ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ବ୍ୟାପକ ସଚେତନତା ଲାଗି ନିର୍ଦ୍ଦେଶ

1 min read
Odisha CM Focused On Covid Testing And Surveillance In State

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର କରୋନା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । କୋଭିଡ୍ ଗାଇଡଲାଇନର କଠୋର ଅନୁପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟ ଶାସନସଚିବ ଏଣିକି ନିୟମିତ ସ୍ଥିତିର ସମୀକ୍ଷା କରିବେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଟେଷ୍ଟିଂ ଓ ସର୍ଭେଲାନ୍ସକୁ ବ୍ୟାପକ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଦେଶରେ ବଢ଼ୁଥିବା କରୋନା ମାମଲାରେ ଆଜିର ଦିନରେ ରାଜ୍ୟର ଯୋଗଦାନ ମାତ୍ର ୦.୪ ପ୍ରତିଶତ ରହିଛି । ଅର୍ଥାତ୍ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ରହିଛି । ରାଜ୍ୟରେ ଦୈନିକ ଚିହ୍ନଟ କରୋନା ମାମଲା ମଧ୍ୟରୁ ୪ଟି ଜିଲ୍ଲାରୁ ୪୦ ପ୍ରତିଶତ ମାମଲା ଆସୁଛି । କଟକୁ ୧୩ ପ୍ରତିଶତ, ଖୋର୍ଦ୍ଧାରୁ ୧୦ ପ୍ରତିଶତ, ସୁନ୍ଦରଗଡ଼ରୁ ୯ ପ୍ରତିଶତ ଓ ମୟୂରଭଞ୍ଜରୁ ୮ ପ୍ରତିଶତ ସଂକ୍ରମଣ ମାମଲା ରହିଛି ।

Odisha CM Focused On Covid Testing And Surveillance In State

ବଢ଼ୁଥିବା ସଂକ୍ରମଣକୁ ଦେଖି ଜିଲ୍ଲାରେ ଟେଷ୍ଟିଂ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସଂକ୍ରମିତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ଟେଷ୍ଟ-ଟ୍ରାକ୍-ଟ୍ରିଟ୍ ଉପରେ ଗୁରୁତ୍ୱ ଦିଆଯାଇଛି । କ୍ଲଷ୍ଟର କେସସ୍ ଚିହ୍ନଟ ହେଲେ ମିନି-କଣ୍ଟେନମେଣ୍ଟ ଜୋନ୍ କରିବାକୁ କୁହାଯାଇଛି । ସର୍ବସାଧାରଣ ସ୍ଥାନରେ କୋଭିଡ୍ ନିୟମ ପାଳନ ନେଇ ନଜର ରଖିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୋଭିଡ୍ମ ହାମାରୀର ସମ୍ଭାବ୍ୟ ଦ୍ୱିତୀୟ ସଂକ୍ରମଣର ମୁକାବିଲା ସଂପର୍କରେ ସମୀକ୍ଷା କରି ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଓ ଜନସଚେତନତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । କେତେକ ରାଜ୍ୟରେ ପରିସ୍ଥିତି ଦ୍ରୁତ ଗତିରେ ବିଗିଡିବାରେ ଲାଗିଛି । ଏବେଠାରୁ ତୁରନ୍ତ ପ୍ରତିରୋଧମୂଳକ ପଦକ୍ଷେପ ନ ନେଲେ, ଆମ ରାଜ୍ୟ ମଧ୍ୟ ଘୋର ବିପଦର ସମ୍ମୁଖୀନ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି । ଏହା ମଧ୍ୟରେ କୋଭିଡ ଯୁଦ୍ଧକୁ ଏକ ବର୍ଷ ପୂରଣ ହୋଇଯାଇଛି । ତେବେ ଆମର ଡାକ୍ତର, ପାରାମେଡିକାଲ, ଆଗଧାଡ଼ିର ଯୋଦ୍ଧା, ପ୍ରଶାସନ, ପଞ୍ଚାୟତ ପ୍ରତିନିଧି ଓ ପୋଲିସ ଏ ସମସ୍ତଙ୍କର ନିସ୍ୱାର୍ଥପର ସେବା ଓ ତ୍ୟାଗ ଯୋଗୁ ଆମେ ଏପର୍ଯ୍ୟନ୍ତ ଭୂତାଣୁର ମୁକାବିଲାରେ ସଫଳ ହୋଇଛୁ । ରାଜ୍ୟ ମଧ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳ କୋଭିଡ୍ ମୁକାବିଲା ପାଇଁ ସ୍ୱିକୃତି ହାସଲ କରିଛି ବୋଲି ସେ କହିଥିଲେ ।

