ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ସୌଜନ୍ୟମୂଳକ ଥିଲା: ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀ ଯାଇ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ମୋହନ ଚରଣ ମାଝୀ । ରାଜ୍ୟରେ ସରକାର ଗଠନ ପରେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ସେ ମୁଖ୍ୟମନ୍ତ୍ରୀ । ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରିବା ଓ ନୂଆ ଓଡ଼ିଶା ଗଠନରେ ଲୋକଙ୍କ ହିସାବରେ ଲୋକଙ୍କ କାମ କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ ଅନେକ ଯୋଜନା ବିଷୟରେ ଆଲୋଚନା ହୋଇଛି । ଏହାସହ ରାଷ୍ଟ୍ରପତିଙ୍କୁ ରଥଯାତ୍ରା ପାଇଁ ନିମନ୍ତ୍ରଣ କରାଯାଇଛି, ସେ ସାମିଲ ହେବେ ବୋଲି ସହମତି ପ୍ରକାଶ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନେବା ପରେ ଏହା ମୋହନଙ୍କ ପ୍ରଥମ ଦିଲ୍ଲୀ ଗସ୍ତ। ତିନି ଦିନିଆ ଦିଲ୍ଲୀ ଗସ୍ତ ଅବସରରେ ସେ ରାଷ୍ଟ୍ରପତିଙ୍କୁ ଭେଟି ବହୁ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ରାଜ୍ୟର ବିଭିନ୍ନ ବିକାଶ ମୂଳକ କାମ ନେଇ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି ।

ପରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଥିଲେ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆସିଥିବାକୁ ଥିବା କେନ୍ଦ୍ରୀୟ ବଜେଟରେ ଓଡିଶାକୁ ଅଧିକ ଆର୍ଥିକ ସହାୟତା ପ୍ରଦାନ ସହ ରାଜ୍ୟର ଅର୍ଥନୈତିକ ବିକାଶ ନେଇ ଆଲୋଚନା କରିଥିବା ଜଣାପଡିଛି ।

ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟର ବିଭିନ୍ନ ରାଜନୈତିକ ଓ ପ୍ରଶାସନିକ ଦକ୍ଷତା ବୃଦ୍ଧି ନେଇ ଆଲୋଚନା ହୋଇଥିବା ଜଣାପଡିଛି । ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ସୂଚନା ମିଳିଛି । ପରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏହାପରେ ଉପରାଷ୍ଟ୍ରପତି ଜଗଦ୍ଦୀଶ ଧନକଡଙ୍କୁ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ।