ରାୟଗଡ଼ାରେ ଗଡ଼ିଲା ଲକ୍ଷ୍ମୀ ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାୟଗଡ଼ା: ରାୟଗଡ଼ାରେ ଗଡ଼ିଲା ଲକ୍ଷ୍ମୀ ବସ୍। ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ୱାରା ଗମନାଗମନ କ୍ଷେତ୍ରରେ ଆସିବ ବୈପ୍ଳବିକ ପରିବର୍ତ୍ତନ। ସୂଚନା ଅନୁଯାୟୀ, ୧୧ଟି ବ୍ଲକ ମଧ୍ୟରେ ଏହି ବସ୍ ଯାତାୟତ କରିବାକୁ ଥିବା ବେଳେ ୩୯ଟି ରୁଟରେ ଏହି ସେବା ଯୋଗାଇବ ୫୨ଟି ଲକ୍ଷ୍ମୀ ବସ। ଏହାଦ୍ବାରା ୯ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। କମ ଦାମରେ ଦୁଆରୁ ସହରକୁ ଯାଇପାରିବେ ଜନସାଧାରଣ।
ଯୋଜନାର ଶୁଭାରମ୍ଭ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଯୋଜନା ଲୋକଙ୍କ ଯୋଜନା। ଏହା ଯାତାୟତ ବ୍ୟବସ୍ଥାରେ ରୂପାନ୍ତର ଆଣିବ। ଗାଁଲୋକଙ୍କ ଜୀବନରେ ଗତି, ପ୍ରଗତି ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲକ୍ଷ୍ମୀ ଯୋଜନା ଦ୍ବାରା ଗାଁଲୋକଙ୍କ ସାମାଜିକ ସଂସ୍କାର ସହ ଅର୍ଥନୀତି ମଜଭୁତ ହେବ। ଯୋଗାଯୋଗ ଜୀବନ ବିକାଶର ମୂଳଦୁଆ। ପିଲାଙ୍କୁ ସ୍କୁଲ କଲେଜ ସହ ଚାଷୀଙ୍କୁ ମାର୍କେଟ ସହ ଯୋଡ଼ିବ। ରୋଗୀଙ୍କୁ ହସ୍ପିଟାଲ ଯାଏ ନେବ ଲକ୍ଷ୍ମୀ ବସ୍ । ମାଆମାନଙ୍କୁ ବିକାଶର ସାରଥି କରାଇବ । ଘରେ ଘରେ ଲକ୍ଷ୍ମୀ ଖୁସି ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସାରା ରାଜ୍ୟରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯୋଜନାରେ ରାୟଗଡ଼ାକୁ ୯୦କୋଟିର ୨୬ଟି ପ୍ରକଳ୍ପ ମଂଜୁର ହୋଇଛି। ଏହି ଅର୍ଥରେ ଜଗନ୍ନାଥ ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯିବ। ପଞ୍ଚାୟତ ହେଉଛି ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଫୋକସ। ପଞ୍ଚାୟତ ରୂପାନ୍ତରରେ ସାରା ଓଡ଼ିଶାର ରୂପାନ୍ତର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।