ଏବେ ଯେତେବେଳ ରୋଗ ନିୟନ୍ତ୍ରଣ, ଜୀବିକା ସୃଷ୍ଟି ଓ ଅର୍ଥନୀତି କ୍ଷେତ୍ରରେ ରାଜ୍ୟ ସ୍ବାଭାବିକ ପରିସ୍ଥିତିକୁ ଫେରିଆସୁଛି, ସେତେବେଳେ ଆମ ଦେଶ ସହିତ ବିଶ୍ୱର ଅନେକ ଦେଶରେ କୋଭିଡର ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଆମ ଦେଶରେ ଦ୍ୱିତୀୟ ସଂକ୍ରମଣ ଆରମ୍ଭ ହେବା ପରି ପରିସ୍ଥିତି ଲକ୍ଷ୍ୟ କରାଯାଉଛି । ତେଣୁ ଏଭଳି ପରିସ୍ଥିତିରେ ଦ୍ୱିତୀୟ ସଂକ୍ରମଣକୁ ରୋକିବା ପାଇଁ ମାସ୍କ ବ୍ୟବହାର ଓ ହାତଧୁଆ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେବା ଜରୁରୀ । ବିଶେଷକରି ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାରର ଦୃଢ ଅନୁପାଳନକୁ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Odisha CM Focused On Covid Testing And Surveillance In State

ସମସ୍ତ ଜିଲ୍ଲାଗୁଡିକ ନିଜ ନିଜ ଅଞ୍ଚଳର ସ୍ଥାନୀୟ ନେତୃବୃନ୍ଦ, ପଞ୍ଚାୟତ ପ୍ରତିନିଧି ଓ ଧାର୍ମିକ ସଂସ୍ଥା ଆଦି ବିଭିନ୍ନ ଆବଶ୍ୟକ ବ୍ୟକ୍ତି ଓ ସଂସ୍ଥା ମାନଙ୍କ ସହିତ ସଚେତନତା ଓ ସମନ୍ୱୟ ବୈଠକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନେକ ଦେଶରେ କୋଭିଡର ଦ୍ୱିତୀୟ ଲହର ପ୍ରଥମ ଲହର ଠାରୁ ଅଧିକ ଭୟଙ୍କର ହେଉଛି । ଏସବୁ ଦେଶ ପୁଣି ଲକ୍‌ଡାଉନ ପରିସ୍ଥିତିକୁ ଫେରୁଛନ୍ତି । ଆମ ପକ୍ଷରେ ପୁଣି ଥରେ ଲକ୍‌ଡାଉନକୁ ଫେରିବା ବହୁତ କ୍ଷତିକାରକ ହେବ । ତେଣୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଥିଲେ ଯେ ଆମ ସମସ୍ତେ ଆତ୍ମ ସଂଯମତା ପାଳନ କରିବା ସହିତ ରାଜ୍ୟର ସବୁସ୍ଥାନରେ କୋଭିଡ ନିୟମାବଳୀର ଅନୁପାଳନକୁ ସୁନିଶ୍ଚିତ କରିବା । ଦ୍ୱିତୀୟ ଲହର ନ ହେବା ପାଇଁ ରାଜ୍ୟ ପ୍ରଶାସନ ନୂତନ ଉତ୍ସାହ ସହିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ସମସ୍ତେ ସତର୍କ ରହିବା ଏବଂ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରତିରୋଧମୂଳକ ପଦକ୍ଷେପକୁ କାର୍ଯ୍ୟକାରୀ କରିବା ।

