦ ଦମନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଆତଙ୍କୀ ହମଲାରେ ସହିଦ ହୋଇଥିବା ଯବାନମାନେ ହେଲେ ହାବିଲଦାର ମନଦୀପ ସିଂ, ଲାନସ ନାଏକ ଦେବାଶିଷ ବିଶ୍ୱାଳ , ଲାନସ ନାଏକ କୁଲଓ୍ୱନ୍ତ ସିଂ. ସିପାହୀ ହରକିଷନ ସିଂ ଓ ସିପାହୀ ସେବକ ସିଂ ।