ପରିସ୍ଥିତି ଉପରେ ସତର୍କ ନଜର ରଖିବା ସହ ନିୟମିତ ସମୀକ୍ଷା କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଓ ଏସ୍‌.ପି ମାନେ ନିଜ ନିଜ ଅଞ୍ଚଳରେ ବ୍ୟକ୍ତିଗତ ଭାବେ ଏହି ଅନୁପାଳନକୁ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସ୍ୱାସ୍ଥ୍ୟ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ବ୍ୟାପକ ପ୍ରଚାର ଓ ଆଇସି କ୍ୟାମ୍ପେନ୍ଆ ରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ପରିମର୍ଶ ଦେଇଥିଲେ । ଗାଁ, ସାପ୍ତାହିକ ହାଟ ଓ ଭିଡ଼ ପରିଲକ୍ଷିତ ହେଉଥିବା ମାର୍କେଟରେ ଡାକବାଜି ଯନ୍ତ୍ର ଜରିଆରେ ସମସ୍ତ ନିୟମାବଳୀ ଓ ଜରୁରୀ ସୂଚନା ସଂପର୍କରେ ତୁରନ୍ତ ଘୋଷଣା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳମାନେ ନିଜ ନିଜ ଅଞ୍ଚଳରେ ସର୍ଭେଲାନସ୍‌ ଓ ଟେଷ୍ଟିଂ କାର୍ଯ୍ୟକ୍ରମକୁ କଡାକଡି ଭାବରେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ସମଗ୍ର ପ୍ରଶାସନିକ କଳକୁ ପରିସ୍ଥିତିର ଗମ୍ଭୀରତା ଅନୁଭବ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତେ ନିଜ ନିଜକୁ କୋଭିଡ ଯୁଦ୍ଧରେ ପୁଣିଥରେ ନିଷ୍ଠାର ସହ ସାମିଲ କରିବା ପାଇଁ ନିବେଦନ କରିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ କୋଭିଡ ନିୟମକୁ ଅଧିକ କଡାକଡି ଭାବରେ ପାଳନ କରାଯିବ । ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକ ଅଧିକ ସତର୍କ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ବର୍ତ୍ତମାନର ସ୍ଥିତି ସଂପର୍କରେ ବିସ୍ତୃତ ଉପସ୍ଥାପନା ଦେଇଥିଲେ । ନୟାଗଡ ଓ ମାଲକାନଗିରିରେ କେହି ଜଣେ ବି ପଜିଟିଭ ନାହାନ୍ତି ବୋଲି ସେ କହିଥିଲେ । ବର୍ତ୍ତମାନ ରାଜ୍ୟରେ ୮୯୮ ଜଣ ସକ୍ରିୟ ରୋଗୀ ଥିବାବେଳେ, ୧୦୬ ଜଣ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ରାଜ୍ୟର କୋଭିଡ ଭିତ୍ତିଭୂମି ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସେ କହିଥିଲେ।

Odisha CM Focused On Covid Testing And Surveillance In State

RT-PCR ଟେଷ୍ଟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ଓ ରେଡ୍‌ ଫ୍ଲାଗ୍‌ ରାଜ୍ୟ ଗୁଡିକରୁ ଆସୁଥିବା ଲୋକମାନଙ୍କୁ କଡାକଡି ଯାଂଚ କରାଯାଉଛି। ଟୀକାକରଣ ସଂପର୍କରେ ଆଲୋକପାତ କରି ସେ କହିଲେ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮.୮୧ ଲକ୍ଷ ଲୋକଙ୍କୁ ଟୀକା ଦିଆଯାଇସାରିଛି । ଅଧିକ ୨୫ ଲକ୍ଷ ଡୋଜ୍‌ ଟୀକା ପଠାଇବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ବୋଲି ସେ କହିଥିଲେ। ରାଜ୍ୟରେ ଟୀକା ନଷ୍ଟ ପରିମାଣ ୦.୨୪ ପ୍ରତିଶତ ରହିଛି, ଯାହାକି ସମଗ୍ର ଦେଶରେ ସବୁଠାରୁ କମ୍‌ ବୋଲି ସେ କହିଥିଲେ।
ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କହିଥିଲେ ଯେ କୋଭିଡ ନିୟମର କଡା ଅନୁପାଳନ ପାଇଁ ପୋଲିସ ପ୍ରଶାସନକୁ ଦୃଢ ନିର୍ଦ୍ଦେଶ ଦିଆଯାଇଛି । ଷ୍ଟେସନ ଓ ବିମାନ ବନ୍ଦର ଗୁଡିକରେ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କଡା ନଜର ରଖାଯିବା ସହିତ ସେମାନଙ୍କ ଟେଷ୍ଟିଂ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଶ୍ରୀ ପି.କେ ଜେନା, କୃଷି ଉତ୍ପାଦନ କମିଶନର ଶ୍ରୀ ଆର୍‌. କେ. ଶର୍ମା, କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ସୌରଭ ଗର୍ଗ, ଜଳସଂପଦ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply